ଚଟୋଗ୍ରାମ: ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ଲିଗ୍ ମ୍ୟାଚ୍ରେ ବାଂଲାଦେଶ ୪ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ଆଫଗାନିସ୍ତାନ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟ୍ବେଣ୍ଟି-୨୦ ବିଜୟ। ତେବେ ଏହି ବିଜୟ ସହ ବାଂଲାଦେଶ ଶୀର୍ଷରେ ରହି ଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଦ୍ବିତୀୟ ସ୍ଥାନରେ ରହି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଏହି ଦୁଇ ଏସୀୟ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଫାଇନାଲ୍ ମୁକାବିଲା ମଙ୍ଗଳବାର ହେବ। ତୃତୀୟ ଦଳ ଜିମ୍ବାୱେ ସବା ଶେଷ ସ୍ଥାନରେ ରହି ବିଦାୟ ନେଇଛି। ଶନିବାର ବାଂଲାଦେଶ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ହଜମତୁଲ୍ଲା ଜଜାଇ ସର୍ବାଧିକ ୪୭ ଏବଂ ରହମତୁଲ୍ଲା ଗୁରବାଜ ୨୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ଆଫିଫ ହୁସେନ ମାତ୍ର ୯ ରନ୍ ଦେଇ ୨ ୱିକେଟ୍ କରାୟତ କରିଥିଲେ। ୧୩୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ସକିବ-ଅଲ-ହାସନଙ୍କ (୭୦*) ଅପରାଜିତ ଅର୍ଧଶତକ ବଳରେ ଗୋଟିଏ ଓଭର ପୂର୍ବରୁ ବିଜୟୀ ହୋଇଥିଲା। ସକିବ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp