ମହମୁଦୁଲ୍ଲାଙ୍କ ଶତକ: ବାଂଲାଦେଶ ପାଇଁ ବିଜୟ ସୁଯୋଗ

ମିରପୁର: ଜିମ୍ବାୱେ ନିକଟରୁ ଘରୋଇ ମାଟିରେ ପ୍ରଥମ ଟେଷ୍ଟ୍‌କୁ ୧୫୧ ରନ୍‌ରେ ହାରିଯିବା ପରେ ବାଂଲାଦେଶ ଦଳ ଦ୍ବିତୀୟ ଟେଷ୍ଟ୍‌ରେ ବିଜୟ ସମ୍ଭାବନା ସୃଷ୍ଟି କରିଛି। ସିଲ୍‌ହେଟ୍‌ରେ ପରାଜୟ ପରେ ଘରୋଇ ବାଂଲାଦେଶ ଦଳ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ର ଚତୁର୍ଥ ଦିବସରେ ଜିମ୍ବାୱେ ଦ୍ବିତୀୟ ପାଳିର ୨ ୱିକେଟ୍‌ ୭୬ ରନ୍‌ରେ ଝଡ଼ାଇ ଦେଇ ଶୃଙ୍ଖଳା ବରାବର ସୁଯୋଗ ପାଇଛି। ପ୍ରଥମ ପାଳିରେ ମୁସ୍‌ଫିକର ରହିମ (୨୧୯*)ଙ୍କ କୀର୍ତିମାନଭରା ଅପରାଜିତ ଦ୍ବିଶତକ, ମୋମିନୁଲ୍‌ ହକ୍‌ (୧୬୧)ଙ୍କ ଶତକ ସାଙ୍ଗକୁ ମେହେଦି ହାସନ୍‌ ମିରାଜ୍‌ (୬୮*)ଙ୍କ ଅପରାଜିତ ଅର୍ଧଶତକ ବଳରେ ୫୨୨/୭ରେ ଘୋଷଣା କରିଥିବା ବାଂଲାଦେଶ ଜିମ୍ବାୱେ ପ୍ରଥମ ପାଳିକୁ ତୃତୀୟ ଦିବସରେ ୩୦୪ ରନ୍‌ରେ ଶେଷ କରିଥିଲା। ତେବେ ୨୧୮ ରନ୍‌ରେ ଆଗୁଆ ସତ୍ତ୍ବେ ଜିମ୍ବାୱେକୁ ଫଲୋଅନ୍‌ ନଡାକି ବାଂଲାଦେଶ ବୁଧବାର ଚତୁର୍ଥ ଦିବସରେ ଦ୍ବିତୀୟ ପାଳି ଖେଳିଥିଲା। ଏହି ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ଅଧିନାୟକ ମହମୁଦୁଲ୍ଲା (୧୦୧*)ଙ୍କ ଅପରାଜିତ ଶତକ ସାଙ୍ଗକୁ ମହମ୍ମଦ ମିଥୁନ୍‌ (୬୭)ଙ୍କ ଅର୍ଧଶତକ ଏବଂ ମେହେଦି ହାସନ୍‌ ମିରାଜ୍‌ଙ୍କ ଅପରାଜିତ ୨୭ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୨୨୪ ରନ୍‌ କରିଥିଲା ବେଳେ ପୁନର୍ବାର ପାଳି ଘୋଷଣା କରିଦେଇଥିଲା। ପ୍ରଥମ ପାଳିର ଶତକ ହାସଲକାରୀ ମୁସ୍‌ଫିକର (୭), ମୋମିନୁଲ୍‌ (୧), ଲିଟନ୍‌ ଦାସ (୬), ଇମ୍ରୁଲ କେୟସ (୩) ଓ ଆରିଫୁଲ୍‌ ହକ୍‌ (୫) ଜିମ୍ବାୱେ ବୋଲରଙ୍କ ମୁକାବିଲା କରିପାରିନଥିଲେ। ତେବେ ମହମୁଦୁଲ୍ଲା ଓ ମିଥୁନ୍‌ ପଞ୍ଚମ ୱିକେଟ୍‌ରେ ୧୧୮ ଏବଂ ମହମୁଦୁଲ୍ଲା ଓ ମିରାଜ୍‌ ଅବିଭାଜିତ ସପ୍ତମ ୱିକେଟ୍‌ରେ ୭୩* ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ମହମୁଦୁଲ୍ଲା ତାଙ୍କ ଶତକ ପୂରଣ କରିବା ମାତ୍ରେ ବାଂଲାଦେଶ ପାଳି ଘୋଷଣା କରିଦେଇଥିଲା। ୮ ବର୍ଷ ପରେ ମହମୁଦୁଲ୍ଲାଙ୍କର ଏହା ଥିଲା ପ୍ରଥମ ଶତକ। ସେହିପରି ଗତ ୧୦ ପାଳି ପରେ ମିଥୁନ୍‌ ମଧ୍ୟ ପ୍ରଥମ ଅର୍ଧଶତକ ଜମାଇଥିଲେ। ଏହି ଟେଷ୍ଟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ପାଳି ଘୋଷଣା କରିବା ପରେ ଘରୋଇ ଦଳ ଭ୍ରମଣକାରୀ ଜିମ୍ବାୱେ ନିକଟରେ ୪୪୩ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଜବାବରେ ଜିମ୍ବାୱେ ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୭୬ ରନ୍‌ରେ ୨ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଛି। ପ୍ରଥମ ପାଳିରେ ୫ ୱିକେଟ୍‌ ଦଖଲ କରିଥିବା ତାଇଜୁଲ୍‌ ଇସ୍‌ଲାମ୍‌ ଏବଂ ମିରାଜ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ଅଧିନାୟକ ହାମିଲଟନ୍‌ ମାସାକାଜା (୨୫) ଓ ବ୍ରିଆନ୍‌ ଚାରି (୪୩) ଭଲ ଆରମ୍ଭ ଦେବା ସତ୍ତ୍ବେ ପାଭିଲିୟନ୍‌ ଫେରିଯାଇଛନ୍ତି। ବ୍ରେଣ୍ଡନ ଟେଲର (୪*) ଓ ସିନ୍‌ ୱିଲିୟମ୍‌ସ (୨*) କ୍ରିଜ୍‌ରେ ରହିଛନ୍ତି। ଫଳରେ ୮ ୱିକେଟ୍‌ ହାତରେ ଥାଇ ଜିମ୍ବାୱେ ଏବେ ବି ୩୬୭ ରନ୍‌ ପଛରେ ରହିଛି। ଗୁରୁବାର ପଞ୍ଚମ ତଥା ଶେଷ ଦିନ ମ୍ୟାଚ୍‌ ବଞ୍ଚାଇ ଶୃଙ୍ଖଳା ୧-୦ରେ ଜିତିବାକୁ ଜିମ୍ବାୱେ ପ୍ରୟାସ କରିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଘରୋଇ ଦଳ ୩୬୭ ରନ୍‌ ପୂର୍ବରୁ ଅବଶିଷ୍ଟ ୮ ୱିକେଟ୍‌ ଦଖଲ କରି ମ୍ୟାଚ୍‌ ଜିତିବା ସାଙ୍ଗକୁ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର