ବାଂଲାଦେଶକୁ ଦାବିଲା ଦକ୍ଷିଣ ଆଫ୍ରିକା 

ବ୍ଲୋଏମ୍‌ଫନ୍‌ଟିନ: ଦକ୍ଷିଣ ଆଫ୍ରିକା ଗସ୍ତରେ ବାଂଲାଦେଶର ପରାଜୟ ଧାରା ଜାରି ରହିଛି। ଟେଷ୍ଟ ଓ ଦିନିକିଆରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିବା ବାଂଲାଦେଶ ପ୍ରଥମ ଟେ୍ଵଣ୍ଟି-୨୦ ମୁକାବିଲାରେ ମଧ୍ୟ ପରାସ୍ତ ହୋଇଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତର ଗତ ୪ ସପ୍ତାହ ମଧ୍ୟରେ ପ୍ରଥମ ଥର ପାଇଁ ବାଂଲାଦେଶ ଲଢ଼ୁଆ କ୍ରିକେଟ୍‌ ଖେଳିଛି। ଗୁରୁବାର ଦିବାରାତ୍ର ଭିତ୍ତିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଘରୋଇ ଦକ୍ଷିଣ ଆଫ୍ରିକାକୁ ଜୋରଦାର ଟକ୍କର ଦେଇଥିଲା। ହେଲେ ଶେଷରେ ଦକ୍ଷିଣ ଆଫ୍ରିକା ଏହାକୁ ୨୦ ରନ୍‌ରେ ଜିତି ନେଇ ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି’ କକ୍‌ (୫୯)ଙ୍କ ଅର୍ଧଶତକ ଏବଂ ଏବି ଡି’ ଭିଲିୟର୍ସ (୪୯ ରନ୍‌, ୨୭ ବଲ୍‌, ୮ ଚୌକା)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୯ ଓ୍ଵିକେଟ୍‌ ହରାଇ ୧୭୫ ରନ୍‌ କରି ପାରିଥିଲା। ସୌମ୍ୟ ସରକାର ସର୍ବାଧିକ ୪୭ ରନ୍‌ କରିଥିଲା ବେଳେ ମହମ୍ମଦ ସୈଫୁଦିନ ୩୯ ରନ୍‌ର ଯୋଗଦାନ ଦେଇଥିଲେ। ଡି’ଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର