ବାଂଲାଦେଶ ୨୧୬ ରନ୍‌ରେ ପରାସ୍ତ

ଶ୍ରୀଲଙ୍କାକୁ ଧନଞ୍ଜୟ ଦେଲେ ଶୃଙ୍ଖଳା

ଢାକା: ମିରପୁର ଟେଷ୍ଟ୍‌କୁ ଶ୍ରୀଲଙ୍କା ସଢ଼େ ତିନି ଦିନ ଭିତରେ ଜିତି ନେଇଛି। ପଦାର୍ପଣକାରୀ ସ୍ପିନର ଅକିଲା ଧନଞ୍ଜୟ ଦ୍ୱିତୀୟ ପାଳିରେ ପାଞ୍ଚ ଓ୍ଵିକେଟ୍‌ ସଫଳତା ସହ ମୋଟ ୮ ଓ୍ଵିକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କାକୁ ୨୧୫ ରନ୍‌ର ପ୍ରତୀକ୍ଷିତ ବିଜୟ ଉପହାର ଦେଇଛନ୍ତି। ପୁରୁଖା ସ୍ପିନର ରଙ୍ଗଣା ହେରାଥଙ୍କ ସହ ମିଶି ଧନଞ୍ଜୟ ବାଂଲାଦେଶକୁ ମାତ୍ର ୧୨୩ ରନ୍‌ରେ ଅଲଆଉଟ୍‌ କରିଦେବା ସହ ଶ୍ରୀଲଙ୍କା ଦୁଇ ଟିକିଆ ଶୃଙ୍ଖଳାକୁ ୧-୦ରେ ଜିତି ନେଇଥିଲା। ତା’ ସହ ଧନଞ୍ଜୟ ବ୍ୟକ୍ତିଗତ ଭାବେ ଶ୍ରୀଲଙ୍କାର ସଫଳତମ ପଦାର୍ପଣକାରୀ ବୋଲର ହୋଇ ଯାଇଥିଲେ। ସେହିଭଳି ହେରାଥ ମଧ୍ୟ ଏକ ମାଇଲଖୁଣ୍ଟ ଛୁଇଁଥିଲେ। ପ୍ରଥମ ପାଳିରେ ଗୋଟିଏ ହେଲେ ବି ଓ୍ଵିକେଟ୍‌ ପାଇ ନଥିବା ହେରାଥ ନିଜ ଦ୍ୱିତୀୟ ପାଳି ସଫଳତା ବଳରେ ବିଶ୍ୱର ସଫଳତମ ବାମହାତୀ ବୋଲର ହୋଇଥିଲେ। ଅନ୍ୟପକ୍ଷରେ ଚିଟ୍ଟାଗଙ୍ଗରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିବା ବାଂଲଦେଶ ମିରପୁରରେ ଶ୍ରୀଲଙ୍କା ସ୍ପିନରଙ୍କ ଆଦୌ ମୁକାବିଲା କରିପାରି ନଥିଲା। ଫଳରେ ଉଭୟ ପାଳିରେ ଦେଢ଼ ଶହ ରନ୍‌ ଛୁଇଁ ନ ପାରି ପରାଜିତ ହୋଇଥିଲା। ଶ୍ରୀଲଙ୍କା ବି ବହୁତ ବଡ଼ ସ୍କୋର କରି ନଥିଲା। ହେଲେ ପ୍ରଥମ ପାଳିରେ ୨୨୨ ରନ୍‌ କରିବା ପରେ ବାଂଲାଦେଶକୁ ମାତ୍ର ୧୧୦ ରନ୍‌ରେ ଅକଟାଇ ୧୧୨ ରନ୍‌ରେ ଆଗୁଆ ହୋଇଥିଲା। ସେହିଭଳି ଦ୍ୱିତୀୟ ପାଳିରେ ୨୨୬ ରନ୍‌ କରିବା ପରେ ବାଂଲାଦେଶ ସମ୍ମୁଖରେ ୩୩୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପର୍ଯ୍ୟାପ୍ତ ସମୟ ଥିଲେ ମଧ୍ୟ ବାଂଲାଦେଶ ୨୯.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଏବଂ ଶୃଙ୍ଖଳା ହାତଛଡ଼ା କରିଥିଲା। ପ୍ରଥମ ପାଳିରେ ୫୬’ ଏବଂ ଦ୍ୱିତୀୟରେ ୭୦* ରନ୍‌ କରିଥିବା ରୋଶନ ସିଲଭା ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି ୨୨୨। ବାଂଲାଦେଶ ପ୍ରଥମ ପାଳି ୧୧୦। ଶ୍ରୀଲଙ୍କା ଦ୍ୱିତୀୟ ପାଳି ୨୨୬। ବାଂଲାଦେଶ ଦ୍ୱିତୀୟ ପାଳି ୧୨୩ ( ମୋମିନୁଲ ହକ୍‌ ୩୩, ମୁସଫିକର ରହିମ ୨୫, ଇମ୍ରୁଲ କେୟସ୍‌ ୧୭, ଆକିଲ ଧନଞ୍ଜୟ ୫/୨୪, ରଙ୍ଗଣା ହେରାଥ ୪/୪୯)।

ରଙ୍ଗଣା ରଚିଲେ ଇତିହାସ

ମିରପୁର ଟେଷ୍ଟ୍‌ର ଦ୍ୱିତୀୟ ପାଳିରେ ୪ ଓ୍ଵିକେଟ୍‌ ନେଇ ଶ୍ରୀଲଙ୍କା ସ୍ପିନର ରଣଙ୍ଗା ହେରାଥ ବିଶ୍ୱ କ୍ରିକେଟ୍‌ର ସଫଳତମ ବାମହାତୀ ବୋଲର ହେବାର ଗୌରିବ ଲାଭ କରିଛନ୍ତି। ଏହି କ୍ରମରେ ସେ ପାକିସ୍ତାନର କିମ୍ବଦନ୍ତୀ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମଙ୍କୁ ଟପି ଯାଇଛନ୍ତି। ଆକ୍ରମ ୧୦୪ ଟେଷ୍ଟ ଖେଳି ୨୩.୬୨ ହାରରେ ୪୧୪ ଓ୍ଵିକେଟ୍‌ ନେଇଥିଲେ। ହେରାଥ ନିଜ ୮୯ତମ ଟେଷ୍ଟରେ ତାଙ୍କୁ ଅତିକ୍ରମ କରିଛନ୍ତି। ବାଂଲାଦେଶର ଶେଷ ଓ୍ଵିକେଟ୍‌ ଭାବେ ଙ୍କୁ ଆଉଟ୍‌ କରି ହେରାଥ ଦୁର୍ଦ୍ଧର୍ଷ ବୋଲର ଆକ୍ରମଙ୍କୁ ଅତିକ୍ରମ କରିଥିଲେ। ସଂପ୍ରତି ସେ ୮୯ ଟେଷ୍ଟରୁ ୪୧୫ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଏହି ତାଲିକାରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ୍‌ ଭିଟୋରୀ (୩୬୨ ଓ୍ଵିକେଟ୍‌ , ୧୧୩ ଟେଷ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି। ଏମାନଙ୍କ ଛଡ଼ା ଚାମିଣ୍ଡା ଭାସ୍‌, ମିଚେଲ ଜନସନ ଏବଂ ଜାହିର ଖାନ୍‌ ହେଉଛି ଅନ୍ୟ ତିନି ବାମହାତୀ ବୋଲର ଯିଏ ଟେଷ୍ଟ କ୍ରିକେଟ୍‌ରେ ୩୦୦ କିମ୍ବା ତା’ଠାରୁ ଅଧିକ ଓ୍ଵିକେଟ୍‌ ଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର