ଚଟ୍ଟଗ୍ରାମ୍‌ ଟେଷ୍ଟ୍‌, ମିରାଜ୍‌ଙ୍କ ଶତକରେ ବାଂଲାଦେଶ ଦୃଢ଼

ଚଟ୍ଟଗ୍ରାମ : ଅଲ୍‌ରାଉଣ୍ଡର ମେହେଦି ହାସନ୍‌ ମିରାଜ୍‌ଙ୍କ ପ୍ରଥମ ଶତକ ବଳରେ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୪୩୦ ରନ୍‌ କରି ଘରୋଇ ବାଂଲାଦେଶ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ପ୍ରଥମ ଦିବସରେ ୫ ୱିକେଟ୍‌ ଅକ୍ତିଆର କରି ସମ୍ମାନ ବାଣ୍ଟିଥିବା ଇଣ୍ଡିଜ୍‌ ଦଳ କିନ୍ତୁ ଦ୍ବିତୀୟ ଦିବସରେ ଚମକହୀନ ରହିଥିଲା। ଅଷ୍ଟମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ମେହେଦି ହାସନ୍‌ ଦମ୍‌ଦାର ଶତକ ଜମାଇଥିଲେ। ସେ ୧୬୮ ବଲ୍‌ରୁ ୧୩ ଚୌକା ସହାୟତାରେ ୧୦୩ ରନ୍‌ କରି ଶେଷ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହେବା ପୂର୍ବରୁ ଦଳୀୟ ସ୍କୋର୍‌ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଇଣ୍ଡିଜ୍‌ ପକ୍ଷରୁ ଜୋମେଲ ୱାରିକାନ୍‌ ୪ ୱିକେଟ୍‌ ନେଇ ସଫଳ ବୋଲର ରହିଥିଲେ।

ପ୍ରଥମ ଦିବସ ସ୍କୋର୍‌ ୨୪୨/୫ରୁ ଗୁରୁବାର ଖେଳିଥିବା ଘରୋଇ ଦଳ ଆଉ ୬ ରନ୍‌ ଯୋଡ଼ିବା ପରେ ଲିଟନ୍‌ ଦାସ (୩୮)ଙ୍କୁ ହରାଇଥିଲା। ପୂର୍ବ ସ୍କୋର୍‌ରେ ୪ ରନ୍‌ ଯୋଡ଼ିବା ପ‌ରେ ୱାରିକାନ୍‌ଙ୍କ ଚତୁର୍ଥ ଶିକାର ହୋଇଥିଲେ ଲିଟନ୍‌। ଏହାପରେ ସାକିବ୍‌ ଅଲ୍‌ ହାସନ୍‌ (୬୮) ପୂର୍ବଦିନ ସ୍କୋର୍‌ରେ ୨୯ ରନ୍‌ ଯୋଡ଼ି ନିଜର ୨୫ତମ ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ତେବେ ଲିଟନ୍‌ଙ୍କ ୱିକେଟ୍‌ ପତନ ପରେ କ୍ରିଜ୍‌କୁ ଆସିଥିବା ମେହେଦି ଚମତ୍କାର ବ୍ୟାଟିଂ କରିଥିଲେ। ସେ ଏକାକି ଇଣ୍ଡିଜ୍‌ ବୋଲରଙ୍କୁ ନୟାନ୍ତ କରିଥିଲେ। ତାଙ୍କୁ ମୂଲ୍ୟବାନ ସହଯୋଗ ଦେଇ ତାଇଜୁଲ ଇସ୍‌ଲାମ (୧୮) ଓ ନୟିମ୍‌ ହାସନ୍‌ (୨୪) ଦଳୀୟ ସ୍କୋର୍‌ ୪୦୦ ଟପାଇଥିଲେ। ଏକ ସମୟରେ ୧୯୩/୫ରେ ରହିଥିବା ବାଂଲାଦେଶ ମେହେଦିଙ୍କ ଶତକୀୟ ପାଳି ବଳରେ ୪୩୦ ରନ୍‌ କରିନେଇଥିଲା। ଗୁରୁବାର ଅବଶିଷ୍ଟ ୫ ୱିକେଟ୍‌ ହରାଇବା ପୂର୍ବରୁ ଘରୋଇ ଦଳ ଯୋଡ଼ିଥିବା ୧୮୮ ରନ୍‌ ମଧ୍ୟରୁ ଏକା ମେହେଦିଙ୍କ ଅବଦାନ ଥିଲା ୧୦୩।

ଜବାବରେ ଇଣ୍ଡିଜ୍‌ ବିପର୍ଯ୍ୟୟର ସାମ୍‌ନା କରିଛି। ଦ୍ବିତୀୟ ଦିବସରେ ଖେଳିଥିବା ୨୯ ଓଭର ମଧ୍ୟରେ ଭ୍ରମଣକାରୀ ଦଳ ୨ ୱିକେଟ୍‌ ହରାଇ କରିଛି ୭୫ ରନ୍‌। ଜନ୍‌ କାମ୍ପ୍‌ବେଲ୍‌ (୩) ଓ ସେୟନେ ମୋସେଲି (୨)ଙ୍କୁ ଦ୍ରୁତ ବୋଲର ମୁସ୍ତାଫିଜୁର ରହମନ୍‌ ପାଭିଲିୟନ୍‌ ପଠାଇ ଦେଇଛନ୍ତି। ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ୍‌ (୪୯) ଓ ଏନ୍‌କ୍ରୁମା ବୋନେର (୧୭) କ୍ରିଜ୍‌ରେ ରହିଛନ୍ତି। ୮ ୱିକେଟ୍‌ ହାତରେ ଥାଇ ଇଣ୍ଡିଜ୍‌ ଏବେ ବି ୩୫୫ ରନ୍‌ ପଛରେ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି ୧୫୦.୨ ଓଭରରେ ୪୩୦ (ମେହେଦି ହାସନ୍‌ ମିରାଜ-୧୦୩, ସାକିବ୍‌ ଅଲ୍‌ ହାସନ୍‌-୬୮, ସଦ୍‌ମନ ଇସ୍‌ଲାମ-୫୯, ମୁସ୍‌ଫିକର ରହିମ୍‌-୩୮, ଲିଟନ ଦାସ-୩୪, ଜୋମେଲ ୱାରିକାନ୍‌-୪/୧୩୩, ରୋଭ୍‌ମନ ପାୱେଲ-୨/୧୧୪), ‌କେମାର ରୋଚ୍‌-୧/୬୦, ସାନନ୍‌ ଗାବ୍ରିଏଲ୍‌-୧/୬୯, ଏନ୍‌ ବୋନେର-୧/୧୬)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୨୯ ଓଭରରେ ୭୫/୨ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୪୯*, ଏନ୍‌ ବୋନେର-୧୭*, ମୁସ୍ତାଫିଜର ରହମନ୍‌-୨/୧୮)।

ସମ୍ବନ୍ଧିତ ଖବର