ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇ ଦେଇଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦଳପାଇଁ ଏହି ଛୋଟ ସ୍କୋର ବି କଷ୍ଟକର ହୋଇଯାଇଥିଲା । ଏପରିକି ଦଳ ୧୩୬ ରନରେ ୯ ଓ୍ବିକେଟ ହରାଇ ନିଶ୍ଚିତ ପରାଜୟକୁ ଅପେକ୍ଷା କରିଥିବାବେଳେ ମେହେଦି ହସନ ମିରାଜଙ୍କ ଲଢୁଆ ବ୍ୟାଟିଂ ସବୁକିଛି ଓଲଟ ପାଲଟ କରିଦେଇଥିଲା । ସେ ୩୮ ରନ କରି ଦଳ ପାଇଁ ଏକ ଅସମ୍ଭବ ମ୍ୟାଚକୁ ସମ୍ଭବ କରିଦେଇଥିଲେ । ଅବଶ୍ୟ ଶେଷ, ବେଳକୁ ଭାରତୀୟ ଖେଳାଳିଙ୍କ ଖରାପ ଫିଲଡିଂ ତାଙ୍କୁ ସହାୟକ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି, କୁଳଦୀପ ସେନ ଓ ଓ୍ବାସିଂଟନ ସୁନ୍ଦର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ୪୯ ରନରେ ୩ ଓ୍ବିକେଟ ହରାଇ ସଂଘର୍ଷ କରୁଥିବାବେଳେ କେଏଲ ରାହୁଲ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରାହୁଲ ୭୩ ରନ ଓ ଆୟର ୨୪ ରନ କରିଥିଲେ । କିନ୍ତୁ ଆୟର ଆଉଟ ହେବା ପରେ ଭାରତର ପୁଣି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଫଳରେ ଭାରତ ୪୧.୨ ଓଭରରେ ମାତ୍ର ୧୮୬ ରନ କରି ଅଲଆଉଟ ହୋଇଯାଇଥିଲା ।

ବାଂଲାଦେଶ ତରଫରୁ ସକିବୁଲ ହସଲ ୫ଟି ଓ ଇବାଦତ ହୁସେନ ୪ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର