ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା: ଷ୍ଟିର୍ଲିଂଙ୍କ ଶତକ ବେକାର, ବାଂଲାଦେଶଠୁ ହାରିଲା ଆୟର୍ଲାଣ୍ଡ

ଡବ୍‌ଲିନ୍‌: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ବୁଧବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଆୟୋଜକ ଆୟର୍ଲାଣ୍ଡ ୬ ୱିକେଟ୍‌ରେ ବାଂଲାଦେଶଠୁ ହାରି ଯାଇଛି। ଫଳରେ ଆୟର୍ଲାଣ୍ଡ ବିଜୟ ଶୂନ୍ୟ ରହି ଅଭିଯାନ ‌ଶେଷ କରିଛି। ପୂର୍ବରୁ ଫାଇନାଲ୍‌ ସ୍ଥାନ ପକ୍କା କରିଥିବା ବାଂଲାଦେଶ-ୱେଷ୍ଟ୍‌ଇଣ୍ଡିଜ୍‌ ଟ୍ରଫି ପାଇଁ ଶୁକ୍ରବାର ମୁହାଁମୁହିଁ ହେ‌େବ‌। ବୁଧବାର ଟସ୍‌ ଜିତି ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ପଲ୍‌ ଷ୍ଟିର୍ଲିଂ (୧୩୦, ୧୪୧ ବଲ୍‌, ୮ ଚୌକା, ୪ ଛକା)ଙ୍କ ଶତକ ଏବଂ ଅଧିନାୟକ ୱିଲିୟମ ପୋର୍ଟରଫିଲ୍ଡ (୯୪, ୧୦୬ ବଲ୍‌, ୭ ‌ଚୌକା, ୨ ଛକା)ଙ୍କ ଅର୍ଧଶତକ ବଳରେ ୮ ୱିକେଟ୍‌ ବିନିମୟରେ ୨୯୨ ରନ୍‌ କରିଥିଲା। ବାଂଲାଦେଶର ଅବୁ ଜୟେଦ ୯-୦-୫୮-୫ର ବୋଲିଂ ସଫଳତା ପାଇଥିଲେ। ୫୯/୨ରେ ସଂଘର୍ଷ କରୁଥିବା ଆୟର୍ଲାଣ୍ଡ ପାଇଁ ଷ୍ଟିର୍ଲିଂ ଓ ପୋର୍ଟରଫିଲ୍ଡ ଯୋଡ଼ି ୧୭୪ ରନ୍‌ ଭାଗୀଦାରି କରି ବାଂଲ‌ାଦେଶ ସମ୍ମୁଖରେ ୨୯୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା।

ଜବାବରେ ବାଂଲାଦେଶ ୪ ୱିକେଟ୍‌ ହରାଇ ୭ ଓଭର ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ବାଂଲାଦେଶର ୩ ଜଣ ବ୍ୟାଟ୍ସମ୍ୟାନ୍‌ ଲିଟନ ଦାସ (୭୬, ୬୭ ବଲ୍‌, ୯ ଚୌକା, ୧ ଛକା), ତମିମ ଇକ୍‌ବାଲ୍‌ (୫୭, ୫୩ ବଲ୍‌, ୯‌ ଚୌକା) ଏବଂ ସକିବ ଅଲ୍‌ ହାସନ (୫୦, ୫୧ ବଲ୍‌, ୪ ଚୌକା) ଅର୍ଧଶତକ ହାସଲ କରିଥିଲେ। ମୁସ୍‌ଫିକର ରହିମ ୩୫ ଏବଂ ମହମ୍ମୁଦ୍‌ଲା ଅପରାଜିତ ୩୫ ରନ୍‌ ସଂଗ୍ରହ କରି ବାଂଲାଦେଶ ବିଜୟରେ ଅବଦାନ ରଖିଥିଲେ। ବଏଡ୍‌ ରାଙ୍କିନ୍‌ ୨ ୱିକେଟ୍‌ ପାଇଥିଲେ। ବାଂଲାଦେଶର ଏହି ଦଳଗତ ପ୍ରଦର୍ଶନ ଆଗରେ ଷ୍ଟିର୍ଲିଂଙ୍କ ଶତକୀୟ ପାଳି ଫିକା ପଡ଼ିଯାଇଥିଲା। ୫ ୱିକେଟ୍‌ ସଫଳତା ପାଇଥିବା ଅବୁ ଜୟେଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର