ପ୍ରଥମ ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକାକୁ ବାଂଲା ଝଟ୍‌କା

ଲଣ୍ଡନ: ବିପର୍ଯ୍ୟୟ ସୃଷ୍ଟିକାରୀ ବାଂଲାଦେଶ ଆଉ ଏକ ବଡ଼ ମାଛ ଶିକାର କରିଛି। ୧୨ ବର୍ଷ ତଳେ ଭାରତକୁ ପ୍ରଥମ ପର୍ଯ୍ୟାୟ (୨୦୦୭ ବିଶ୍ବକପ୍, ୱେଷ୍ଟଇଣ୍ଡିଜ୍)ରୁ ବିଦା କରିଦେଇଥିବା ଏହି ଦଳ ରବିବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଚଳିତ ବିଶ୍ବକପ୍‌ର ପ୍ରଥମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ନିଜ ନିଜ ପ୍ରଥମ ମୁକାବିଲା ହାରିବା ପରେ ବାଂଲାଦେଶ ହିଁ ଏସିଆର ବିଜୟ ମରୁଡ଼ି ଦୂର କରିଛି। ବଡ଼ ମ୍ୟାଚ୍‌ରେ ବିଫଳତା ପାଇଁ ‘ଚୋକର’ କଳଙ୍କ ବହନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ନିଜ ପ୍ରଥମ ମୁକାବିଲାରେ ଏହି ଦଳ ଆୟୋଜକ ଇଂଲଣ୍ଡଠାରୁ ୧୦୪ ରନ୍‌ର ଶୋଚନୀୟ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ରବିବାର ରାତିରେ ୨୧ ଅତିରିକ୍ତ ରନ୍ ବ୍ୟୟ କରିଥିଲା ବେଳେ ସେହି ୨୧ ରନ୍‌ରେ ହିଁ ହାରିଥିଲା। ବାଂଲାଦେଶ ନିର୍ଧାରିତ ୫୦ ଓଭରରେ ୩୩୦/୬ କରିବା ପରେ ଦକ୍ଷିଣ ଆଫ୍ରିକା ୩୦୯/୮ରେ ଅଟକି ଯାଇଥିଲା।

ଡୁ’ ପ୍ଲେସିସ୍ ବାହିନୀ ସ୍ତବ୍ଧ
୩୩୧ ରନ୍‌ର ବିଜୟ ଲକ୍ଷ୍ୟ ଯେ କୌଣସି ଦଳ ପାଇଁ କଷ୍ଟକର ହୋଇଥାଏ। ଦକ୍ଷିଣ ଆଫ୍ରିକା ମଧ୍ୟ ଏଥିରୁ ବର୍ତି ନଥିଲା। ଦଳର ପ୍ରଥମ ୬ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ ପାଇଥିଲେ। ହେଲେ ଦୃଢ଼ ଭାଗୀଦାରିର ଅଭାବ ତା’ ପାଇଁ କାଳ ହୋଇଥିଲା। ବାଂଲାଦେଶ ଦୁର୍ବଳ କ୍ଷେତ୍ରରକ୍ଷଣ କରିଥିଲା। ବାଂଲା ଖେଳାଳିମା‌ନେ ଅନ୍ୟୁନ ଚାରିଟି କ୍ୟାଚ୍ ହାତଛଡ଼ା କରିଥିଲେ। ତଥାପି ଦକ୍ଷିଣ ଆଫ୍ରିକା ଏଥିରୁ ଫାଇଦା ନେଇ ପାରି ନଥିଲା। ଠିକଣା ସମୟରେ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହି ଧାରା ୱି‌କେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି କକ୍‌ (୨୩)ଙ୍କଠାରୁ ଆରମ୍ଭ ହୋଇଥିଲା। ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୬୨) ଓ ଏଦେନ ମର୍କରାମ (୪୫) ଦ୍ବିତୀୟ ୱିକେଟ୍‌ରେ ୫୩ ରନ୍ ଯୋଡ଼ି ଠିକଣା ପଥରେ ରହିଥି‌ଲେ। ମର୍କରାମଙ୍କୁ କ୍ଲିନ୍ ବୋଲ୍ଡ କରି ସକିବ-ଅଲ-ହାସନ ବାଂଲାଦେଶକୁ ମହତ୍ବପୂର୍ଣ୍ଣ ସଫଳତା ଦେବା ପରେ ଦକ୍ଷିଣ ଆଫ୍ରିକା ଆଉ ଏକ ଭଲ ଭାଗୀଦାରି ପାଇଁ ବ୍ୟାକୁଳ ହୋଇଥିଲା। ହେଲେ ତା’ର ଏହି ଆଶା ପୂରଣ ହୋଇ ନଥିଲା। ଡୁ’ ପ୍ଲେସିସଙ୍କୁ ମେହେଦି ହାସନ ମିରାଜ୍‌ ପ୍ୟା‌ଭିଲିୟନ ଫେରାଇଥିଲେ। ମୁସ୍ତାଫିଜର ରେହମାନ (୧୦-୦-୬୭-୩)ଙ୍କ ନେତୃତ୍ବରେ ନିୟମିତ ବ୍ୟବଧାନରେ ୱି‌କେଟ୍ ନେଇ ତାରକା ଖଚିତ ଦକ୍ଷିଣ ଆଫ୍ରିକାକୁ ବାଂଲାଦେଶ କେବେ ବି ସ୍ଥିର ହେବାକୁ ଦେଇ ନଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଡେଭିଡ୍ ମିଲର (୩୮), ଭାନ ଡେର ଦୁସେନ (୪୧) ଏବଂ ଡେପି ଡୁମିନି ଦ୍ରୁତ ୪୫ ରନ୍ କରିଥିଲେ। ହେଲେ ଏହା ଶେଷରେ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା। ବାଂଲାଦେଶର ବାମହାତୀ ମଧ୍ୟମଗତି ବୋଲର ମହମ୍ମଦ ସାଇଫୁଦିନ (୮-୧-୫୭-୨) ଭାନଡେର ଦୁସେନ ଓ ଡୁମିନିଙ୍କୁ ଆଉଟ୍ କରିବା ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ସକିବ-ଅଲ-ହାସନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବାଂଲାଦେଶର ସର୍ବୋଚ୍ଚ ସ୍କୋର
ରବିବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ବାଂଲାଦେଶ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ତମିମ ଇକବାଲ (୧୬) ଓ ସୌମ୍ୟ ସରକାର (୪୨) ପ୍ରଥମ ୱିକେଟ୍‌ରେ ୬୦ ରନ୍ ଯୋଡ଼ିଥିଲେ। ତେବେ ସୌମ୍ୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସମ୍ଭବତଃ ଦକ୍ଷିଣ ଆଫ୍ରିକା ବୋଲରଙ୍କ ମନୋବଳ ଭାଙ୍ଗି ଦେଇଥିଲା। ପିଚ୍ ମୁତାବକ ବୋଲିଂ କରିବା ଅପେକ୍ଷା ସେମାନେ ସର୍ଟ ପିଚ୍ ବଲ୍ ଉପରେ ଅଧିକ ଧ୍ୟାନ ଦେଇଥିଲେ। ବାଂଲା ବ୍ୟାଟ୍ସମ୍ୟାନ୍ କିନ୍ତୁ ଏହାର ମୁକାବିଲା ସାହସ ଓ ସଫଳତାର ସହ କରିଥିଲେ। ବିଶେଷ କରି ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ସକିବ-ଅଲ୍-ହାସନ (୭୫ ରନ୍, ୮୪ ବଲ୍, ୮ ଚୌକା, ୧ ଛକା) ଓ ମୁସଫିକର ରହିମ (୭୮ ରନ୍, ୮୦ ବଲ୍, ୮ ଚୌକ) ତୃତୀୟ ୱିକେଟ୍‌ରେ ୧୪୨ ରନ୍ ଯୋଡ଼ି ବଡ଼ ସ୍କୋର ପାଇଁ ବାଟ ସଜାଡ଼ି ନେଇଥିଲେ। ଏହା ମଧ୍ୟ ବିଶ୍ବକପ୍‌ରେ ବାଂଲାଦେଶର ସର୍ବବୃହତ୍ ଭାଗୀଦାରି ଥିଲା। ଶେଷ ଆଡ଼କୁ ମହମ୍ମଦୁଲ୍ଲା (୪୬* ରନ୍, ୩୩ ବଲ୍, ୩ ଚୌକା, ୧ ଛକା) ଓ ମୋସାଦେକ ହୁସେନ (୨୬ ରନ୍, ୨୦ ବଲ୍, ୪ ଚୌକା) ବାଂଲାଦେଶକୁ ବିଶ୍ବକପ୍‌ରେ ଦ୍ବିତୀୟ ଥର ପାଇଁ ୩୦୦ ରନ୍ ପାର କରାଇ ଦେଇଥିଲେ। ମହମ୍ମଦ ମିଥୁନ ୨୧ ରନ୍‌ର ଉପଯୋଗୀ ଯୋଗଦାନ ଦେଇଥିଲେ। ସକିବ ନିଜ ୪୩ତମ ଏବଂ ମୁସଫିକର ୩୪ତମ ଦିନିକିଆ ଅର୍ଧଶତକ ଅର୍ଜନ କରିଥିଲେ। ଦଳଗତ ଭାବେ ବାଂଲାଦେଶ ରବିବାର ଏକାଧିକ କୀର୍ତ୍ତିମାନ କରିଥିଲା। ବାଂଲାଦେଶର ୩୩୦/୬ ଦିନିକିଆରେ ତା’ର ସର୍ବୋଚ୍ଚ ଦଳଗତ ସ୍କୋର ଥିଲା। ଏହି କ୍ରମରେ ବାଂଲା ବୀରମାନେ ୨୦୧୫ରେ ପାକିସ୍ତାନ ବିପକ୍ଷରେ କରିଥିବା ୩୨୯ ରନ୍ ଟପିଥିଲା। ବିଶ୍ବକପ୍‌ରେ ବି ବାଂଲାଦେଶର ଏହା ସର୍ବୋଚ୍ଚ ଦଳଗତ ସ୍କୋର ହୋଇଥିଲା। ୨୦୧୫ ବିଶ୍ବକପ୍‌ରେ ସେମାନେ ସ୍କଟଲାଣ୍ଡ ବିପକ୍ଷରେ ୩୨୨ ରନ୍ କରିଥିଲେ। ତେବେ ବିଶ୍ବକପ୍‌ରେ କୌଣସି ବଡ଼ ଦଳ ବିପକ୍ଷରେ ବାଂଲାଦେଶର ପ୍ରଥମ ୩୦୦ କିମ୍ବା ତା’ଠାରୁ ଅଧିକ ସ୍କୋର ଥିଲା।

ସମ୍ବନ୍ଧିତ ଖବର