ଦ୍ବିତୀୟ ଟ୍ବେଣ୍ଟି-୨୦ : ଜିମ୍ବାୱେକୁ ୨-୦ରେ ହରାଇଲା ବାଂଲାଦେଶ

ଢାକା : ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଘରୋଇ ବାଂଲାଦେଶ ଅତି ସହଜରେ ୯ ୱିକେଟ୍‌ରେ ଜିତି ନେଇଛି। ତା’ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି। ଢାକାରେ ଖେଳାଯାଇଥିବା ଏହି ମୁକାବିଲାରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୯ ରନ୍ କରିଥିଲା। ଦଳ ପକ୍ଷରୁ ବ୍ରେଣ୍ଡନ ଟେଲର ସର୍ବାଧିକ ୫୯ ରନ୍ କରିଥିଲେ। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ଆବଶ୍ୟକ ସମର୍ଥନ ଦେଇ ନଥିଲେ। ବାଂଲାଦେଶ ପାଇଁ ମୁସ୍ତା‌ଫିଜୁର ରେହମାନ ଓ ଅଲ୍‌ ଅମିନ ହୁସେନ ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ୧୨୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲା‌‌ଦେଶ ପାଇଁ ଲିଟନ ଦାସ ଓ ମହମ୍ମଦ ନଇମ ପ୍ରଥମ ୱିକେଟ୍‌ରେ ୭୭ ରନ୍‌ର ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ଲିଟନ ଓ ସୌମ୍ୟ ସରକାର ମିଶି ୧୫.୫ ଓଭରରେ ବାଂଲାଦେଶକୁ ବିଜୟୀ କରାଇଥିଲେ। ଲିଟନ ୬୦ ଓ ସୌମ୍ୟ ୨୦ ରନ୍ କରି ଅପରାଜିତ ରହିଥିଲେ। ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ନଇମ ୩୩ ରନ୍ କରି ଆଉଟ୍ ହୋଇଥିଲେ। ଲିଟନ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ‌‌ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର