ଟଣ୍ଟନ: ବିଶ୍ବକପ୍ରେ ବାଂଲାଦେଶ ଆଉ ଏକ ବଡ଼ ଶିକାର କରିଛି। ଦକ୍ଷିଣ ଆଫ୍ରିକା ପରେ ସୋମବାର ଦୁଇଥର ବିଜେତା ୱେଷ୍ଟଇଣ୍ଡିଜ୍କୁ ୭ ୱିକେଟ୍ରେ ପରାସ୍ତ କରିଛି। ଇଣ୍ଡିଜ୍ ୩୨୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ବାଂଲାଦେଶ ଏହାକୁ ୪୧.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବାଂଲାଦେଶ ୫ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଥିଲା। ଅନ୍ୟପକ୍ଷରେ ଇଣ୍ଡିଜ୍ ସମାନ ସଂଖ୍ୟକ ମୁକାବିଲାରୁ ତୃତୀୟ ପରାଜୟ ବରଣ କରିଥିଲା। ୩୨୨ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶକୁ ସୌମ୍ୟ ସରକାର (୨୯) ଓ ତମିମ ଇକବାଲ (୪୮) ଭଲ ଆରମ୍ଭ ଦେଇଥିଲେ। ସେଲଡନ୍ କଟରେଲ୍ ନିଜ ଫଲୋ ଥ୍ରୁ’ରେ ରନ୍ ଆଉଟ୍ କରି ତମିମଙ୍କୁ ଅର୍ଧଶତକ ଅର୍ଜନ କରିବାର ସୁଯୋଗ ଦେଇ ନଥିଲେ। ସରକାରଙ୍କୁ ଗେଲ୍ଙ୍କ ହାତରେ କ୍ୟାଚ୍ କରାଇ ରସେଲ ଯୋଡ଼ି ଭାଙ୍ଗିଥିଲେ। ତେବେ ଚଳିତ ବିଶ୍ବକପର ସର୍ବାଧିକ ରନ୍ ସଂଗ୍ରହକାରୀ ସକିବ-ଅଲ-ହାସନ (୧୨୪* ରନ୍, ୯୯ ବଲ୍ , ୧୬ ଚୌକା) ତାଙ୍କ ଚମତ୍କାର ଫର୍ମକୁ ଜାରି ରଖି ଇଣ୍ଡିଜ୍ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଲିଟନ ଦାସ (୯୪* ରନ୍, ୬୯ ବଲ୍, ୮ ଚୌକା, ୪ ଛକା)ଙ୍କ ସହ ସେ ଅସମାପ୍ତ ଚତୁର୍ଥ ୱିକେଟ୍ରେ ଯୋଡ଼ିଥିବା ୧୮୯ ରନ୍ ବଂଲାଦେଶକୁ ୫୧ ବଲ୍ ପୂର୍ବରୁ ବିଜୟୀ କରାଇଥିଲା। ସକିବ ଚଳିତ ବିଶ୍ବକପରେ ଦ୍ବିତୀୟ ଶତକ ହାସଲ କରିଥିଲେ। ଅପରାଜିତ ଲିଟନ ମାତ୍ର ୬ ରନ୍ ପାଇଁ ଶତକ ପୂରଣ କରି ପାରି ନଥିଲେ। ସକିବ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ବାଂଲାଦେଶ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ୍ ଦୁର୍ଦ୍ଧର୍ଷ କ୍ରିସ୍ ଗେଲ (୦)ଙ୍କୁ ମାତ୍ର ୬ ରନ୍ରେ ହରାଇଥିଲା। ହେଲେ ସାଇ ହୋପ୍ (୯୬), ଏଭିନ ଲୁଇସ୍ (୭୦) ଓ ସିମରନ୍ ହେଟମେୟର (୫୦)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରି ନେଇଥିଲା। ଗେଲଙ୍କ ଭଳି ଇଣ୍ଡିଜ୍ ଦଳର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ ମଧ୍ୟ ଖାତା ଖୋଲି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୂରନ ୨୫, ଅଧିନାୟକ ଜାସନ ହୋଲ୍ଡର ୩୩ ଏବଂ ଡାରେନ୍ ବ୍ରାଭୋ ୧୯ ରନ୍ କରିଥିଲେ। ବାଂଲାଦେଶର ଦୁଇ ଦ୍ରୁତ ବୋଲର ମହମ୍ମଦ ସଇଫୁଦିନ ଓ ମୁସ୍ତାଫିଜୁର ରେହମାନ ତିନିଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଅଲରାଉଣ୍ଡର ସକିବ-ଅଲ୍-ହାସନ ବ୍ୟାଟିଂ ଭଳି ବୋଲିଂରେ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ସେ ୫୪ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିଥିଲେ।