ଢାକା: ବଂଗବଂଧୁ ତଥା ଦେଶର ପ୍ରତିଷ୍ଠାତା ଜନକ ସେକ୍ ମୁଜୀବୁର ରହମନ୍ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ କ୍ରିକେଟ୍ ମ୍ୟାଚ୍ ପାଇଁ ମଙ୍ଗଳବାର ଆୟୋଜକ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଦଳ ଚୂଡାନ୍ତ କରିଛି। ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ। ଏଥିପାଇଁ ଏସିଆ ଏକାଦଶ ଦଳ ଘୋଷଣା ହୋଇଛି। ଘୋଷିତ ୧୬ ଜଣିଆ ଦଳରେ ଭାରତରୁ ୬ ଜଣ ସ୍ଥାନ ପାଇଥିଲା ବେଳେ ଶ୍ରୀଲଙ୍କା ଓ ଆଫ୍ଗାନିସ୍ତାନର ୨ ଜଣ ଲେଖାଏଁ ରହିଛନ୍ତି। ଅବଶିଷ୍ଟ ୬ ଖେଳାଳିଙ୍କ ମଧ୍ୟରେ ୫ ଜଣ ଆୟୋଜକ ବାଂଲାଦେଶ ଦଳର ହୋଇଥିଲା ବେଳେ ଏକମାତ୍ର ନେପାଳୀ ଖେଳାଳି ଭାବେ ସନ୍ଦୀପ ଲାମିସାନେ ସ୍ଥାନ ପାଇଛନ୍ତି। ୬ ଭାରତୀୟଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି, ପ୍ରାରମ୍ଭକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ଓ କେଏଲ୍ ରାହୁଲ, ଦ୍ରୁତ ବୋଲର ମହମ୍ମଦ ସାମି, ଯୁବ ୱିକେଟ୍ ରକ୍ଷକ ଋଷଭ ପନ୍ତ୍ ଓ ସ୍ପିନର କୁଲ୍ଦୀପ ଯାଦବ ଅନ୍ତର୍ଭୁକ୍ତ। ତେବେ ସେହି ସମୟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଖେଳୁଥିବାରୁ ଉଭୟ କୋହଲି ଓ ରାହୁଲ୍ଙ୍କୁ ସମ୍ଭବତଃ ଗୋଟିଏ ଲେଖାଏଁ ମ୍ୟାଚ୍ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ କ୍ରିସ୍ ଗେଲ୍, ଆଲେକ୍ସ ହେଲ୍ସ, ଫାଫ୍ ଡୁପ୍ଲେସିସ୍, କିରଣ ପୋଲାର୍ଡ ଓ ଜନି ବେୟାରଷ୍ଟୋଙ୍କ ଭଳି ବ୍ୟାଟ୍ସମ୍ୟାନ୍ ବିଶ୍ବ ଏକାଦଶ ଜର୍ସିରେ ଖେଳିବେ। ବାଂଲାଦେଶ କ୍ରିକେଟ୍ ବୋର୍ଡର ସଭାପତି ନାଜ୍ମୁଲ୍ ହାସନ୍ ମଙ୍ଗଳବାର ଉଭୟ ଦଳର ଚୂଡାନ୍ତ ତାଲିକା ଘୋଷଣା କରିଥିଲେ।
ଏସିଆ ଏକାଦଶ ଦଳ: ବିରାଟ କୋହଲି, କେଏଲ୍ ରାହୁଲ୍, ଶିଖର ଧାୱନ୍, ଋଷଭ ପନ୍ତ୍, ମହମ୍ମଦ ସାମି, କୁଲ୍ଦୀପ ଯାଦବ, ଲିଟନ ଦାସ, ତମିମ ଇକ୍ବାଲ, ମୁସ୍ଫିକର ରହିମ୍, ମୁସ୍ତାଫିଜୁର ରହମନ୍, ତିସାରା ପେରେରା, ରସିଦ୍ ଖାନ୍, ଲସିତ୍ ମାଲିଙ୍ଗା, ସନ୍ଦୀପ ଲାମିସାନେ, ମୁଜୀବ୍ ଉର୍ ରହମନ୍ ଓ ମାହମଦୁଲ୍ଲା।
ବିଶ୍ବ ଏକାଦଶ ଦଳ: ଆଲେକ୍ସ ହେଲ୍ସ, କ୍ରିସ୍ ଗେଲ୍, ଫାଫ୍ ଡୁପ୍ଲେସିସ୍ (ଅଧିନାୟକ), ନିକୋଲାସ୍ ପୂରନ, ବ୍ରେଣ୍ଡନ ଟେଲର, ଜନି ବେୟାରଷ୍ଟୋ, କିରଣ ପୋଲାର୍ଡ, ଆଦିଲ ରସିଦ୍, ସେଲ୍ଡନ୍ କୋଟ୍ରେଲ, ଲୁଙ୍ଗି ଏନ୍ଗିଡ଼ି, ଆଣ୍ଡରୁ ଟାଇ ଓ ମିଚେଲ ମ୍ୟାକ୍ଲିନାଘାନ।