ନୂଆଦିଲ୍ଲୀ: ଦ୍ବିତୀୟ ଟ୍ବେଣ୍ଟି-୨୦ରେ ବାଂଲାଦେଶକୁ ୮୬ ରନ୍ରେ ପରାସ୍ତ କରି ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ଭାରତର ୨୨୧/୯ ସ୍କୋରକୁ ପିଛା କରି ବାଂଲାଦେଶ ନିମୟିତ ଅନ୍ତରାଳରେ ୱିକେଟ୍ ହରାଇବା ସହ ୯ ୱିକେଟ୍ ବିନିମୟରେ ୧୩୫ ରନ୍ରେ ଅଟକି ଯାଇଥିଲା। ବିଦାୟୀ ଶୃଙ୍ଖଳା ଖେଳୁଥିବା ମହମ୍ମଦୁଲ୍ଲା (୪୧) ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ନୀତୀଶ (୭୪ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଶୃଙ୍ଖଳାର ଶେଷ ମ୍ୟାଚ୍ ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ପ୍ରଥମ ମ୍ୟାଚ୍କୁ ଭାରତ ଏକତରଫା ଭାବେ ୭ ୱିକେଟ୍ରେ ଜିତିଥିଲା।
ବୁଧବାର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ବାଂଲାଦେଶ ବିପକ୍ଷରେ ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର ରେକର୍ଡ କରିଥିଲା। ସଂଜୁ ସାମ୍ସନ୍ (୧୦) ଓ ଅଭିଷେକ ଶର୍ମା (୧୫) ଶୀଘ୍ର ଆଉଟ୍ ହୋଇଯାଇଥିଲା ବେଳେ ଅଧିନାୟକ ସୂର୍ଯ୍ୟକୁମାର ୟାଦବ (୮) ନିରାଶ କରିଥିଲେ। ପାୱାରପ୍ଲେ ଭିତରେ ଭାରତ ୩ ୱିକେଟ୍ ହରାଇବା ପରେ ନୀତୀଶ ଓ ରିଙ୍କୁ ସିଂହ ମଙ୍ଗ ସମ୍ଭାଳିଥିଲେ। ଚତୁର୍ଥ ୱିକେଟ୍ରେ ୪୯ ବଲ୍ରୁ ୧୦୮ ରନ୍ର ଭାଗୀଦାରି ଗଢ଼ି ଦଳକୁ ୧୪ ଓଭର ବେଳକୁ ୧୫୦ ରନ୍ ପାଖରେ ପହଞ୍ଚାଇ ଦେଇଥିଲେ। ଦ୍ବିତୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ନୀତୀଶ ତାଙ୍କ ବିସ୍ଫୋରକ ପାଳି ଭିତରେ ୩୪ ବଲ୍ରୁ ୪ ଚୌକା ଓ ୭ ଛକା ସହାୟତାରେ ୭୪ ରନ୍ ସଂଗ୍ରହ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା (୩୨)ଙ୍କୁ ସାଥୀ କରି ରିଙ୍କୁ (୫୩ ରନ୍, ୨୯ ବଲ୍, ୫ଚୌକା, ୩ଛକା) ଦ୍ରୁତ ଖେଳିବା ସହ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଶେଷ ଓଭରରେ ରିସଦ ହୋସେନ୍ ଗୋଟିଏ ଲେଖାଏଁ ବଲ୍ ବ୍ୟବଧାନରେ ୩ ୱିକେଟ୍ (ପାଣ୍ଡ୍ୟା, ବରୁଣ, ଅର୍ଶଦୀପ) ଖସାଇଥିଲେ ମଧ୍ୟ ଭାରତ ସେତେବେଳେକୁ ବଡ଼ ସ୍କୋର କରିସାରିଥିଲା। ତସ୍କିନ୍ ଅହମଦ, ତାଞ୍ଜିମ୍ ହାସନ ଓ ମୁସ୍ତାଫିଜୁର ରହମାନ ପ୍ରତ୍ୟେକ ୨ ୱିକେଟ୍ ଲେଖାଏଁ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୨୧/୯ (ନୀତୀଶ କୁମାର ରେଡ୍ଡୀ-୭୪, ରିଙ୍କୁ ସିଂହ-୫୩, ହାର୍ଦିକ ପାଣ୍ଡ୍ୟା-୩୨, ରିସାଦ ହୋସେନ୍-୩/୫୫, ତସ୍କିନ ଅହମଦ-୨/୧୬)। ବାଂଲାଦେଶ ୨୦ ଓଭରରେ ୧୩୫/୯ (ମହମ୍ମଦୁଲ୍ଲା-୪୧, ପରଭେଜ୍ ହୋସେନ୍ ଇମୋନ-୧୬, ବରୁଣ ଚକ୍ରବର୍ତ୍ତୀ-୨/୧୯, ନୀତୀଶ କୁମାର ରେଡ୍ଡୀ-୨/୨୩)।