୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌: ପ୍ରଥମ ଥର ଫାଇନାଲ୍‌ରେ ବାଂଲାଦେଶ, ଟ୍ରଫି ପାଇଁ ଭାରତ ସହ ରବିବାର ଲଢ଼ିବ

ପୋଚେଫ୍‌ଷ୍ଟ୍ରୁମ୍‌: ଚଳିତ ବର୍ଷର ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ବିଜେତା ପାଇଁ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ଆସନ୍ତା ୯ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ ସେମିଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ଗତଥରର ବିଜେତା ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ବାଂଲାଦେଶ ପ୍ରଥମ ଥର ଲାଗି ବିଶ୍ବକପ୍‌ ଫାଇନାଲ୍‌କୁ ପ୍ରବେଶ କରିଛି। ମହମୁଦୁଲ ହାସନ୍‌ ଜୟଙ୍କ ଶତକୀୟ ପାଳି ହିଁ ବାଂଲାଦେଶକୁ ୩୫ ବଲ୍‌ ପୂର୍ବରୁ ଫାଇନାଲ୍‌ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛି। ଏହା ମଧ୍ୟ ବାଂଲାଦେଶ ପାଇଁ କୌଣସି ବି ଫର୍ମାଟ୍‌ରେ (ଯୁବ, ପୁରୁଷ ବା ମହିଳା) ପ୍ରଥମ ଫାଇନାଲ୍‌ ପ୍ରବେଶ। ଶୁକ୍ରବାର ସେମିଫାଇନାଲ୍‌ରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ସୋରିଫୁଲ ଇସ୍‌ଲାମ (୧୦-୨-୪୫-୩), ସମିମ ହୋସେନ୍‌ (୬-୧-୩୧-୨) ଓ ହାସନ ମୁରାଦ (୧୦-୧-୩୪-୨)ଙ୍କ ଚମତ୍କାର ବୋଲିଂ ଯୋଗୁଁ ନ୍ୟୁଜିଲାଣ୍ଡ୍‌ ପାଳି ୨୧୧/୮ରେ ସୀମିତ ରହିଥିଲା। ହ୍ବିଲର ଗ୍ରିନଲ (୭୫) ଏକମାତ୍ର ଅର୍ଧଶତକ ଜମାଇଥିଲା ବେଳେ ଲିଡ୍‌‌ଷ୍ଟୋନ (୪୪), ଲେଲ୍‌ମନ (୨୪), ହ୍ବାଇଟ୍‌ (୧୮), ଫିଲ୍‌ଡ (୧୨) ଓ ଅଧିନାୟକ ତସ୍‌କଫ୍‌ (୧୦) ଦୁଇ ଅଙ୍କ ଛୁଇଁଥିଲେ।

ଜବାବରେ ମହମୁଦୁଲଙ୍କ ୧୨୭ ବଲ୍‌ରୁ ୧୦୦ (୧୩ ଚୌକା) ରନ୍‌ ସାଙ୍ଗକୁ ତୋହିଦ୍‌ ହୃଦୟ ଓ ସାହଦତ୍‌ ହୋ‌ସେନ୍‌ଙ୍କ ୪୦ ରନ୍‌ ଲେଖାଏଁ ବଳରେ ବାଂଲାଦେଶ ୪୪.୧ ଓଭରରେ ୪ ୱିକେଟ୍‌ ବିନିମୟରେ ୨୧୫ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଯୁବ ଦିନିକିଆରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ମହମୁଦୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର