ବଂଲା‌ଦେଶ ଏକମାତ୍ର ଦେଶ ଯେଉଁଠି ଆମକୁ ସମର୍ଥନ ମିଳେନି: ରୋହିତ

ନୂଆଦିଲ୍ଲୀ: ବାଂଲଦେଶ ବିଶ୍ବର ଏକମାତ୍ର ସ୍ଥାନ ଯେଉଁଠି ଆମକୁ କୌଣସି ପ୍ରକାରେ ସମର୍ଥନ ମିଳିନଥାଏ। ଏକଦା ସେହି ଦେଶକୁ ଆଇସିସିରେ ଏକ କ୍ରିକେଟ୍‌ ଶକ୍ତି ଭାବେ ପରିଗଣିତ କରିବା‌ରେ ଭାରତ ସହାୟତା ଯୋଗାଇ ଦେଇଥିଲା ବେଳେ ସେହି ବାଂଲାଦେଶରେ ଭାରତୀୟ ଦଳକୁ କେବି ବି ସମର୍ଥନ ମିଳିନଥାଏ ବୋଲି ବାଂଲାଦେଶର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତମିମ୍‌ ଇକ୍‌ବାଲଙ୍କ ସହ ଏକ ଫେସ୍‌ବୁକ୍‌ ଲାଇଭ୍‌ ବାର୍ତାଳାପ ବେଳେ କହିଛନ୍ତି ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା। ରୋହିତଙ୍କ କହିବା କଥା ହେଲା, ଉଭୟ ଭାରତ ଓ ବାଂଲାଦେଶରେ କ୍ରିକେଟ୍‌ ପ୍ରଶଂସକଙ୍କ ପାଗଳାମି ଅଧିକ ରହିଥାଏ। ଆମେ ଯେତେବେ‌ଳେ କିଛି ବୁଲ୍‌ କରୁ ତାହାଲେ ସବୁଆଡୁ ସମାଲୋଚିତ ହେଉ। ଏହା ମଧ୍ୟ ବାଂଲାଦେଶ କ୍ଷେତ୍ରରେ ସମାନ ଘଟଣା ବୋଲି ମୁଁ ଜାଣିଛି। ପୁଣି ଆମେ ଯେତେବେଳେ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଉ ସେତେବେଳେ ବାଂଲାଦେଶରେ ପ୍ରଶଂସକମାନେ କିପରି ପ୍ରତିକ୍ରିୟା ରଖନ୍ତି ତାହା ମଧ୍ୟ ମୋତେ ଜଣା। ଏହା ଅବିଶ୍ବସନୀୟ। ଭାରତ ବିନା ଦର୍ଶକ ଗହଳିରେ ଖେଳିବାକୁ ଭଲପାଏନି। ହେଲେ ବିଶ୍ବରେ ବାଂଲାଦେଶ ଏକମାତ୍ର ସ୍ଥାନ ଯେଉଁଠାରେ କି ଆମେ ସମର୍ଥନ ପାଉନଥାଉ ବୋଲି ତମିମଙ୍କୁ ରୋହିତ କହିଛନ୍ତି।

ଆମେ ବିଶ୍ବର ଯେଉଁସ୍ଥାନକୁ ଯାଉ ସବୁଠୁ ସମର୍ଥନ ପାଉ। ହେଲେ ଏକମାତ୍ର ସ୍ଥାନ ବାଂଲାଦେଶ ଯେଉଁଠି ଆମେ ପାଇନଥାଉ। ମୁଁ ଜାଣେ ବାଂଲାଦେଶ ସମର୍ଥକ ତୁମ ପଛରେ ରହିଥାନ୍ତି। ଏବର ବାଂଲାଦେଶ ଦଳ ସଂପୂର୍ଣ୍ଣ ଭିନ୍ନ ଦଳ। ତୁମର ମଧ୍ୟ ସେହି ଦଳରେ ସ୍ବତନ୍ତ୍ର ଭୂମିକା ରହିଛି। ସମସ୍ତେ ଏକଥା କହନ୍ତି। ଆମେ ମଧ୍ୟ ୨୦୧୯ ବିଶ୍ବକପ୍‌ରେ ତୁମ ପ୍ରଦର୍ଶନକୁ ଦେଖିଛୁ ବୋଲି ବାଂଲାଦେଶ ବିପକ୍ଷରେ ସବୁବେଳେ ଦମ୍‌ଦାର ପ୍ରଦର୍ଶନ କରିଆସୁଥିବା ରୋହିତ କହିଛନ୍ତି। ବିଶେଷକରି ଆଇସିସି ପ୍ରତିଯୋଗିତାରେ ରୋହିତ ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥାନ୍ତି। ଏହି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ୨୦୧୫ ଦିନିକିଆ ବିଶ୍ବକପ୍‌, ଚାମ୍ପିଅନ୍‌ସ ଟ୍ରଫି ଏବଂ ୨୦୧୯ ଦିନିକିଆ ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ। ଆଉ ରୋହିତଙ୍କ ସେହି ସବୁ ପାଳି ବଳରେ ଭାରତ ମଧ୍ୟ ଆଇସିସି ନକ୍‌ଆଉଟ୍‌ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା। ଏସବୁ ସତ୍ତ୍ବେ ଉଭୟ ଭାରତ ଓ ବାଂଲା‌ଦେଶ ଗତ କିଛି ବର୍ଷ ଧରି କ୍ରିକେଟ୍‌ରେ ତୀବ୍ର ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛନ୍ତି। ଉଭୟ ଦେଶ ପ୍ରଶଂସକମାନେ ମଧ୍ୟ ବହୁ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତର ମୁକସାକ୍ଷୀ ରହିଛନ୍ତି।

ଉଭୟ ଦେଶ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା କିପରି ହୁଏ ତାହା ମଧ୍ୟ ଚଳିତ ବର୍ଷ ଆରମ୍ଭରେ ଆୟୋଜିତ ହୋଇଯାଇଥିବରା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବେଳେ ‌ଦେଖାଯାଇଥିଲା। ଉଭୟ ଦଳ ଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇଥିଲେ। ଫାଇନାଲ୍‌ରେ ଭାରତକୁ ପରାସ୍ତ କରି ବାଂଲାଦେଶ ମଧ୍ୟ ପ୍ରଥମ ଥର ଲାଗି କୌଣସି ବିଶ୍ବକପ୍‌ ବିଜେତା ହେବାର ଗୌରବ ବହନ କରିଥିଲା। ହେଲେ ଫାଇନାଲ୍‌ ମ୍ୟାଚ୍‌ ବେଳେ ଉଭୟ ଦଳର ଖେଳାଳିଙ୍କ ମଧ୍ୟ ବାକ୍‌ବିତଣ୍ଡା ମ୍ୟାଚ୍‌ ଶେଷରେ ଉଗ୍ର ରୂପ ଧାରଣ କରିଥିଲା। ପଡ଼ିଆ ଭିତରେ ଦୁଇ ଦଳର ଖେଳାଳି ପିଟାପିଟି ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ପରେ ଦଣ୍ଡିତ ମଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର