ବାଂଲାଦେଶ ୪-୧ରେ ଅଷ୍ଟ୍ରେଲିଆକୁ ହରାଇଲା, କଙ୍ଗାରୁ ଦଳ ୬୨ ରନ୍‌ରେ ଆଲ୍‌ଆଉଟ୍

ଶେଷ ଟ୍ବେଣ୍ଟି-୨୦ରେ ୬୦ ରନ୍‌ରେ ପରାଜିତ

ଢାକା: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ଚଳିତ ବାଂଲାଦେଶ ଗସ୍ତ ଦୁଃସ୍ବପ୍ନ ପାଲଟିଛି। ଘରୋଇ ଦଳ ବିପକ୍ଷ ପାଞ୍ଚ ଟିକିଆ ଶୃଙ୍ଖଳାକୁ ଏହି ଶକ୍ତିଶାଳୀ କ୍ରିକେଟ୍ ଦଳ ୧-୪ରେ ହାରିବାର ଲଜ୍ଜା ଜନକ ଫଳାଫଳ ପାଇଛି। ଶୃଙ୍ଖଳାରେ ୧-୩ରେ ପଛୁଆ ଥାଇ ସୋମବାର ପଞ୍ଚମ ତଥା ଶେଷ ମୁକାବିଲା ଖେଳିଥିବା କଙ୍ଗାରୁ ଦଳ ପୁଣି ଥରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୬୨ ରନ୍‌ରେ ଅଲଆଉଟ୍ ହେବାର ଆଲୋଡ଼ା ସଫଳତା ଲାଭ କରିଥିଲା। ଅନ୍ୟପକ୍ଷରେ ପୂରା ଶୃଙ୍ଖଳାରେ ଆଧିପତ୍ୟ ବିସ୍ତାର କରିବା ସହ ଘରୋଇ ମାଟିରେ ଐତିହାସିକ ସଫଳତା ଲାଭ କରିଥିଲା ବାଂଲାଦେଶ। ସେହିଭଳି ବିଶ୍ବ କ୍ରିକେଟ୍‌ର ଅନ୍ୟତମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଅଷ୍ଟ୍ରେଲିଆକୁ ଆରମ୍ଭରୁ ଶେଷ ଯାଏଁ ଘାଇଲା କରିଥିଲା।

ସୋମବାର ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ କରିଥିଲା। ଦଳ ପକ୍ଷରୁ ମହମ୍ମଦ ନଇମ ସର୍ବାଧିକ ୨୩ ରନ୍ କରିଥିଲେ। ଅଷ୍ଟ୍ରେଳିଆ ପକ୍ଷରୁ ନାଥନ ଏଲିସ୍ ଓ ଡାନ୍ କ୍ରିଷ୍ଟିଆନ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ୧୨୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ହୋଇଥିବାରୁ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ବାଂଲା ଦେଶ ବୋଲର ସମ୍ଭବତଃ ନିଜ ଜୀବନର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏପରିକି ଅଷ୍ଟ୍ରେଲିଆର ୮ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଏକ ଅଙ୍କ ଆଗକୁ ବଢ଼ିବାକୁ ଦେଇ ନଥିଲେ। କେବଳ ଅଧିନାୟକ ମାଥ୍ୟୁ ୱାଦେ (୨୨) ଓ ବେନ୍ ମ୍ୟାକଡରମଟ୍ (୧୭) ଦୁଇ ଅଙ୍କ ଛୁଇଁଥିଲେ। ଫଳରେ ଅଷ୍ଟ୍ରେଲିଆ ୧୩.୪ ଓଭରରେ ମାତ୍ର ୬୨ ରନ୍‌ରେ ଶେଷ ହୋଇଯାଇଥିଲା। ବାଂଲାଦେଶ ପକ୍ଷରୁ ସକିବ-ଅଲ୍-ହାସନ ସର୍ବାଧିକ ୪ ଏବଂ ମହମ୍ମଦ ସୈଫଉଦ୍ଦିନ ୩ ୱିକେଟ୍ କରାୟତ୍ତ କରିଥିଲେ। ନାସୁମ ଅହମ୍ମଦ ୨ ୱିକେଟ୍ ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୨୨/୮ (ମହମ୍ମଦ ନଇମ ୨୩, ମହମ୍ମଦୁଲ୍ଲା ୧୯, ସୌମ୍ୟ ସରକାର ୧୬, ନାଥନ ଏଲିସ୍ ୨/୧୬, ଡାନ୍ କ୍ରିଷ୍ଟିଆନ୍ ୨/୧୭)। ଅଷ୍ଟ୍ରେଲିଆ ୧୩.୪ ଓଭରରେ ୬୨ ( ମାଥ୍ୟୁ ୱାଦେ ୨୨, ବେନ୍ ମାକଡରମଟ୍ ୧୭, ସକିବ-ଅଲ୍-ହାସନ ୪/୯, ମହମ୍ମଦ ସୈଫଉଦ୍ଦିନ ୩/୧୨, ନାସୁମ ଅହମ୍ମଦ ୨/୯)।

ସମ୍ବନ୍ଧିତ ଖବର