ଜିମ୍ବାୱେକୁ ୨୨୦ ରନ୍‌ରେ ହରାଇଲା ବାଂଲାଦେଶ

ହରାରେ: ଏଠା‌ରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ୍‌ରେ ଘରୋଇ ଜିମ୍ବାୱେକୁ ୨୨୦ ରନ୍‌ରେ ପରାସ୍ତ କରିଦେଇଛି ବାଂଲାଦେଶ। ଜିମ୍ବାୱେ ସମ୍ମୁଖରେ ୪୭୭ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ରବିବାର ପଞ୍ଚମ ତଥା ଶେଷ ଦିବସରେ ଭ୍ରମଣକାରୀ ଦଳର ମେହିଦି ହାସନ୍‌ (୪/୬୬) ଓ ତସ୍‌କିନ୍‌ ଅହମ୍ମଦ (୪/୮୨)ଙ୍କ ପ୍ରଭାବୀ ବୋଲିଂ ନିକଟରେ ତିଷ୍ଠିନପାରି ଘରୋଇ ଦଳର ଦ୍ବିତୀୟ ପାଳି ୨୫୬ ରନ୍‌ରେ ଶେଷ ହୋଇଯାଇଥିଲା। ଫଳରେ ୨୨୦ ରନ୍‌ର ବଡ଼ ବ୍ୟବଧାନ ପରାଜୟ ବରଣ କଲା। ଅଧିନାୟକ ବ୍ରେଣ୍ଡନ ଟେଲର (୯୨) ଓ ଡୋନାଲ୍‌ଡୋ ତିରିପାନୋ (୫୨)ଙ୍କ ଅର୍ଦ୍ଧଶତକ ପରାଜୟ ଏଡ଼ାଇବାକୁ ଯଥେଷ୍ଟ ହୋଇନଥିଲା। ଶେଷ ବ୍ୟାଟ୍‌ସମ୍ୟାନ୍‌ ରିଚାର୍ଡ ଏନ୍‌ଗାରାଭୋ (୧୦)ଙ୍କୁ ବୋଲ୍‌ଡ କରି ମେହିଦି ହାସନ୍‌ ବଂଲାଦେଶର ବିଜୟ ମୁଣ୍ଡି ମାରିଥିଲେ। ସେ ଏହି ମ୍ୟାଚ୍‌ରେ ମୋଟ ୯ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଉଭୟ ସାକିବ୍‌ ଅଲ୍‌ ହାସନ୍‌ ଓ ତସ୍‌କିନ୍‌ ଅହମ୍ମଦ ୫-୫ ୱିକେଟ୍‌ ପାଇଥିଲେ। ପ୍ରଥମ ପାଳିରେ ଅପରାଜିତ ୧୫୦ ରନ୍‌ କରିଥିବା ମହମୁଦୁଲା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପ୍ରଥମ ପାଳି ଭଳି ଘରୋଇ ଦଳ ଦ୍ବିତୀୟ ପାଳିରେ ମଧ୍ୟ ଭଲ ଆରମ୍ଭ ପାଇଥିଲା। ଏକ ସମୟରେ ୧୧୦/୦ ଏବଂ ୧୫୯/୩ରେ ଥିବା ଏହି ଦଳ ପରବର୍ତୀ ୯୭ ରନ୍ ମଧ୍ୟରେ ୭ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ବ୍ଲେସିଂ ମୁଜାରବାନି (୩୦*) ଓ ଡିଅନ୍‌ ମୀର୍‌ସ (୨୬)ଙ୍କ ସ୍ବଳ୍ପ ଅବଦାନ ସତ୍ତ୍ବେ ଦଳ ୯୪.୪ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ବାଂଲାଦେଶ ୪୬୮ ଓ ଦ୍ବିତୀୟ ପାଳିରେ ୨୮୪/୧ରେ ଘୋଷଣା କରିଥିଲା ବେଳେ ଜିମ୍ବାୱେ ପ୍ରଥମ ପାଳି ୨୭୬ରେ ସଫା ହୋଇଯାଇଥିଲା।

ସମ୍ବନ୍ଧିତ ଖବର