କଲମ୍ବୋ: ଶ୍ରୀଲଙ୍କାର ଆର୍ ପ୍ରେମଦାସା ଷ୍ଟାଡିୟମରେ ଭାରତ ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ଭେଟିଛି। ତ୍ରିରାଷ୍ଟ୍ରୀୟ ନିଦାହାସ ଟ୍ରଫିର ଟି-୨୦ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି।
ପ୍ରଥମ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ସହଜରେ ପରାସ୍ତ କରିଥିଲା। କିନ୍ତୁ ଗୁରୁବାର ଶ୍ରୀଲଙ୍କାର ୨୧୪ ରନ୍ ଆହ୍ଵାନକୁ ତୁଛ କରି ଦେଇଥିବା ବାଂଲାଦେଶର ମନୋବଳ ଉଚ୍ଚା ଥିବାରୁ ଭାରତ ବିପକ୍ଷ ମୁକାବିଲା ନିଶ୍ଚିତ କଡ଼ା ଟକ୍କର ହେବ ବୋଲି ବିଶ୍ୱାସ ଆସୁଛି।
ଶ୍ରୀଲଙ୍କା ବିପକ୍ଷରେ ସୋମବାର ରାତିରେ ପ୍ରତିଶୋଧମୂଳକ ବିଜୟ ସତ୍ତ୍ୱେ ଭାରତ ଆଶଙ୍କାରେ ପଡ଼ିଥିଲା। ଆଉ ଗୋଟିଏ ଦୁଇଟି ଓ୍ଵିକେଟ୍ ହରାଇଥିଲେ ଏହି ମ୍ୟାଚ୍ ନିଶ୍ଚିତ ମୁକୁଳା ହୋଇଯାଇଥାନ୍ତା। ମନୀଷ ପାଣ୍ଡେ ଓ ଦୀନେଶ କାର୍ତିକଙ୍କ ୬୮ ରନ ଭାଗୀଦାରି ଭାରତକୁ ବଞ୍ଚାଇଥିଲା। ଏବେ ଆତ୍ମବିଶ୍ୱାସୀ ବାଂଲାଦେଶ ପରୀକ୍ଷାକୁ ଭାରତ କିଭଳି ପ୍ରତିହତ କରି ଫାଇନାଲ୍ ପହଞ୍ଚିବ ମୁଖ୍ୟ କଥା ହୋଇଛି। ଉଭୟ ଦଳ ନିଜ ନିଜ ଭିତରେ ବିଶ୍ୱାସ ରଖି ଖେଳିଲେ କେହି ବି ଜିତିବାର ଦକ୍ଷତା ରଖିଛନ୍ତି।
ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଶିଖର ଧାଓ୍ଵନ ଓ ସୁରେଶ ରାଇନାଙ୍କ ଭଲ ପ୍ରଦର୍ଶନ ଦଳର ସମ୍ଭାବନାକୁ ଉଜ୍ଜୀବିତ କରିଛି। ବୋଲିଂରେ ଓ୍ଵାସିଂଟନ୍ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ ଗତିରେ ବିବିଧତା ଭରି ଦେଉଥିବାବେଳେ ସାର୍ଦୁଲ ଠାକୁର ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜୟଦେବ ଉନାଦକତ୍ ଏବଂ ବିଜୟ ଶଙ୍କର ଭଲ ସହଯୋଗୀ ଦାୟିତ୍ୱ ତୁଲାଇଥିଲେ।
ଭାରତ ଦଳ (ସମ୍ଭାବ୍ୟ): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ବିଜୟ ଶଙ୍କର, ଓ୍ଵାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍, ସାର୍ଦୁଲ ଠାକୁର, ଜୟଦେବ ଉନାଦକତ୍।
ବାଂଲାଦେଶ ଦଳ (ସମ୍ଭାବ୍ୟ): ତମିମ୍ ଇକ୍ବାଲ୍, ସୌମ୍ୟ ସରକାର, ଲିଟନ୍ ଦାସ, ମୁସଫିକର ରହିମ୍ (ଓ୍ଵିକେଟରକ୍ଷକ), ମହମ୍ମଦୁଲ୍ଲା (ଅଧିନାୟକ), ସବିର୍ ରହମାନ୍/ଆରିଫିୁଲ୍ ହକ୍, ମେହିଦି ହାସନ୍, ମୁସ୍ତାଫିଜୁର୍ ରହମାନ, ତସକିନ୍ ଅହମ୍ମଦ/ଅବୁ ଜୟଦ, ରୁବେଲ୍ ହୋସେନ୍, ନଜମୁଲ୍ ଇସ୍ଲା।