ବୁକିଙ୍କ ସହ ସଂପର୍କ ରଖି ଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ବାଂଲାଦେଶ ଅଧିନାୟକ ସକିବଙ୍କୁ ବାଂଲା କ୍ରିକେଟ୍‌ ବୋର୍ଡ ସମର୍ଥନ ଦେବ: ବାଂଲା ପ୍ରଧାନମନ୍ତ୍ରୀ

ଏମ୍‌ସିସି ବିଶ୍ବ କ୍ରିକେଟ୍‌ କମିଟିରୁ ଇସ୍ତଫା ଦେଲେ ସକିବ୍‌

ଢାକା : ବୁକିଙ୍କ ସହ ସଂପର୍କ ରଖି ଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ବାଂଲାଦେଶ ଅଧିନାୟକ ସକିବ ଅଲ୍‌ ହାସନ୍‌ଙ୍କୁ ଆଇସିସି ମଙ୍ଗଳବାର ୨ ବର୍ଷ ପାଇଁ ନିଲମ୍ବିତ କରିଛି। ହେଲେ ଅଲ୍‌ରାଉଣ୍ଡର ସକିବଙ୍କ ପଛରେ ବାଂଲା କ୍ରିକେଟ୍‌ ବୋର୍ଡ ଛିଡ଼ାହେବ ଏବଂ ତାଙ୍କୁ ସମର୍ଥନ ଯୋଗାଇଦେବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍‌ ହାସିନା କହିଛନ୍ତି। ବୁକିଙ୍କଠୁ ପାଉଥିବା ପ୍ରଲୋଭନକୁ ସେ ଦୁର୍ନୀତି ନିବାରଣ ସଂସ୍ଥା (ଏସିୟୁ)ର କୌଣସି ଅଧିକାରୀଙ୍କୁ ଜଣାଇବାରେ ବିଫଳ ହୋଇଥିବା ଏକ ଭୁଲ୍‌ ହୋଇଥାଇପାରେ। ହେଲେ ସେଥିରୁ ସେ ଶିକ୍ଷା ପାଇସାରିଛନ୍ତି ଏବଂ ଜଣେ ବିଜ୍ଞ ଖେଳାଳି ଭାବେ ଦଳକୁ ପ୍ରତ୍ୟାବର୍ତନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ୍ଷେତ୍ରରେ ତାଙ୍କୁ ବୋର୍ଡ ଏବଂ ନିଜେ ପ୍ରଧାନମନ୍ତ୍ରୀ ସହାୟତା ଯୋଗାଇଦେବେ ବୋଲି ହାସିନା କହିଛନ୍ତି। ସକିବ ଭୁଲ୍‌ କରିଛନ୍ତି ଏବଂ ସେଥିପାଇଁ ଅନୁତାପ ମଧ୍ୟ କରିଛନ୍ତି। ଅବଶ୍ୟ ଆଇସିସି ନିଷ୍ପତ୍ତି ବିରୋଧରେ ସରକାର ଅଧିକ କିଛି କରିପାରିବେନି। ମାତ୍ର ବାଂଲା କ୍ରିକେଟ୍‌ ବୋର୍ଡ ତାଙ୍କ ପଛରେ ଛିଡ଼ା ହେବ ବୋଲି ହାସିନା ପ୍ରତିଶୃତି ରଖିଛନ୍ତି। ଅନ୍ୟପକ୍ଷରେ ନିଲମ୍ବନ ସମୟ ପୂରିଯିବା ମାତ୍ରେ ସକିବଙ୍କ ପାଇଁ ଦଳର ଦ୍ବାରା ଉନ୍ମୁକ୍ତ ରହିଛି ବୋଲି ବାଂଲା ବୋର୍ଡ ପକ୍ଷରୁ କୁହାଯାଇଛି। ଆମେ ଆଶା କରୁଛୁ, ନିଲମ୍ବନ ସମୟ ପରେ ସକିବ୍‌ ଜଣେ ବିଜ୍ଞ କ୍ରିକେଟର୍‌ ଭାବେ ପ୍ରତ୍ୟାବର୍ତନ କରିବେ ଏବଂ ଆହୁରି ଅଧିକ ବର୍ଷ ବାଂଲାଦେଶ କ୍ରିକେଟ୍‌କୁ ସେବା ଯୋଗାଇଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ନିଲମ୍ବନ ସମୟ ମଧ୍ୟରେ ବୋର୍ଡ ତାଙ୍କ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ ଜାରି ରଖିବ ବୋଲି କହିଛି।

ଏମ୍‌ସିସି ବିଶ୍ବ କ୍ରିକେଟ୍‌ କମିଟିରୁ ଇସ୍ତଫା ଦେଲେ ସକିବ୍‌

ଢାକା : ଦୁର୍ନୀତିକୁ ଘଣ୍ଟ ଘୋଡାଇଥିବା ଅଭିଯୋଗରେ ଆଇସିସି ଦ୍ବାରା ୨ ବର୍ଷ ପାଇଁ ନିଲମ୍ବିତ ହୋଇଥିବା ବାଂଲା ଅଧିନାୟକ ତଥା ଶ୍ରେଷ୍ଠ ଅଲ୍‌ରାଉଣ୍ଡର ସକିବ୍‌ ଅଲ୍‌ ହାସନ୍‌ ମାରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)ର ବିଶ୍ବ କ୍ରିକେଟ୍‌ କମିଟିରୁ ଇସ୍ତଫା ଦେଇଛନ୍ତି। ଏନେଇ ଏମ୍‌ସିସି ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। ସକିବ୍‌ ୨୦୧୭ ଅକ୍ଟୋବରରେ ଏମ୍‌ସିସି କମିଟିରେ ଯୋଡ଼ି ହୋଇଥିଲେ। ସେ ମଧ୍ୟ କମିଟିର ଉଭୟ ସିଡ୍‌ନି ଓ ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଥିଲେ। କମିଟିର ପରବର୍ତୀ ବୈଠକ ୨୦୨୦ ମାର୍ଚରେ ଶ୍ରୀଲଙ୍କାରେ ବସିବାକୁ ଥିଲା ବେଳେ ସକିବ୍‌ଙ୍କ ଅନୁପସ୍ଥିତି ଦେଖିବାକୁ ମିଳିବ। ଗତ ଦୁଇ ବର୍ଷ ଧରି କମିଟିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିବା ସକିବ୍‌ଙ୍କ ଅନୁପସ୍ଥିତି ଆମ ପାଇଁ ଦୁଃଖଦାୟକ। ହେଲେ ‌ଖେଳୁଆଡ ମନୋଭାବ ପାଇଁ ଆମେ ତାଙ୍କ ଇସ୍ତଫାକୁ ସମର୍ଥନ କରୁଛୁ ଏବଂ ଏହା ହିଁ ସଠିକ୍‌ ନିଷ୍ପତ୍ତି ବୋଲି ବିଶ୍ବ କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ମାଇକ୍‌ ଗ୍ୟାଟିଂ କହିଛନ୍ତି।

ସମ୍ବନ୍ଧିତ ଖବର