ପାକିସ୍ତାନରେ ଟେଷ୍ଟ୍ ଖେଳିବାକୁ ମନା କଲା ବାଂଲାଦେଶ

ଢାକା : ଦୀର୍ଘ ୧୦ ବର୍ଷ ପରେ ଚଳିତ ବର୍ଷ ଘରୋଇ ମାଟିରେ ଟେଷ୍ଟ୍ ମ୍ୟାଚ୍ ଖେଳିବାର ସ୍ବାଦ ଚାଖିଛି ପାକିସ୍ତାନ। ୨୦୦୯ ଆତଙ୍କବାଦୀ ଆକ୍ରମଣପରଠୁ କୌଣସି ଅନ୍ତର୍ଜାତୀୟ ଦଳ କ୍ରିକେଟ୍ ଖେଳିବା ପାଇଁ ପାକିସ୍ତାନ ଯାଉନଥିଲେ। ଚଳିତବର୍ଷ ପ୍ରଥମଥର ପାଇଁ ଶ୍ରୀଲଙ୍କା ଦଳ ପାକିସ୍ତାନରେ ଟେଷ୍ଟ୍ ଶୃଙ୍ଖଳା ଖେଳିଥିଲା। ଏହି ଶୃଙ୍ଖଳା ସୂଚାରୁ ରୂପେ ପରିଚାଳନା କରିବା ସତ୍ତ୍ବେ ପାକିସ୍ତାନରେ ଟେଷ୍ଟ୍ ଖେଳିବା ପାଇଁ ମନା କରିଦେଇଛି ବାଂଲାଦେଶ। ବାଂଲାଦେଶ କ୍ରିକେଟ୍ ସଂଘର ମୁଖ୍ୟ ପରିଚାଳକ ନିଜାମୁଦ୍ଦିନ ଚୌଧୁରୀ ଏକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ପାକିସ୍ତାନରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଆମେ ପ୍ରସ୍ତୁତ। କିନ୍ତୁ ଟେଷ୍ଟ୍ ଶୃଙ୍ଖଳା ନିରପେକ୍ଷ ସ୍ଥାନରେ ଖେଳିବୁ।” ନିଜାମୁଦ୍ଦିନଙ୍କ ଏହି ବିବୃତ୍ତି ଶୁଣିବା ପରେ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। କିନ୍ତୁ ପାକିସ୍ତାନ କ୍ରିକେଟ୍ ସଂଘ(ପିସିବ)ର ଅଧ୍ୟକ୍ଷ କହିଛନ୍ତି, “ବାଂଲାଦେଶ ହେଉ କିମ୍ବା ଅନ୍ୟ ଯେକୌଣସି ଦଳ ବିପକ୍ଷରେ ହେଉ, ପାକିସ୍ତାନ ତାର ଘରୋଇ ମ୍ୟାଚ୍ ପାକିସ୍ତାନରେ ହିଁ ଖେଳିବ। ମୁଁ ବର୍ତ୍ତମାନ ବି ଆଶା ରଖିଛି ପାକିସ୍ତାନରେ ଟେଷ୍ଟ୍ ମ୍ୟାଚ୍ ଖେଳିବ ବାଂଲାଦେଶ।”

ସମ୍ବନ୍ଧିତ ଖବର