ବାଂଲାଦେଶ ଟ୍ବେଣ୍ଟି-୨୦ରେ କୋହଲିଙ୍କୁ ବିଶ୍ରାମ, ଟେଷ୍ଟ୍‌ ଦଳକୁ ଫେରି‌ଲେ କୁଲଦୀପ ଯାଦବ

ରୋହିତ ଅଧିନାୟକ, ଶିଭମ ଦୁବେଙ୍କୁ ପ୍ରଥମ ଡାକରା

ମୁମ୍ବାଇ: ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। ଦୀର୍ଘ ସମୟ ହେବ ତିନିଟି ଯାକ ଫର୍ମାଟ୍‌ରେ ଲଗାତାର ଖେଳି ଆସୁଥିବା କୋହଲିଙ୍କୁ ଚୟନକର୍ତାମାନେ ଏହି ଶୃଙ୍ଖଳାରେ ବିଶ୍ରାମ ଦେଇଛନ୍ତି। ତାଙ୍କ ସ୍ଥାନରେ ରେକର୍ଡମ୍ୟାନ୍ ରୋହିତ ଶର୍ମା ଭାରତର ନେତୃତ୍ବ ନେବେ। ପୁରୁଖା କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ଚୟନକର୍ତା ପୁଣି ଥରେ ଅଣଦେଖା କରିଛନ୍ତି। ପୂର୍ବତନ ଅଧିନାୟକ ଧୋନି ଭାରତ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରଠାରୁ ସ୍ବଘୋଷିତ ବନବାସରେ ଅଛନ୍ତି। ଏହି କାରଣରୁ ତାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଚୟନକର୍ତା ବିଚାରକୁ ନେଇ ନଥିଲେ।

କୋହଲିଙ୍କ ସ୍ଥାନ ବିଜୟ ହଜାରେ ଟ୍ରଫିରେ ଦ୍ବିଶତକ ଅର୍ଜନ କରିଥିବା କେରଳର ଯୁବ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ନେଇଛନ୍ତି। ସେପଟେ ମୁମ୍ବାଇ ଅଲରାଉଣ୍ଡର ଶିଭମ ଦୁବେ ପ୍ରଥମ ଥର ପାଇଁ ଜାତୀୟ ଦଳକୁ ଡାକରା ପାଇଛନ୍ତି। ସେ ଆହତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇଛନ୍ତି। ନିକଟରେ ଲଣ୍ଡନରେ ଅସ୍ତ୍ରୋପଚାର କରାଇଥିବାରୁ ପାଣ୍ଡ୍ୟା ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି। ଦିଲ୍ଲୀର ଚର୍ଚିତ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ ନିଜ ସ୍ଥାନ ବଜାୟ ରଖିଛନ୍ତି। ପନ୍ତ ଶୃଙ୍ଖଳାରେ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ରହିବେ। ସାମସନ୍ ସଂରକ୍ଷିତ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବେ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ୪ ଏବଂ ୧୯ ରନ୍ କରିବା ସତ୍ତ୍ବେ ଚୟନକର୍ତା ପନ୍ତଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି। ‌ଦଳ ଘୋଷଣା ପୂର୍ବରୁ କୋହଲି ବିସିସିଆଇର ନବନିର୍ବାଚିତ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଭେଟିବାକୁ ଇଚ୍ଛା ଜାହିର କରିଥିଲେ। ଟ୍ବେଣ୍ଟି-୨୦ରୁ ବିଶ୍ରାମ ନେଉଥିଲେ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରେ ସେ ଖେଳିବେ ବୋଲି ଏହା ପରେ ସଙ୍କେତ ଦେଇଥିଲେ। ନଭେମ୍ବର ୧୪ରୁ ଆରମ୍ଭ ହେଉଥିବା ଟେଷ୍ଟ୍‌ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ଗୋଟିଏ ପରିବର୍ତନ କରାଯାଇଛି। ରାଞ୍ଚି ଟେଷ୍ଟ୍‌ରେ ପଦାପର୍ଣ କରିଥିବା ଝାଡ଼ଖଣ୍ଡ ସ୍ପିନର ଶାହବାଜ ନଦୀମଙ୍କ ସ୍ଥାନରେ କୁଲଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଆଘାତ ଜନିତ ସମସ୍ୟା ପାଇଁ କୁଲଦୀପ ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟ୍‌ରୁ ବାଦ ପଡ଼ିଥିଲେ।

ଟ୍ବେଣ୍ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ସଞ୍ଜୁ ସାମସନ୍, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ୱାସିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିଭମ ଦୁବେ, ସାଦୁର୍ଲ ଠାକୁର।

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ଶାହ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁବମନ ଗିଲ, ଋଷବ ପନ୍ତ।

ସ୍କୁଲ କ୍ରିକେଟ୍‌ରୁ ଜାତୀୟ ଦଳ
ଭାରତୀୟ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ଶିଭମ ଦୁବେ ମୁମ୍ବାଇ ପକ୍ଷରୁ ରଣଜୀ ଖେଳନ୍ତି। ୨୦୧୭ରେ କର୍ଣ୍ଣାଟକ ବିପକ୍ଷରେ ସେ ନିଜ ପ୍ରଥମ ଶ୍ରେଣୀ ଅଭିଯାନ ଆରମ୍ଭ କରିଥିଲେ। ବାମହାତୀ ବ୍ୟାଟିଂ ସହ ଡାହାଣ ହାତୀ ସ୍ପିନ୍ ‌ବୋଲିଂ କରୁଥିବା ୨୬ ବର୍ଷୀୟ ଶିଭମ ୧୬ ପ୍ରଥମ ଶ୍ରେଣୀ, ୩୫ ଲିଷ୍ଟ ଏ’ ଏବଂ ୧୯ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୬ ଫୁଟ ଉଚ୍ଚତା ଏବଂ ବଳିଷ୍ଠ ଚେହେରାର ଅଧିକାରୀ ଶିଭମ ୨୦୧୮ର ମୁମ୍ବାଇ ଟ୍ବେଣ୍ଟି-୨୦ ଲିଗ‌୍‌ରେ ଅଭିଜ୍ଞ ସ୍ପିନର ପ୍ରବୀଣ ତାମ୍ବେଙ୍କୁ ଲଗାତାର ପାଞ୍ଚଟି ଛକା ମାରି ପ୍ରଥମ ଥର ପାଇଁ ଚର୍ଚାକୁ ଆସିଥିଲେ। ସେହିବର୍ଷର ଡିୱାଇ ପାଟିଲ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲରେ ଦ୍ରୁତ ୩୪ ରନ୍ କରିବା ସହ ମାତ୍ର ୧୭ ରନ୍ ଦେଇ ସେ ୩ ୱିକେଟ୍ କରାୟତ କରିଥିଲେ। ଗତ ଡିସେମ୍ବରରେ ବରୋଦା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ମଧ୍ୟ ସେ ଲଗାତାର ପାଞ୍ଚଟି ଛକା ମାରିଥିଲେ। ପରଦିନ ବେଙ୍ଗାଲୁରୁ ରୟାଲ ଚାଲେଞ୍ଜର୍ସ ଆଇପିଏଲ୍ ଦଳ ତାଙ୍କୁ ପାଞ୍ଚ କୋଟି ଟଙ୍କାରେ କିଣିଥିଲା। ତେବେ ଶିଭମ ଚଳିତ ବର୍ଷର ଆଇପିଏଲ୍‌ରେ ମାତ୍ର ଚାରିଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ବିଦ୍ୟାଳୟସ୍ତରରେ ହଂସରାଜ ମୋରାଜୀ ସ୍କୁଲର ପ୍ରତିନିଧିତ୍ବ କରୁଥିଲେ ଶିଭମ। ଏହି ବିଦ୍ୟାଳୟକୁ ୧୪ ବର୍ଷରୁ କମ୍‌ ଜାଇଲ୍ସ ସିଲ୍ଡ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ବ୍ୟକ୍ତିଗତ କାରଣ ପାଇଁ ପାଞ୍ଚ ବର୍ଷ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଶିଭମ କୌଣସି କ୍ରିକେଟ୍ ‌ଖେଳି ନଥିଲେ। ହେଲେ ୨୦ ବର୍ଷ ବୟସରେ ପୁଣି ଥରେ କ୍ରିକେଟ୍‌କୁ ଫେରି ମୁମ୍ବାଇ ରଣଜୀ ଦଳରେ ସେ ନିଜ ସ୍ଥାନ ପକ୍କା କରି ନେଇଥିଲେ।

ସମ୍ବନ୍ଧିତ ଖବର