କ୍ରାଏଷ୍ଟ୍‍ଚର୍ଚ୍ଚ ମସ୍‌ଜିଦ୍‌ରେ ଗୁଳିକାଣ୍ଡ ପରେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ନ୍ୟୁଜିଲାଣ୍ଡ ଗସ୍ତ ବାତିଲ, କାଲି ହୋଇଥାନ୍ତା ମ୍ୟାଚ୍‌

ୱେଲିଂଟନ୍‌: ନ୍ୟୁଜିଲାଣ୍ଡର ଏକ ମସ୍‌ଜିଦ୍‌ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଆକ୍ରମଣ ପରେ କ୍ରାଏଷ୍ଟ୍‍ଚର୍ଚ୍ଚ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏହି ଆକ୍ରମଣ ଘଟଣାରେ ପାଖାପାଖି ୫୦ ଜଣଙ୍କର ମୃତ୍ୟୁ ଘଟିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ (ଏନ୍‌ଜେଡସି) ବାଂଲାଦେଶ ସହିତ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଏବଂ ଶୃଙ୍ଖଳାକୁ ବାତିଲ କରି ଦେଇଛି। ଏଠାରେ ଶନିବାର (ମାର୍ଚ୍ଚ ୧୬)ରେ ମ୍ୟାଚ୍‌ ଆୟୋଜନ ହେବାର ଥିଲା। ଏହା ବାଂଲାଦେଶ ଟିମ୍‌ର ନ୍ୟୁଜିଲାଣ୍ଡ ଗସ୍ତରେ ଶେଷ ମ୍ୟାଚ୍‌ ଥିଲା। ବାଂଲାଦେଶ ଏହି ଗସ୍ତରେ ଦିନିକିଆ ଶୃଙ୍ଖଳା ପରେ ୨ଟି ଟେଷ୍ଟ ମ୍ୟାଚ୍‌ ହାରିସାରିଥିଲା।

ନ୍ୟୁଜିଲାଣ୍ଡରେ କ୍ରାଏଷ୍ଟଚର୍ଚ୍ଚର ୨ଟି ମସ୍‌ଜିଦ୍‌ରେ ଶୁକ୍ରବାର ଆତଙ୍କବାଦୀମାନେ କ୍ରମାଗତ ଭାବରେ ଗୁଳି କରିଥିଲେ। ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ସଦସ୍ୟ ଏହି ଘଟଣାରୁ ଭାଗ୍ୟବଶତଃ ବଂଚିଯାଇଛନ୍ତି। ଟିମ୍‌ର କିଛି ଖେଳାଳି ନମାଜ ଅଦା କରିବାକୁ ଅଲ୍‌ ନୁର୍‌ ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିବାକୁ ଯାଇଥିଲେ। ମାତ୍ର ଏହା ପୂର୍ବରୁ ଗୁଳିକାଣ୍ଡ ହୋଇ ଯାଇଥିଲା। ବାଂଲାଦେଶୀ କ୍ରିକେଟରମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ଫଳରେ ସେମାନେ ନିଜ ନିଜ ଜୀବନକୁ ସୁରକ୍ଷା ଦେଇ ନାରିଛନ୍ତି। ସ୍ଥାନୀୟ ଗଣାମାଧ୍ୟମର ରିପୋର୍ଟ ଅନୁସାରେ ଗୁଳିକାଣ୍ଡ ସମୟରେ ମସ୍‌ଜିଦ୍‌ ନିକଟରେ ପାଖାପାଖି ୪୦୦ ଲୋକ ଉପସ୍ଥିତ ଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ସମୟରେ ଗୁଳିକାଣ୍ଡ ଘଟଣା ଘଟିଥିଲା, ସେହି ସମୟରେ ଟିମ୍‌କୁ ବସ୍‌ରୁ ଓହ୍ଲାଇବା ପାଇଁ କୁହାଯାଇଥିଲା। ବାଂଲାଦେଶୀ କ୍ରିକେଟର ଗୁଳିକାଣ୍ଡ ସମୟରେ ଜୀବନ ବିକଳରେ ଦୌଡ଼ି ପଳାଉଥିବା ଭିଡ଼ିଓ ଭାଇରାଲ ହୋଇଛି। ଏହା ପରେ ଏନ୍‌ଜେଡସି ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସହିତ ୩ୟ ଟେଷ୍ଟ ମ୍ୟାଚ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର