୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଇତିହାସ ରଚିଲା ବାଂଲାଦେଶ, ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ହେଲା ବିଶ୍ୱ ବିଜେତା

ଜୋହାନେସବର୍ଗ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବାଂଲାଦେଶ ଇତିହାସ ରଚିଛି। ଫାଇନାଲ ମ୍ୟାଚ୍‌ରେ ଭାରତକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱ ବିଜେତା ହୋଇଛି। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିଜର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଯଶସ୍ୱୀ ଜୟସ୍ୱାଲଙ୍କ ୮୮ ରନ୍‌ ବଳରେ ୪୭.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା। ଫଳରେ ବାଂଲାଦେଶକୁ ୧୭୮ ରନ୍‌ ଟାର୍ଗେଟ ମିଳିଥିଲା।

ବାଂଲାଦେଶ ୧୭୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବେଳେ ମଧ୍ୟ କ୍ରମରେ ବର୍ଷା ଆରମ୍ଭ ହେବାରୁ କିଛି ସମୟ ଖେଳକୁ ବନ୍ଦ ରଖାଯାଇଥିଲା। ପରେ ବାଂଲାଦେଶକୁ ଡିଏସ୍‌ଏଲ୍‌ ନିୟମ ଅନୁସାରେ ୪୬ ଓଭରରେ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ଏହି ଲକ୍ଷ୍ୟକୁ ଟିମ୍‌ ୪୨.୧ ଓଭରରେ ୭ଟି ଓ୍ଵିକେଟ ହରାଇ ହାସଲ କରିଥିଲା।

ବାଂଲାଦେଶ ପକ୍ଷରୁ ଓପନର ପରଭେଜ ହୁସେନ୍‌ ଇମୋନ ସର୍ବାଧିକ ୪୭ ରନ୍‌ ସଂଗ୍ରହ କରିଥିଲେ। ସେ ୭୯ଟି ବଲ ଖେଳି ୭ଟି ଚୌକା ମାରିଥିଲେ। ସେହିପରି ମଧ୍ୟ କ୍ରମର ବ୍ୟାଟସ୍‌ମ୍ୟାନ୍‌ ଆକବର ଅଲି ୭୭ଟି ବଲ ଖେଳି ୪୩ ରନ୍‌ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ଗୋଟି ଛକା ମଧ୍ୟ ମାରିଥିଲେ। ତଞ୍ଜିତ ହାସନ ୨୫ଟି ବଲ ଖେଳି ଟିମ୍‌ ପାଇଁ ୧୭ ରନ୍‌ ଯୋଡ଼ିଥିଲେ।

ତେବେ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲଙ୍କ ବ୍ୟତୀତ ଟିମ୍‌ର ଅନ୍ୟ ବ୍ୟାଟସ୍‌ମ୍ୟାନ ତିଲକ ବର୍ମା ୩୮ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିବା ବେଳେ ଧ୍ରୁବ ଜୁରେଲ ୩୮ଟି ବଲ ଖେଳି ୨୨ ରନ୍‌ ସଂଗ୍ରହ କରିଥିଲେ। ଭାରତର ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ସମ୍ବନ୍ଧିତ ଖବର