ମୀରପୁର : ବାଂଲାଦେଶ ଗସ୍ତରେ ଥିବା ଇଂଲଣ୍ଡ ଦଳ ଦ୍ବିତୀୟ ଦିନିକିଆ ଜିତି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ ୨-୦ରେ କବ୍ଜା କରିନେଇଛି। ପ୍ରଥମ ମ୍ୟାଚ୍କୁ ୩ ୱିକେଟ୍ରେ ଜିତିଥିବା ଭ୍ରମଣକାରୀ ଇଂଲଣ୍ଡ ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଘରୋଇ ବାଂଲାଦେଶକୁ ୧୩୨ ରନ୍ରେ ପରାସ୍ତ କରିଛି। ଜାସନ ରୟଙ୍କ ଶତକ ଏବଂ ସାମ କରନଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭ୍ରମଣକାରୀ ଦଳ ସହଜ ବିଜୟ ପାଇଥିଲା। ଶତକୀୟ ପାଳି ପାଇଁ ଜାସନ ରୟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସୋମବାର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭ୍ରମଣକାରୀ ଦଳ ୭ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା। ଜାସନ ରୟ (୧୩୨, ୧୨୪ ବଲ୍, ୧୮ ଚୌକା, ୧ ଛକା) ଶତକ ଓ ଅଧିନାୟକ ଜୋସ ବଟଲର (୭୬, ୬୪ ବଲ୍, ୫ ଚୌକା, ୨ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ମୋଇନ ଅଲୀ ୪୨ (୩୫ ବଲ୍, ୩ ଚୌକା, ୨ ଛକା) ଓ ସାମ କରନ୍ ୩୩ (୧୯ ବଲ୍, ୨ ଚୌକା, ୩ ଛକା) ବିସ୍ଫୋରକ ପାଳି ବଳରେ ଇଂଲଣ୍ଡ ୩୦୦ ରନ୍ ପାରି କରିଥିଲା। ବାଂଲାଦେଶର ତସ୍କିନ ଅହମଦ ୩ ଓ ମେହିଦି ହାସନ ମିରାଜ ୨ ୱିକେଟ୍ ନେଇଥିଲେ। ଜବାବରେ ବାଂଲାଦେଶ ୩ ଓଭର ମଧ୍ୟରେ ୯ ରନ୍ରେ ୩ ୱିକେଟ୍ ହରାଇ ଆରମ୍ଭରୁ ଝୁଣ୍ଟିଥିଲା। ସାମ କରନ୍ ନିଜର ପ୍ରଥମ ଦୁଇ ଓଭରରେ ଏହି ୩ ୱିକେଟ୍ ନେଇ ଘରୋଇ ଦଳକୁ ବଡ଼ ଝଟ୍କା ଦେଇଥିଲେ। ଏହାପରେ ସାକିବ ଅଲ୍ ହାସନ ୫୮, ତମିମ ଇକ୍ବାଲ ୩୫ ଓ ମହମୁଦୁଲ୍ଲା ୩୨ କିଛିଟା ଲଢ଼ିଥିଲେ ମଧ୍ୟ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲେ। କରନ୍ ଓ ଆଦିଲ ରସିଦ ୪ ଲେଖାଏଁ ୱିକେଟ୍ ନେଇଥିଲେ।