ବାଂଲାଦେଶ ଜିତିଲା ୧୯ ବର୍ଷରୁ କମ୍ ବିଶ୍ବକପ୍, ଭାରତ ଉପବିଜେତାରେ ସନ୍ତୁଷ୍ଟ

ପୋଚେଫଷ୍ଟ୍ରମ୍: ବର୍ଷା ପ୍ରଭାବିତ ତଥା ଉତ୍କଣ୍ଠାପୂର୍ଣ୍ଣ ଫାଇନାଲରେ ପାଞ୍ଚଥର ବିଜେତା ଭାରତକୁ ଡକୱର୍ଥ/ଲୁଇସ୍ ନିୟମରେ ୩ ୱିକେଟ୍‌ରେ ପରାସ୍ତ କରି ବାଂଲାଦେଶ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଜିତି ନେଇଛି। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବହୁ ଦଳୀୟ ପ୍ରତିଯୋଗିତାର ଲୋ ସ୍କୋରିଂ ଫାଇନାଲରେ ରବିବାର ଭାରତ ଏକଦା ୧୫୬ ରନ୍‌ରେ ୪ ୱିକେଟ୍ ହରାଇ ଅପେକ୍ଷାକୃତ ଭଲ ସ୍ଥିତିରେ ଥିଲା। ତେବେ ହଠାତ୍ ଅପ୍ରତ୍ୟାଶିତ ଓ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧ ରନ୍‌ରେ ପରବର୍ତୀ ୬ ୱିକେଟ୍ ହରାଇଥିଲା। ଫଳରେ ୪୭.୨ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୧୭୭ ରନ୍‌ରେ ଅଟକି ଯାଇଥିଲା। ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ବାଂଲାଦେଶ ଅନୁରୂପ ଭାବେ ୧୦୬ ରନ୍‌ରେ ୬ ୱିକେଟ୍ ହରାଇବା ସହ ଏହି ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପର୍ଭେଜ୍ ହୁସେନ ଇମନ (୪୭) ଆହତ ଅବସର ହୋଇଥିଲେ। ତେବେ ଦଳର ସ୍ଥିତି ଖରାପ ‌ହୋଇ ଚାଲିଥିବା ଦେଖି ସେ ପୁଣି ପଡ଼ିଆକୁ ଓହ୍ଲାଇଥିଲେ। ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ପୁନର୍ବାର ବ୍ୟାଟିଂ କରି ଅଧିନାୟକ ଆକବର ଅଲ୍ଲୀଙ୍କ ସହ ମିଶି ସେ ହିଁ ବାଂଲାଦେଶକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଅର୍ଧଶତକର ୩ ରନ୍ ପୂର୍ବରୁ ଅବଶ୍ୟ ଦୁର୍ଭାଗ୍ୟଜନକ ଭାବେ ନିଜ ୱିକେଟ୍ ହରାଇ ବସିଥିଲେ। ତେବେ ଅଧିନାୟକ ଆକବର (୪୩*) ପୂରା ଶାନ୍ତ ରହିବା ସହ ଏକାଗ୍ରତା ନ ହରାଇ ବାଂଲାଦେଶକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଉତ୍ଥାନ ପତନ ଭରା ବାଂଲାଦେଶ ପାଳିର ୪୧ତମ ଓଭର ପରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସେତେବେଳକୁ ବିଜୟ ପାଇଁ ଏହି ଦଳକୁ ୯ ଓଭରରୁ ୧୫ ରନ୍‌ର ଦରକାର ଥିଲା। ଅଳ୍ପ କିଛି ମିନିଟ୍ ପରେ ବର୍ଷା ଛାଡ଼ିଯାଇଥିଲା ଓ ଡକୱର୍ଥ/ଲୁଇସ୍ ନିୟମରେ ବାଂଲାଦେଶକୁ ବିଜୟ ପାଇଁ ୪୬ ଓଭରରୁ ୧୭୦ ରନ୍‌ର ପୁନଃନିର୍ଧାରିତ ଲକ୍ଷ୍ୟ ମିଳିଥିଲା। ସେଥିପାଇଁ ବିଶ୍ବ ବିଜୟୀ ହେବା ଲାଗି ତାକୁ ଶେଷ ୩୦ ବଲ୍‌ରୁ ମାତ୍ର ୭ ରନ୍‌ର ଦରକାର ଥିଲା। ଯାହାକୁ ୭ ବଲ୍ ଭିତରେ ହାସଲ କରି ଏହି ଦଳ ବିଶ୍ବକପ୍ ଜିତି ନେଇଥିଲା। ଯେ କୌଣସି ସ୍ତରୀୟ କ୍ରିକେଟ୍‌ରେ ଏହା ମଧ୍ୟ ଏହି ଏସୀୟ ଦଳର ପ୍ରଥମ ବିଶ୍ବକପ୍ ବିଜୟ ଥିଲା। ଅନ୍ୟପକ୍ଷରେ ପସନ୍ଦର ଦଳ ଭାବେ ଫାଇନାଲ୍ ଖେଳିଥିବା ଭାରତ ୩୩ ଅତିରିକ୍ତ ରନ୍ ବ୍ୟୟ କରିବା ତା’ ପାଇଁ କାଳ ହୋଇଥିଲା। ଏହା ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସ୍ବାଲଙ୍କ ଲଢ଼ୁଆ ୮୮ ରନ୍ ଭାରତ ପାଳିର ମୁଖ୍ୟ ଆକର୍ଷଣ ଥିଲା। ତାଙ୍କ ଛଡ଼ା ତିଲକ ବର୍ମା ୩୮ ଓ ଧୃବ ଜୁରେଲ ୨୨ ରନ୍ କରିଥିଲେ।

ପୂର୍ବରୁ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ବାଂଲାଦେଶ ବୋଲର ସକାଳୁଆ ପାଗର ପୂରା ଫାଇଦା‌ ଉଠାଇଥିଲେ। ସେମାନେ ୭ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଏକ ଅଙ୍କ ଆଗକୁ ବଢ଼ିବାକୁ ଦେଇନଥିଲେ। ଏହା କରି ସେମାନେ ମଧ୍ୟ ନିଜ ଦଳକୁ ବିଶ୍ବ ବିଜୟୀ କରାଇବାର ମୂଳଦୁଆ ପକାଇଥିଲେ। ଜୟସ୍ବାଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ଭାରତ ପାଇଁ ଏକମାତ୍ର ସାନ୍ତ୍ବନା ହୋଇଥିଲା। ଅନ୍ୟପକ୍ଷରେ ଆକବର ଅଲ୍ଲୀ ତାଙ୍କ ଲଢ଼ୁଆ ତଥା ଅପରାଜିତ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର