ଢାକା: ବାଂଲାଦେଶ ଗସ୍ତରେ ଥିବା ୱେଷ୍ଟ୍ଇଣ୍ଡିଜ୍ ଦଳ କ୍ରମାଗତ ଦ୍ବିତୀୟ ଦିନିକିଆ ମ୍ୟାଚ୍ ହାରିଯାଇଛି। ପ୍ରଥମ ମ୍ୟାଚ୍କୁ ୬ ୱିକେଟ୍ରେ ହାରିଥିବା ଭ୍ରମଣକାରୀ ଇଣ୍ଡିଜ୍ ଶୁକ୍ରବାର ଦ୍ବିତୀୟ ଦିନିକିଆରେ ୭ ୱିକେଟ୍ର ପରାଜୟ ବରଣ କଲା। ଫଳରେ ଶେଷ ମ୍ୟାଚ୍ ପୂର୍ବରୁ ୨-୦ର ଅଗ୍ରଣୀ ସହ ଘରୋଇ ବାଂଲାଦେଶ ଆଗୁଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜିତି ନେଇଛି। ଅଧିନାୟକ ତମିମ୍ ଇକ୍ବାଲ ଓ ଅଲ୍ରାଉଣ୍ଡର ସାକିବ୍ ଅଲ୍ ହାସନ୍ଙ୍କ ସହିତ ମେହେଦି ହାସନ୍ ମିରାଜ୍ ବାଂଲା ବିଜୟର ନାୟକ ଥିଲେ। ୨୫ ରନ୍ରେ ୪ ୱିକେଟ୍ ଅକ୍ତିଆର କରିଥିବା ମେହେଦି ହାସନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶୃଙ୍ଖଳାର ତୃତୀୟ ତଥା ଶେଷ ଦିନିକିଆ ଆସନ୍ତା ୨୫ ତାରିଖରେ ଚଟୋଗ୍ରାମରେ ଖେଳାଯିବ।
ଶୁକ୍ରବାର ଟସ୍ ଜିତି ଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ ନେଇଥିଲା। ପିଚ୍ ବ୍ୟାଟିଂ ଅନୁକୁଳ ଥିଲେ ମଧ୍ୟ ଘରୋଇ ଦଳର ଚମତ୍କାର ବୋଲିଂ ନିକଟରେ ତିଷ୍ଠି ପାରିନଥିଲା ଇଣ୍ଡିଜ୍ ଦଳ। ଏପରିକି ୬.୨ ଓଭର ପୂର୍ବରୁ ଭ୍ରମଣକାରୀ ଦଳ ୧୪୮ ରନ୍ରେ ସବୁ ୱିକେଟ୍ ହରାଇଥିଲ। ରୋଭ୍ମାନ୍ ପାୱେଲ (୪୧), ଜର୍ନ ଓଟ୍ଲେ (୨୪), ଏନ୍ ବନର୍ (୨୦), ଅଲ୍ଜେରି ଜୋସେଫ୍ (୧୭), ଅଧିନାୟକ ଜାସନ୍ ମହମ୍ମଦ (୧୧), ଅକିଲ ହୋସେନ୍ (୧୨*) ଦୁଇ ଅଙ୍କ ଟପିଥିଲେ। ମେହେଦି ହାସନ୍ଙ୍କ ୪ ବ୍ୟତୀତ ସାକିବ୍ ଅଲ୍ ହାସନ୍ ଓ ମୁସ୍ତାଫିଜୁର ରହମନ୍ ୨-୨ ୱିକେଟ୍ ଦଖଲ କରିବାରୁ ଇଣ୍ଡିଜ୍ ପାଳି ୪୩.୪ ଓଭରରେ ସଫା ହୋଇଯାଇଥିଲା।
ଜବାବରେ ତମିମ୍ (୫୦ ରନ୍, ୭୬ ବଲ୍, ୩ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଲିଟନ୍ ଦାସ (୨୨ ରନ୍, ୨୪ ବଲ୍, ୪ ଚୌକା), ନାଜ୍ମୁଲ୍ ହୋସେନ୍ ସାଣ୍ଟୋ (୧୭ ରନ୍, ୨୬ ବଲ୍, ୨ ଚୌକା), ସାକିବ୍ (୪୩* ରନ୍, ୫୦ ବଲ୍, ୪ ଚୌକା) ଓ ମୁସ୍ଫିକର ରହିମ୍ (୯*)ଙ୍କ ବଳରେ ବାଂଲାଦେଶ ୩୩.୨ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।