ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ବାଂଲାଦେଶ

ସାକିବ୍‌ ହେଲେ ସର୍ବାଧିକ ୱିକେଟ୍‌ ହାସଲକାରୀ

ଚଟ୍ଟୋଗ୍ରାମ : ଦିନିକିଆ ପରେ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିନେଇଛି ବାଂଲାଦେଶ। ବୁଧବାର ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଘରୋଇ ବାଂଲାଦେଶ ୭୭ ରନ୍‌ରେ ଆୟର୍ଲାଣ୍ଡକୁ ହରାଇଥିଲା। ଅଧିନାୟକ ସାକିବ ଅଲ୍‌ ହାସନଙ୍କ ୫ ୱିକେଟ୍‌ ସଫଳତା ବଳରେ କେବଳ ଦଳକୁ ଶୃଙ୍ଖଳା ଜିତାଇନଥିଲେ ବରଂ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇପାରିଥିଲେ। ସେ ତାଙ୍କର ପୂର୍ଣ୍ଣ କୋଟାରୁ ୨୨ ରନ୍‌ ବ୍ୟୟ କରି ଏହି ସଫଳତା ପାଇଥିଲେ। ଏହାଫଳରେ ଟ୍ବେଣ୍ଟି-୨୦ରେ ଟିମ୍‌ ସାଉଦି (୧୩୪) ଙ୍କୁ ପଛରେ ପକାଇ ୧୩୬ ‌ୱିକେଟ୍‌ ସହ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇପାରିଛନ୍ତି।

ବର୍ଷା ବିଳମ୍ବିତ ଏହି ମ୍ୟାଚ୍‌ ୧୭ ଓଭର ବିଶିଷ୍ଟ ଖେଳାଯାଇଥିଲା। ବାଂଲାଦେଶ ୩ ୱିକେଟ୍‌ ବିନିମୟରେ ୨୦୨ ରନ୍‌ କରିଥିଲା। ଲିଟନ ଦାସ ଓ ରନି ତାଲୁକଦାର ପ୍ରଥମ ୱିକେଟ୍‌ରେ ୫୬ ବଲ୍‌ରୁ ୧୨୪ ରନ୍‌ ଭାଗୀଦାରି କରିବା ସହ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ତେବେ ଦଶମ ଓ ଦ୍ବାଦଶ ଓଭରରେ ଯଥାକ୍ରମେ ରନି (୪୪ ରନ୍‌, ୨୩ ବଲ୍‌) ଓ ଲିଟନ (୮୩ ରନ୍‌, ୪୧ ବଲ୍‌) ଆଉଟ୍‌ ହେବା ପରେ ସାକିବ୍‌ ଓ ତୋହିଦ୍‌ ହ୍ରିଦୟ (୨୪ ରନ୍‌, ୧୩ବଲ୍‌) ଦ୍ରୁତ ରନ୍‌ ସଂଗ୍ରହ କରି ଦଳକୁ ୨୦୦ ରନ୍‌ ପାଖରେ ପହଞ୍ଚାଇଥିଲେ। ସାକିବ୍‌ ୩୮ ରନ୍‌ କରି ଅପରାଜିତ ଥିଲେ। ତେବେ ଆୟର୍ଲାଣ୍ଡ ନିୟମିତ ବିପର୍ଯ୍ୟୟର ସାମ୍‌ନା କରି ୯ ୱିକେଟ୍‌ ବିନିମୟରେ ୧୨୫ ରନ୍‌ କରିପାରିଥିଲା। କେବଳ କର୍ଟିସ କାମ୍ଫର ଅର୍ଦ୍ଧଶତକ (୫୦) ଅର୍ଜନ କରିଥିଲା ବେଳେ ହାରି ଟେକ୍ଟର (୨୨) ଓ ଗ୍ରାହମ ହ୍ୟୁମି (୨୦) ଦୁଇ ଅଙ୍କ ସ୍କୋର କରିପାରିଥିଲେ। ସାକିବ୍‌ ତାଙ୍କ ଘାତକ ବୋଲିଂ ମଧ୍ୟରେ ରସ୍‌ ଆଡାୟର (୬), ଲୋର୍କାନ ଟକର (୫), ହାରି ଟେକ୍ଟର (୨୨), ଗାରେଥ ଡେଲାନି (୬) ଓ ଜର୍ଜ ଡକ୍‌ରେଲ୍‌ (୨)ଙ୍କୁ ନିଜ ସ୍ପିନ ଜାଲରେ ଫସାଇଥିଲେ। ତସ୍କିନ୍‌ ଅହମଦ ୩ ଓ ହାସନ ମହମୁଦ ୧ ୱିକେଟ୍‌ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସାକିବ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

ସମ୍ବନ୍ଧିତ ଖବର