ବାଂଲାଦେଶର ପ୍ରଥମ ବିଜୟ, ନଇମଙ୍କ ଅର୍ଦ୍ଧଶତକ

ମସ୍କଟ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏସୀୟ ଶକ୍ତି ବାଂଲାଦେଶ ପ୍ରଥମ ବିଜୟ ହାସଲ କରିଛି। ନିଜ ପ୍ରଥମ ମୁକାବିଲାରେ ଅପ୍ରତ୍ୟାଶିତ ଭାବେ ଅନିଭିଜ୍ଞ ସ୍କଟଲାଣ୍ଡଠାରୁ ହାରି ସମାଲୋଚିତ ହୋଇଥିବା ବାଂଲାଦେଶ ମଙ୍ଗଳବାର ଦ୍ବିତୀୟ ମୁକାବିଲାରେ ଅନ୍ୟତମ ନବାଗତ ଦଳ ଓମାନକୁ ୨୬ ରନ୍‌ରେ ପରାସ୍ତ କରି ଖାତା ଖୋଲିଛି। ଅନ୍ୟପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ରେ ପାପୁଆ ନ୍ୟୁଗିନିକୁ ୧୦ ୱିକେଟ୍‌ରେ ହରାଇଥିବା ଓମାନ ପରାଜିତ ହୋଇଥିଲେ ବି ନିଜ ଲଢ଼ୁଆ ପ୍ରଦର୍ଶନରେ କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତିଛି। ତେବେ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିବା ପରେ ସୁପର-୧୨ ଦ୍ବାର ଦେଶରେ ପହଞ୍ଚିବାର ସୁଯୋଗ ହରାଇଛି ଏହି ଆଇସିସି ସହଯୋଗୀ ସଦସ୍ୟ ଦେଶ। ଅନ୍ୟପକ୍ଷରେ କର ବା ମର ମ୍ୟାଚ୍‌କୁ ଜିତି ବାଲାଦେଶ ନିଜ ସୁପର-୧୨ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ମଙ୍ଗଳବାର ଓମାନ ସମ୍ମୁଖରେ ବାଂଲାଦେଶ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ଭାରତୀୟ ବଂଶୋଦ୍ଭବ ଯତୀନ୍ଦର ସିଂହଙ୍କ ଲଢ଼ୁଆ ୪୦ ରନ୍ ସତ୍ତ୍ବେ ଓମାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍‌ରେ ଅଟକି ଯାଇଥିଲା। ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ୩୬ ରନ୍ ଦେଇ ୪ ଏବଂ ଅଲରାଉଣ୍ଡର ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସକିବ-ଅଲ୍-ହାସନ ୨୮ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ।

ନଇମଙ୍କ ଅର୍ଦ୍ଧଶତକ
ବାଂଲାଦେଶ ଅଧିନାୟକ ମାହମଦୁଲ୍ଲା ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥି‌ଲେ। ହେଲେ ତାଙ୍କ ନିଷ୍ପତ୍ତିର ସମ୍ମାନ ଆପାତତଃ ବାଂଲା ବ୍ୟାଟ୍ସମ୍ୟାନ୍ ରଖିନଥିଲେ। ଓପନର ଲିଟନ ଦାସ (୬) ତୃତୀୟ ଏବଂ ମେହେଦି ହାସନ (୦) ପଞ୍ଚମ ଓଭରରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହି ଦୁଇ ଜଣଙ୍କ ବିଫଳତା ପାଇଁ ବାଂଲାଦେଶ ୬ ଓଭରର ପାୱାର ପ୍ଲେରେ ମାତ୍ର ୨୧ ରନ୍ କରିପାରିଥିଲା। ଅନ୍ୟତମ ଓପନର ମହମ୍ମଦ ନଇମ (୬୪) ଏବଂ ପୂର୍ବତନ ଅଧିନାୟକ ସକିବ-ଅଲ୍-ହାସନ (୪୨) ତୃତୀୟ ୱିକେଟ୍‌ରେ ୮୦ ରନ୍ ଯୋଡ଼ି ସ୍ଥିତି ଅନେକାଂଶରେ ସୁଧାରି ନେଇଥିଲେ। ଆକ୍ବିବ ଇଲିଆସ ଏକ ଲକ୍ଷ୍ୟଭେଦୀ ଓ ଶାଣିତ ସିଧା ଥ୍ରୋ’ରେ ସକିବଙ୍କୁ ରନ୍ ଆଉଟ୍ କରିବା ପରେ ବାଂଲାଦେଶକୁ ଓମାନ ବୋଲରମାନେ ଆଉ ବଡ଼ ଭାଗୀଦାରି କରିବାର କୌଣସି ସୁଯୋଗ ଦେଇନଥିଲେ। ଊନ୍ନବିଂଶ ଓଭରରେ ଲଗାତାର ବଲ୍‌ରେ ମୁସଫିକର ରହିମ (୬) ଓ ମହମ୍ମଦ ସୈଫଉଦ୍ଦିନ (୦)ଙ୍କୁ ଏକଦା ପାକିସ୍ତାନ ପାଇଁ ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିଥିବା ଫୟାଜ ବଟ୍ଟ ଆଉଟ୍ କରି ବାଂଲାଦେଶକୁ ରନ୍ ହାର ବଢ଼ାଇବାର ସୁଯୋଗ ଦେଇନଥିଲେ। ସେହିଭଳି ଶେଷ ଓଭରରେ ବାମହାତୀ ଦ୍ରୁତ ବୋଲର ବିଲାଲ ଖାନ୍ ପ୍ରତିପକ୍ଷ ଅଧିନାୟକ ମାହମଦୁଲ୍ଲା (୧୭) ଓ ମୁସ୍ତା‌ଫିଜୁର ରହମାନ (୨)ଙ୍କୁ ଆଉଟ୍ କରି ବାଂଲାଦେଶକୁ ଶେଷ ବଲ୍‌ରେ ହିଁ ଅଲଆଉଟ୍ କରିଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ୧୦ ୱିକେଟ୍ ବିଜୟ ହାସଲ କରିଥିବା ଅନଭିଜ୍ଞ ଓମାନ ବୋଲିଂ ବାହିନୀ ମଙ୍ଗଳବାର କରିଥିବା ପ୍ରଦର୍ଶନକୁ କ୍ରିକେଟ୍ ପଣ୍ଡିତମାନେ ପ୍ରଶଂସା ନକରି ରହିପାରିନଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୫୩ (ମହମ୍ମଦ ନଇମ ୬୪, ସକିବ-ଅଲ୍-ହାସନ ୪୨, ମାହମଦୁଲ୍ଲା ୧୭, ବିଲାଲ ଖାନ୍ ୩/୧୮, ଫୟାଜ ବଟ୍ଟ ୩/୩୦, କଲିମୁଲ୍ଲା ୨/୩୦)। ଓମାନ ୨୦ ଓଭରରେ ୧୨୭/୯ (ଯତୀନ୍ଦର ସିଂହ ୪୦, କଶ୍ୟପ ପ୍ରଜାପତି ୨୧, ମୁସ୍ତାଫିଜୁର ରହମାନ ୪/୩୬, ସକିବ-ଅଲ-ହାସନ ୩/୨୮)।

ସମ୍ବନ୍ଧିତ ଖବର