ରାୱଲପିଣ୍ଡି: ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ଲଗାତାର ଦୁଇ ଟେଷ୍ଟ୍ ଜିତି ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟର ସଫଳତା ପାଇଛି ବାଂଲାଦେଶ ଦଳ। ପାକିସ୍ତାନକୁ ଏହି ଦୁଇ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ମୂଳପୋଛ ବି କରିଛି ନମଜୁଲ ହୋେସନ୍ ସାଣ୍ଟୋଙ୍କ ଦଳ। ପାକିସ୍ତାନ ବିପକ୍ଷରେ ଏହା ପୂର୍ବରୁ ଗୋଟିଏ ବି ଟେଷ୍ଟ୍ ମ୍ୟାଚ୍ ଜିତି ନଥିବା ବାଂଲାଦେଶ ଚଳିତ ଗସ୍ତକୁ ଏକାଥରକେ ସ୍ମରଣୀୟ କରିଦେଇଛି। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଏହି ଟେଷ୍ଟ୍ ଶୃଙ୍ଖଳା ବିଜୟ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛି। ଅନ୍ୟପକ୍ଷରେ ଏକ ନିମ୍ନମାନ୍ୟତାପ୍ରାପ୍ତ ଦଳଠାରୁ ହାରି ପାକିସ୍ତାନ ଦଳ କଡ଼ା ସମାଲୋଚନାର ଶରବ୍ୟ ହୋଇଛି।
ସୋମବାର ବାଂଲାଦେଶ ସମ୍ମୁଖରେ ୧୮୫ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଭ୍ରମଣକାରୀ ବିନା କ୍ଷତିରେ ୪୨ ରନ୍ ସଂଗ୍ରହ କରିନେଇଥିଲା। ଖରାପ ଆଲୋକ ଓ ବର୍ଷା କାରଣରୁ ଚତୁର୍ଥ ଦିନ ଖେଳ ଆଗୁଆ ବନ୍ଦ ରହିଥିବାରୁ ପଞ୍ଚମ ଦିନ ଆଶା ଓ ଆଶଙ୍କା ଲାଗି ରହିଥିଲା। ତେବେ ମଙ୍ଗଳବାର ପାଗ ପ୍ରତିବଂଧକ ସାଜି ନଥିଲା। ପାକିସ୍ତାନ ବୋଲର ବି ବିଶେଷ କିଛି କରିପାରି ନଥିଲେ। ଶୀର୍ଷ ୪ ବ୍ୟାଟର୍ ଜାକୀର ହାସନ (୪୦), ନଜମୁଲ ହୋସେନ୍ ସାଣ୍ଟୋ (୩୮), ମୋମିନୁଲ ହକ୍ (୩୪), ସଦମାନ ଇସଲାମ (୨୪)ଙ୍କ ଛୋଟ ଛୋଟ ପାଳି ଦଳକୁ ବିଜୟ ଆଡ଼କୁ ନେଇଥିଲା। ଶେଷକୁ ଦୁଇ ଅଭିଜ୍ଞ ଯୋଡ଼ି ମୁସଫିକର ରହିମ୍ (୨୨*) ଓ ସକିବ୍ ଅଲ୍ ହାସନ୍ (୨୧*) ଅତୁଟ ପଞ୍ଚମ ୱିକେଟ୍ରେ ୩୨ ରନ୍ ଯୋଡ଼ି ଦଳକୁ ମଧ୍ୟାହ୍ନ ଭୋଜନ ପରେ ବିଜୟୀ କରାଇଥିଲେ। ଭ୍ରମଣକାରୀ ଦଳ ୪ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରି ନେଇଥିଲା। ପ୍ରଥମ ପାଳିରେ ନିର୍ଣ୍ଣାୟକ ଶତକ (୧୩୮) ପାଇଁ ଲିଟନ୍ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ମୋଟ ୧୫୫ ରନ୍ ଓ ୧୦ ୱିକେଟ୍ ନେଇ ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ମେହଦୀ ହାସନ୍ ମିରାଜ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୨୭୪ (ସାଇମ ଆୟୂବ-୫୮, ସାନ୍ ମାସୁଦ୍-୫୭, ସଲମାନ ଆଘା-୫୪, ମେହେଦୀ ହାସନ୍ ମିରାଜ-୫/୬୧, ତସ୍କିନ୍ ଅହମ୍ମଦ-୩/୫୭)। ବାଂଲାଦେଶ ପ୍ରଥମ ପାଳି: ୨୬୨ (ଲିଟନ୍ ଦାସ-୧୩୮, ମେହେଦୀ ହାସନ ମିରାଜ-୭୮, ଖୁରାମ ସେହଜାଦ-୬/୯୦, ସଲମା ଆଘା-୨/୧୩, ମୀର ହାମଜା-୨/୫୦)। ପାକିସ୍ତାନ ଦ୍ବିତୀୟ ପାଳି: ୧୭୨ (ସଲମାନ ଆଘା-୪୭*, ମହମ୍ମଦ ରିଜୱାନ-୪୩, ସାନ୍ ମାସୁଦ-୨୮, ହାସନ ମେହମ୍ମୁଦ-୫/୪୩, ନାହିଦ ରାଣା-୪/୪୪, ତସ୍କିନ ଅହମ୍ମଦ-୧/୪୦)। ବାଂଲାଦେଶ ଦ୍ବିତୀୟ ପାଳି: ୫୬ ଓଭରରେ ୧୮୫/୪ (ଜାକୀର ହାସନ୍-୪୦, ନଜମୁଲ ହୋସେନ୍ ସାଣ୍ଟୋ-୩୮, ମୋମିନୁଲ ହକ୍-୩୪, ସଦମାନ ଇସଲାମ-୨୪, ମୁସଫିକର ରହିମ୍-୨୨*, ସକିବ୍ ଅଲ୍ ହାସନ୍-୨୧*, ସାଲମା ଆଘା-୧/୧୭, ଖୁରାମ ସେହଜାଦ-୧/୪୦, ଆବ୍ରାର ଅହମ୍ମଦ-୧/୪୦, ମୀର ହାମଜା-୧/୪୬)।
ବାଂଲା ପାଇଁ ମଜା, ପାକ୍କୁ ଲଜ୍ଜା
ରାୱଲପିଣ୍ଡି: ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଐତିହାସିକ ଶୃଙ୍ଖଳା ବିଜୟ ପାଇଛି। ଏହି ଶୃଙ୍ଖଳାରେ ବାଂଲାଦେଶ ଏକାଧିକ କୀର୍ତ୍ତିମାନ କରିଥିଲା ବେଳେ ପାକିସ୍ତାନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ଶୃଙ୍ଖଳାରେ ସଂଖ୍ୟାର ଖେଳରେ ମଧ୍ୟ ବାଂଲାଦେଶ ଆଗୁଆ ରହିଛି।
୩: ନିଜ ଦେଶ ବାହାରେ ବାଂଲାଦେଶର ଏହା ତୃତୀୟ ଟେଷ୍ଟ୍ ଶୃଙ୍ଖଳା ବିଜୟ। ପୂର୍ବରୁ ୨୦୦୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨-୦ ରେ ଓ ୨୦୨୧ରେ ଜିମ୍ବାୱେ ସହିତ ହୋଇଥିବା ଏକମାତ୍ର ଟେଷ୍ଟ୍ରେ ବାଂଲାଦେଶ ବିଜୟୀ ହୋଇଥିଲା।
୧୦: ପାକିସ୍ତାନ ନିଜ ଘରେ ଲଗାତାର ୧୦ ଟେଷ୍ଟ୍ ମ୍ୟାଚ୍ରେ ବିଜୟ ସ୍ବାଦ ପାଇପାରିନି। ଏହାପରେ କ୍ରମାନ୍ବୟରେ ଆଉ ଗୋଟିଏ ମ୍ୟାଚ୍ରେ ପରାଜିତ ହେଲେ କିମ୍ବା ଅମୀମାଂସିତ ରଖିଲେ, ବିରଳ ମାଇଲ୍ଖୁଣ୍ଟରେ ପହଞ୍ଚିବ। ୧୯୬୯ରୁ ୧୯୭୫ ମଧ୍ୟରେ ପାକିସ୍ତାନ ୧୧ଟି ମ୍ୟାଚ୍ରେ ଲଗାତାର ବିଜୟ ଶୂନ୍ୟ ରହିଥିଲା। ଗତ ୨୫ ବର୍ଷ ଭିତରେ କେବଳ ଦୁଇଟି ଦଳ ଏପରି ଅପଯଶ ମୁଣ୍ଡାଇଛନ୍ତି। ଜିମ୍ବାୱେ ୨୦୧୩ରେ ୧୪ ଘରୋଇ ମ୍ୟାଚ୍ରେ ଏବଂ ବାଂଲାଦେଶ ୨୦୦୫ରୁ ୨୦୧୪ ଭିତରେ ୨୭ ଘରୋଇ ଟେଷ୍ଟ୍ରେ ଓ ୨୦୦୦ରୁ ୨୦୦୪ ଭିତରେ ୧୫ ଘରୋଇ ଟେଷ୍ଟ୍ ମ୍ୟାଚ୍ରେ ବିଜୟ ଶୂନ୍ୟ ରହିଥିଲା।
୪: ପ୍ରଥମେ ପାଳିରେ ଅଗ୍ରଣୀ ନେଇଥିଲେ ମଧ୍ୟ ଚତୁର୍ଥଥର ପାଇଁ ପାକିସ୍ତାନ ଘରେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ରେ ପରାଜିତ ହୋଇଛି। ରାୱଲପିଣ୍ଡିରେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ରେ ପାକିସ୍ତାନ ୧୨ ରନ୍ର ଅଗ୍ରଣୀ ନେଇଥିଲା। ଶେଷଥର ପାଇଁ ୨୦୦୦ ମସିହାରେ କରାଚିରେ ୧୭ ରନ୍ର ପ୍ରଥମ ପାଳି ଅଗ୍ରଣୀ ନେଇଥିଲେ ମଧ୍ୟ ଇଂଲଣ୍ଡଠୁ ଦଳ ପରାସ୍ତ ହୋଇଥିଲା।
୧୦: ଦ୍ବିତୀୟ ପାଳିରେ ପାକିସ୍ତାନ ଅଲ୍ଆଉଟ୍ ହୋଇଥିଲା। ପ୍ରଥମଥର ପାଇଁ ବାଂଲାଦେଶର ଦ୍ରୁତ ବୋଲର ସମସ୍ତ ୧୦ ୱିକେଟ୍ ଅକ୍ତିଆର କରିପାରିଥିଲେ। ଦ୍ରୁତ ବୋଲର ଏହି ମ୍ୟାଚ୍ରେ ମୋଟ୍ ୧୪ ୱିକେଟ୍ ନେଇଛନ୍ତି। ଗତବର୍ଷ ମୀରପୁର ଟେଷ୍ଟ୍ରେ ଆଫଗାନିସ୍ତାନ ବିପକ୍ଷରେ ଦଳର ଦ୍ରୁତ ବୋଲରମାନେ ମଧ୍ୟ ସର୍ବାଧିକ ୧୪ ୱିକେଟ୍ ଅକ୍ତିଆର କରିଥିଲେ।
୨୧: ପ୍ରଥମ ପାଳିରେ ବାଂଲାଦେଶର ଶୀର୍ଷ ୬ ଜଣ ମାତ୍ର ୨୧ ରନ୍ ସଂଗ୍ରହ କରିପାରିଥିଲେ। ଏହା ବିଶ୍ବରେ ଦ୍ବିତୀୟ ସର୍ବନିମ୍ନ। ପୂର୍ବରୁ ୧୮୮୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଶୀର୍ଷ ୬ ଜଣ ମାତ୍ର ୧୭ ରନ୍ କରି ସର୍ବନିମ୍ନ ରେକର୍ଡରେ ଥିଲେ।
୫: ସାନ୍ ମାସୁଦଙ୍କ ନେତୃତ୍ବରେ ପାକିସ୍ତାନ ଖେଳିଥିବା ସମସ୍ତ ୫ ମ୍ୟାଚ୍ରେ ପାକିସ୍ତାନ ପରାଜିତ ହୋଇଛି। ଫଳରେ ଅଧିନାୟକ ଭାବେ ପ୍ରଥମ ୫ ମ୍ୟାଚ୍ ହାରିବାରେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ପୂର୍ବରୁ ବାଂଲାଦେଶର ଖଲିଦ ମାସୁଦ (୧୨), ଖଲିଦ ମହମ୍ମଦ (୯), ମହମ୍ମଦ ଆଶ୍ରଫୁଲ (୮), ନଇମୁର ରହମାନ (୫), ଜିମ୍ବାୱେର ଗ୍ରେମ କ୍ରିମର (୬), ନ୍ୟୁଜିଲାଣ୍ଡର କେନ୍ ରଦରଫୋର୍ଡ (୫), ୱେଷ୍ଟଇଣ୍ଡିଜ୍ର କ୍ରେଗ୍ ବ୍ରାଥୱେଟ୍ (୫) ଏହି ତାଲିକାରେ ଅଛନ୍ତି।