ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ

ମାଉଣ୍ଟମଙ୍ଗନୁଇ: ବିଶ୍ବବିଜେତା ତଥା ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ତା’ ମାଟିରେ ସ୍ତବ୍ଧ କରି ବାଂଲାଦେଶ ବୁଧବାର ନିଜ ଟେଷ୍ଟ୍ ଇତିହାସରେ ସଫଳତାର ସୁନେଲି ଫର୍ଦ୍ଦ ଯୋଡ଼ିଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡର ୧୭ ଟେଷ୍ଟ୍ ଅପରାଜେୟ ଧାରାକୁ ଭାଙ୍ଗି ବିଦେଶ ମାଟିରେ ନିଜର ସର୍ବଶ୍ରେଷ୍ଠ ବିଜୟ ହାସଲ କରି ନେଇଛି। ମାଉଣ୍ଟମଙ୍ଗନୁଇ ପିଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ୱିକେଟ୍‌ର ଅବିଶ୍ବସନୀୟ ତଥା ଐତିହାସିକ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛି। ସେହିଭଳି ସ୍ମରଣୀୟ ତଥା ମାଇଲଖୁଣ୍ଟ ବିଜୟରେ ୨୦୨୨ର କ୍ରିକେଟ୍ କ୍ୟା‌ଲେଣ୍ଡରର ଶୁଭାରମ୍ଭ କରିଛି। ବିରଳ ସଫଳତା ସହ ଏହି ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିବା ହିଁ ବାଂଲାଦେଶର ଏହି ବିଜୟକୁ ଅଧିକ ସ୍ବତନ୍ତ୍ର ଓ ମହତ୍ବପୂର୍ଣ୍ଣ କରିଛି। ଷୋଡ଼ଶ ପ୍ରୟାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ଏହା ହେଉଛି ପ୍ରଥମ ଟେଷ୍ଟ୍ ବିଜୟ। ନ୍ୟୁଜିଲାଣ୍ଡରେ କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍‌ରେ ମଧ୍ୟ ଏହା ହେଉଛି ବାଂଲାଦେଶର ପ୍ରଥମ ବିଜୟ। ବିଦେଶ ମାଟିରେ କିନ୍ତୁ ଏହା ହେଉଛି ଏହି ଦଳର ଷଷ୍ଠ ଟେଷ୍ଟ୍ ବିଜୟ। ପୁଣି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଚଳିତ ଚକ୍ରରେ ଏହା ହେଉଛି ବାଂଲାଦେଶର ପ୍ରଥମ ବିଜୟ।

ମଙ୍ଗଳବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଧା ଦଳ ହରାଇ ନ୍ୟୁଜିଲାଣ୍ଡ ମାତ୍ର ୧୭ ରନ୍‌ରେ ଆଗୁଆ ରହିବା ପରେ ବାଂଲାଦେଶ ଏକପ୍ରକାର ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ବୁଧବାର ସକାଳୁ ନ୍ୟୁଜିଲାଣ୍ଡ ଆଉ ମାତ୍ର ୨୨ ରନ୍ ଯୋଡ଼ି ବଳକା ୫ ୱିକେଟ୍ ହରାଇଥିଲା। ନିଜ ‌ଶେଷ ଟେଷ୍ଟ୍ ଶୃଙ୍ଖଳା ଖେଳୁଥିବା ରସ୍ ଟେଲର ବ୍ୟକ୍ତିଗତ ସ୍କୋର୍‌ରେ ଆଉ ମାତ୍ର ୩ ରନ୍ ଯୋଡ଼ି ପ୍ୟାଭିଲିୟନ ଫେରିବା ପରେ ଘରୋଇ ଦଳର ଦ୍ବିତୀୟ ପାଳି ମାତ୍ର ୪୦ ମିନିଟ୍ ଭିତରେ ହିଁ ଶେଷ ହୋଇଯାଇଥିଲା। ଫଳରେ ବାଂଲାଦେଶ ସମ୍ମୁଖରେ ୪୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବାଂଲାଦେଶ ଏହାକୁ ୨ ୱିକେଟ୍ ହରାଇ ହାସଲ କରିନେବାର ଔପଚାରିକତା ପୂରଣ କରିଥିଲା। ବାଂଲାଦେଶ ବିଜୟର ମୁଖ୍ୟ ନାୟକ ଥିଲେ ଅନାମଧେୟ ଦ୍ରୁତ ବୋଲର ଇବାଦତ ହୁସେନ। ତାଙ୍କ ୬ ୱିକେଟ୍ ସଫଳତା ବଳରେ ହିଁ ବାଂଲ‌ାଦେଶ ଏବେ ଦୁଇ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ବିଦେଶ ମାଟିରେ ବିରଳ ଶୃଙ୍ଖଳା ବିଜୟ ସ୍ବପ୍ନ ଦେଖିବା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ସାଢ଼େ ଚାରି ଦିନରେ ଶେଷ ହୋଇଥିବା ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ୩୨୮ ରନ୍ କରିଥିଲା। ଏହାର ଜବାବରେ ୪୫୮ ରନ୍ କରି ବାଂଲାଦେଶ ୧୩୦ ରନ୍‌ର ବହୁମୂଲ୍ୟ ଅଗ୍ରଣୀ ଲାଭ କରିଥିଲା। ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ ଅତ୍ୟନ୍ତ ଦୁର୍ବଳ ବ୍ୟାଟିଂ କରି ମାତ୍ର ୧୬୯ ରନ୍‌ରେ ଅଲଆଉଟ୍ ହୋଇଯିବା ପରେ ବାଂଲାଦେଶ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୋଇଥିଲା। ପ୍ରଥମ ପାଳିରେ ୭୫ ରନ୍ ଦେଇ ଗୋଟିଏ ଏବଂ ଦ୍ବିତୀୟ‌ରେ ୪୬ ରନ୍ ଖର୍ଚ୍ଚ କରି ୬ ୱିକେଟ୍ କରାୟତ୍ତ କରିଥିବା ଇବାଦତ ହୁସେନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୩୨୮। ବାଂଲାଦେଶ ପ୍ରଥମ ପାଳି ୪୫୮। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି ୧୬୯ (ୱିଲ ୟଙ୍ଗ ୬୯, ରସ୍ ଟେଲର ୪୦, ଇବାଦତ ହୁସେନ ୬/୪୬, ତସ୍କିନ ଅହମ୍ମଦ ୩/୩୬)। ବାଂଲାଦେଶ ଦ୍ବିତୀୟ ପାଳି ୧୬.୫ ଓଭରରେ ୪୨/୨ (ବିଜୟ ଲକ୍ଷ୍ୟ ୪୦) ନଜମୁଲ ହୁସେନ ୧୭, ମୋମିନୁଲ ହକ୍ ୧୩*, କାଇଲ ଜାମିସନ୍ ୧/୧୨, ଟିମ୍ ସାଉଦି ୧/୨୧)।

ସମ୍ବନ୍ଧିତ ଖବର