ଦୁବାଇ: ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆରମ୍ଭ ହେବାର ପରଦିନ ଅର୍ଥାତ୍ ଚଳିତ ଫେବ୍ରୁଆରି ୨୦ ତାରିଖରେ ଭାରତ ତାର ଅଭିଯାନ ଆରମ୍ଭ କରିବ। ବାଂଲାଦେଶ ହେବ ଟିମ୍ ଇଣ୍ଡିଆର ପ୍ରଥମ ପ୍ରତିଦ୍ବନ୍ଦ୍ବୀ। ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ବାଂଲଦେଶ ପୂର୍ବ ବିଜେତା ଭାରତକୁ ଦେଇଛି ଚେତାବନୀ। ଏହି ଦଳର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କହିଛନ୍ତି, ଆମେ ବିଜେତା ହେବା ଲକ୍ଷ୍ୟ ନେଇ ଚାମ୍ପିଅନ୍ସ ଟ୍ରଫିକୁ ଯାଉଛୁ। କେବଳ ଆମେ ନୁହଁ, ସମସ୍ତ ୮ଟି ଯାକ ଦଳ ବିଜେତା ହେବାର କ୍ଷମତା ରଖନ୍ତି। ସମସ୍ତେ ସମ ପରିମାଣରେ ବଳିୟାନ। ମୁଁ ଭାବୁଛି ଆମ ପାଖରେ ସେହି ଦକ୍ଷତା ଅଛି। ଏଥିଲାଗି କଠିନ ପରିଶ୍ରମ କରୁଛୁ। ଭାବୁଛି ଆମ ଲକ୍ଷ୍ୟ ହାସଲ କରିପାରିବୁ। ଭାରତ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ବାଂଲାଦେଶ ଫେବ୍ରୁଆରି ୨୪ରେ ନ୍ୟୁଜିଲାଣ୍ଡ ଏବଂ ୨୭ରେ ପାକିସ୍ତାନକୁ ଭେଟିବ। ଅନ୍ୟପକ୍ଷରେ ଏମାନଙ୍କ ସହ ଗ୍ରୁପ୍-ଏ’ରେ ଥିବା ଭାରତ ୨୩ରେ ପାକିସ୍ତାନ, ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ।
ସାଣ୍ଟୋ ଭାରତକୁ ପରୋକ୍ଷ ଚେତାବନୀ ଦେଇଥିଲେ ମଧ୍ୟ ରେକର୍ଡ ବାଂଲାଦେଶ ସପକ୍ଷରେ ନାହିଁ। ୨୦୨୩ ମସିହା ପରଠାରୁ ବାଂଲାଦେଶ ଖେଳିଥିବା ୪୧ ମ୍ୟାଚ୍ରୁ ୨୪ ମ୍ୟାଚ୍ ହାରିଛି। ସେଥିମଧ୍ୟରେ ରହିଛି ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ପରାଜୟ। ବ୍ୟକ୍ତିଗତ ଭାବେ ସାଣ୍ଟୋ ମଧ୍ୟ ଭଲ ଫର୍ମରେ ନାହାନ୍ତି। ଏପରିକି ବାଂଲାଦେଶ ପ୍ରିମିୟର୍ ଲିଗ୍ରେ ମଧ୍ୟ ଭଲ କରି ନାହାନ୍ତି। ଶେଷ ଥର ଲାଗି ସେ ଡିସେମ୍ବର ୨୦୨୪ରେ ଦିନିକିଆ କ୍ରିକେଟ୍ ଖେଳିଥିଲେ। ସେହିଭଳି ବାଂଲାଦେଶ ମଧ୍ୟ ତାର ତାରକା ଅଲ୍ରାଉଣ୍ଡର୍ ସାକିବ-ଅଲ୍-ହାସନଙ୍କ ବିନା ଏହି ପ୍ରତିଯୋଗିତା ଖେଳିବ। ତାଙ୍କ ବିନା ବାଂଲାଦେଶ ପୂର୍ବାପେକ୍ଷା ଦୁର୍ବଳ ହୋଇଥିବା ମଧ୍ୟ ସାଣ୍ଟୋ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଭାରତ ୨୦୨୩ ବିଶ୍ବକପ୍ ଫାଇନାଲ୍ ଖେଳିଥିଲା ବେଳେ ନିକଟରେ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯାଇଛି।