ଇଡେନ୍ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ୍‌କୁ ବାଂଲାଦେଶର ହଁ

କୋଲକାତା: କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ଦିବା/ରାତ୍ର ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। ବିସିସିଆଇର ପ୍ରସ୍ତାବକୁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଗ୍ରହଣ କରି ନେଇଛି। ଗୋଟିଏ ଦିନ ପରେ ଭାରତ ଗସ୍ତରେ ବାହାରୁଥିବା ବାଂଲାଦେଶ ଏହାର ଟେଷ୍ଟ୍ ଦଳ ଘୋଷଣା କରିନାହିଁ। ପ୍ରଶିକ୍ଷକ ରସେଲ୍‌ ଡୋମିଙ୍ଗୋ କିନ୍ତୁ ଗୋଲାପୀ ବଲ୍ ଟେଷ୍ଟ୍‌ ଖେଳିବାକୁ ଆମେ ପ୍ରସ୍ତୁତ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଟେଷ୍ଟ୍ କ୍ରିକେଟ୍‌କୁ ଆଗକୁ ବଢ଼ିବାକୁ ହେବ। ମୁଁ ଏବଂ‌ ମୋ ଦଳ ଏଥି ପ୍ରତି ଅନୁଗ୍ରହ। ବିରାଟ‌ କୋହଲିଙ୍କୁ ଏଥିପାଇଁ ଧନ୍ୟବାଦ ବୋଲି ଡୋମିଙ୍ଗୋ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଦୀର୍ଘ ୪ ବର୍ଷ ଧରି ଦିବାରାତ୍ର ଟେଷ୍ଟ୍‌ ଖେଳିବାକୁ ମନା କରି ଆସୁଥିବା ବେଳେ ବିସିସିଆଇର ନବନିର୍ବାଚିତ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ଆଗ୍ରହ ପୂର୍ବର ସବୁ ଅନିଚ୍ଛାକୁ ହଁ’ରେ ପରିଣତ କରି ଦେଇଛି। ଗାଙ୍ଗୁଲି ହିଁ ଟେଲିଫୋନ୍ ଜରିଆରେ ବିସିବିକୁ ପ୍ରବର୍ତ୍ତାଇଥିଲେ। ଗୋଟିଏ ଦିନ ପରେ ବିସିବି ହଁ ଭରି ଦେଇଛି।

ଆସନ୍ତାମାସର ଭାରତ ଗସ୍ତରେ ବାଂଲାଦେଶ ତିନିଟି ଟ୍ବେଣ୍ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳିବାର ଅଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟକୁ ଦିବା/ରାତ୍ର ଭିତ୍ତିରେ ଖେଳିବାକୁ ବିସିସିଆଇ ପ୍ରସ୍ତାବ ଦେଇଥିଲା। ବିସିବି ସବୁଜ ସଙ୍କେତ ଦେଇଥିବାରୁ ଭାରତୀୟ କ୍ରିକେଟ୍‌ପ୍ରେମୀ ନଭେମ୍ବରରେ ହିଁ ସ୍ବଦେଶରେ ଦିବା/ରାତ୍ର ଟେଷ୍ଟ କ୍ରିକେଟର ମଜା ନେଇପାରିବେ। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ପଦ ଗ୍ରହଣ କରିବା ପରେ ଭାରତରେ ଦିବା/ରାତ୍ର ଟେଷ୍ଟ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରି ଅଧିନାୟକ କୋହଲିଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କୋହଲି ମଧ୍ୟ ଦିବା/ରାତ୍ର ଟେଷ୍ଟ ଖେଳିବାକୁ ସମ୍ମତି ଦେଇଥିଲେ। ଗାଙ୍ଗୁଲି-କୋହଲି ରାଜି ହେବା ପରେ ହିଁ ଦୁଇଟି ବିଶ୍ବକପ୍ ଫାଇନାଲ୍ ଆୟୋଜନ କରିଥିବା ଇଡେନ୍ ଗାର୍ଡେନ୍ସକୁ ପ୍ରଥମ ଦିବା/ରାତ୍ର ଟେଷ୍ଟ ପାଇଁ ବଛାଯାଇଛି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ପିଙ୍କ ବଲ୍ ଟେଷ୍ଟକୁ ଦିବା/ରାତ୍ର ଭିତ୍ତିରେ ଖେଳିବାକୁ ଭାରତକୁ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ କିନ୍ତୁ ବିସିସିଆଇ ଗ୍ରହଣ କରି ନଥିଲା। ସେହି ସମୟରେ ରାଜକୋଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିବା/ରାତ୍ର ଟେଷ୍ଟ ଖେଳିବାକୁ ମଧ୍ୟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଯୋଜନା କରିଥିଲେ। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇ ନଥିଲା। ପ୍ରଥମ ଦିବା/ରାତ୍ର ଟେଷ୍ଟ ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ଜିତି ନେଇଥିଲା। ଏହି ନୂଆ ଧାରାର ୪ ବର୍ଷ ପରେ ଭାରତ ଗୋଲାପୀ ବଲ୍‌ରେ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ଯାଉଛି।

ସମ୍ବନ୍ଧିତ ଖବର