ନୂଆଦିଲ୍ଲୀ: ଆଇପିଏଲ-୧୧ର ୪୫ତମ ମ୍ୟାଚ୍ରେ ଶନିବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ଠାରୁ ୫ ଓ୍ଵିକେଟ୍ରେ ପରାସ୍ତ ହେବା ପରେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟ ପକ୍ଷରେ ଠିକଣା ସମୟରେ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରି ଆରସିବି ତା’ର ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି। ଦିଲ୍ଲୀ ଆଜି ୧୮୨ ରନ୍ର ସମ୍ମାନଜନକ ବିଜୟ ଲକ୍ଷ୍ୟ ଦେଇଥିଲା। ଆର୍ସିବିର ପ୍ରାରମ୍ଭିକ ଯୋଡ଼ିକୁ ୧୬ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଭଲ ଆରମ୍ଭ ବି କରିଥିଲା। ହେଲେ ଅଧିନାୟକ ବିରାଟ କୋହଲି ( ୭୦ ରନ୍, ୪୦ ବଲ୍, ୭ ଚୌକା, ୩ ଛକା) ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ( ୭୨* ରନ୍, ୩୭ ବଲ୍, ୪ ଚୌକା, ୬ ଛକା) ତୃତୀୟ ଓ୍ଵିକେଟ୍ରେ ୧୧୮ ରନ୍ ଯୋଡ଼ି ଆର୍ସିବିକୁ ଗୋଟିଏ ଓଭର ପୂର୍ବରୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ୧୯ ଓଭରରେ ୫ ଓ୍ଵିକେଟ୍ ବିନିମୟରେ ୧୮୭ ରନ୍ କରି ଆର୍ସିବି ଏକପ୍ରକାର ସହଜ ବିଜୟ ପାଇଥିଲା। ସେହିଭଳି କୋଟ୍ଲା ପଡ଼ିଆରେ ଆର୍ସିବି ଲଗାତାର ଷଷ୍ଠ ଏବଂ ପ୍ରତିଯୋଗିତାରେ ଏକାଦଶ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରିଥିଲା। ଅନ୍ୟ ପକ୍ଷରେ ଦିଲ୍ଲୀ ଦ୍ୱାଦଶ ମ୍ୟାଚ୍ରୁ ନବମ ପରାଜୟ ବରଣ କରି ଶେଷ ୪ ଦଳ ମଧ୍ୟରେ ରହିବା ଦୌଡ଼ରୁ ବାଦ୍ ପଡ଼ିଥିଲା। ଆର୍ସିବି ଅଧିନାୟକ କୋହଲି ଆଜି ୩୪ତମ ଆଇପିଏଲ୍ ଅର୍ଧଶତକ ପୂରଣ କରିଥିଲେ। ଅନ୍ୟ ପକ୍ଷରେ ଡିଭିଲିୟର୍ସ ୨୬ତମ ଅର୍ଧଶତକ ହାସଲ କରିଥିଲେ। ଡିଭିଲିୟର୍ସ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ଋଷବ ପନ୍ତ (୬୧ ରନ୍, ୩୪ ବଲ୍, ୫ ଚୌକା, ୪ ଛକା)ଙ୍କ ଅର୍ଧଶତକ ସହ ପଦାର୍ପଣକାରୀ ଅଭିଷେକ ଶର୍ମା (୪୬* ରନ୍, ୧୯ ବଲ୍, ୩ ଚୌକା, ୪ ଛକା)ଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୧ ରନ୍ କରି ନେଇଥିଲା। ଅଧିନାୟକ ଶ୍ରେୟସ୍ ଆୟର ( ୩୨ ରନ୍, ୩୫ ବଲ୍, ୩ ଚୌକା) ଅପେକ୍ଷାକୃତ ମନ୍ଥର ହେଲେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରଏ (୧୨) ଓ ପୃଥ୍ଵୀ ସ’ କିନ୍ତୁ ନିରାଶ କରିଥିଲେ। ପଞ୍ଜାବ-କୋଲକାତା ମ୍ୟାଚ୍ରେ ୬୬ ରନ୍ କରି ଲୋକେଶ ରାହୁଲ କିଛି ସମୟ ପାଇଁ ଲିଗ୍ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ହେଲେ ପନ୍ତ ଆଉ ଏକ ଜାଜ୍ଜୁଲ୍ୟମାନ ଅର୍ଧଶତକ ଅର୍ଜନ କରି ପ୍ରାୟ ଗୋଟିଏ ଘଣ୍ଟା ଭିତରେ ସର୍ବାଧିକ ରନ୍ ହାସଲକାରୀ ତାଲିକାର ଶୀର୍ଷକୁ ଫେରିଥିଲେ। ଅଭିଷେକଙ୍କ ଭଳି ଦିଲ୍ଲୀ ଦଳରେ ଥିବା ନେପାଳର ୧୮ ବର୍ଷୀୟ ସ୍ପିନର ସନ୍ଦୀପ ଲାମିଚାନେ ଶନିବାର ତାଙ୍କ ଆଇପିଏଲ୍ ଜୀବନ ଆରମ୍ଭ କରିଥିଲେ। ଏପରି କରିବାରେ ସେ ନେପାଳର ପ୍ରଥମ କ୍ରିକେଟର୍ ହୋଇଥିଲେ। ସେ ମଧ୍ୟ ୪ ଓଭରରେ ୨୫ ରନ୍ ଦେଇ ଗୋଟିଏ ଓ୍ଵିକେଟ୍ ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଓଭରରେ ୧୮୧/୪ (ଋଷବ ପନ୍ତ ୬୧, ଅଭିଷେକ ଶର୍ମା ୪୬*, ଶ୍ରେୟସ୍ ଆୟର ୩୨, ବିଜୟ ଶଙ୍କର ୨୧, ୟୁଜବେନ୍ଦ୍ର ଚହଲ ୨/୨୮, ମୋଇନ୍ ଅଲ୍ଲୀ ୧/୨୫)। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୯ ଓଭରରେ ୧୮୭/୫ ( ଏବି ଡିଭିଲିୟର୍ସ ୭୨*, ବିରାଟ କୋହଲି ୭୦, ଟ୍ରେଣ୍ଟ ବୋଲ୍ଟ ୨/୪୦)।