କଟକ (ଦେବାଶିଷ ସୁନ୍ଦରାୟ):  ଟି-୨୦ ହେଉକି ଦିନିକିଆ, ଟେଷ୍ଟ୍‌ ହେଉ କି ଆଇପିଏଲ୍, ବାରବାଟୀ ଦର୍ଶକ କ୍ରିକେଟ୍‌କୁ ଭଲ ପାଇବାରେ ‌କେବେ ବି କାର୍ପଣ୍ୟତା କରିନାହାନ୍ତି। ରବିବାର ମଧ୍ୟ ସେମାନେ କ୍ରିକେଟ୍‌ ଖେଳକୁ ଅଜସ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ। ମ୍ୟାଚ୍ ଅପରାହ୍ଣ ଦେଢ଼ ଟା’ରେ ଆରମ୍ଭ ହେଉଥିଲେ ମଧ୍ୟ ଷ୍ଟାଡିୟମ୍ ଗେଟ୍ ପୂର୍ବାହ୍ନ ୧୦ଟାରେ ଖୋଲି ଯାଇଥିଲା। ସକାଳୁ ସକାଳୁ ହିଁ କୁନିଠାରୁ ଆରମ୍ଭ କରି ବୟସ୍କ କ୍ରିକେଟ୍‌ପ୍ରେମୀ ପର୍ଯ୍ୟନ୍ତ ଭିତରକୁ ପଶି ନିଜ ନିଜ ଆସନ ଗ୍ରହଣ କରିବାକୁ ଧାଡ଼ିରେ ଅପେକ୍ଷା କରି ରହିଥିଲେ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବା ବେଳେ ଦର୍ଶକ ନିୟମିତ ଭାବେ ସେମାନଙ୍କୁ ଉତ୍ସାହିତ କରି ଚାଲିଥିଲେ। ବଲିଉଡ୍ ସଂଗୀତର ତାଳେ ତାଳେ ଖେଳାଳିମାନେ ବୋଲିଂ, କ୍ୟାଚିଂ ସହ ବିଭିନ୍ନ ଶାରୀରିକ ଅଭ୍ୟାସ କରିଥିଲେ। ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଅଧିନାୟକ ବିରାଟ କୋହଲି କେବେ କେବେ ନାଚି ନିଆରା ଭାବେ ଦର୍ଶକଙ୍କର ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା। ୱେଷ୍ଟ୍ଇ‌ଣ୍ଡିଜ୍ ପାଳିଠାରୁ ଆରମ୍ଭ କରି ଭାରତ ପାଳି ଶେଷ ପର୍ଯ୍ୟନ୍ତ ବାରବାଟୀ ଦର୍ଶକଙ୍କ ଉତ୍ସାହ ଟିକିଏ ବି କମି ନଥିଲା। ଇଣ୍ଡିଜ୍ ପାଳିର ପ୍ରଥମ କିଛି ଓଭର ଅବଶ୍ୟ କୋଳାହଳ ଟିକିଏ କମ୍ ଥିଲା। ଭାରତ ପାଳି ବେଳେ କିନ୍ତୁ ବାରବାଟୀ ପୂରା କମ୍ପି ଉଠିଥିଲା। ‌ରୋହିତ-ରାହୁଲଙ୍କ ଆକ୍ରମଣ ସେମାନଙ୍କ ହୃଦୟ ଜିତି ନେଇଥିଲା।

Advertisment

publive-image

ଜୟସୂରିଆଙ୍କ କୀର୍ତ୍ତିମାନ ଭାଙ୍ଗିଲେ ରୋହିତ
କଟକ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବାରବାଟୀ ଦିନିକିଆରେ ଭାରତର ହିଟ୍‌ମ୍ୟାନ୍ ରୋହିତ ଶର୍ମା ଅର୍ଧଶତକୀୟ ପାଳି ଖେଳିଥିଲେ। ତେବେ ସେ ୬୩ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ନୂଆ ବିଶ୍ବ କୀର୍ତିମାନ ନଜି ନାମରେ କରି ନେଇଥିଲେ। ଜଣେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଆନ୍ତର୍ଜାତିକ ରନ୍‌ (ଦିନିକିଆ, ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ରେ) କରିବାରେ ସେ ୨୨ ବର୍ଷ ତଳେ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ ସନତ ଜୟସୂରିଆଙ୍କ ନାମରେ ରହିଥିବା କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ଏହି କୀର୍ତ୍ତିମାନ ଭାଙ୍ଗିବା ପାଇଁ ରୋହିତଙ୍କୁ ବାରବାଟୀରେ ମାତ୍ର ୯ ରନ୍‌ ଦରକାର ଥିଲା। ଜୟସୂରିଆ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ୨୩୮୭ ରନ୍‌ କରିଥିଲା ବେଳେ ରୋହିତଙ୍କ ରନ୍‌ ସଂଖ୍ୟା ୨୪୪୨ରେ ପହଞ୍ଚିଯାଇଛି।