ଦେବାଶିଷ ସୁନ୍ଦରାୟ
ଭୁବନେଶ୍ବର: ହିଟ୍ମ୍ୟାନ୍ ରୋହିତ ଛକା, ଚୌକା ବର୍ଷା କରିବେ। କୋହଲି ପୁଣି ଥରେ କମାଲ କରି ଭାରତକୁ ବିଜୟ ଭେଟି ଦେବେ। ସେହିଭଳି ବାରବାଟୀ ବିଜୟ ରଥକୁ ଆହୁରି ଆଗେଇ ନେଇ ଭାରତ ଏଠାରେ ଶୃଙ୍ଖଳା କବ୍ଜା କରିବ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ହେଉଥିବା ଶକ୍ତି ପରୀକ୍ଷାରେ ସଫଳ ହୋଇ ଦର୍ଶକଙ୍କ ହୃଦୟ ବି ଜିତିବ। ପ୍ରବଳ ଉତ୍କଣ୍ଠା ଭିତରେ ଖେଳାଯିବ ଭାରତ-ଇଂଲଣ୍ଡ ମହାଲଢ଼େଇ। ଏମିତି ଆଶା ରଖିଛନ୍ତି କ୍ରିକେଟ୍ପ୍ରେମୀ। କେବଳ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ରବିବାରର ବାରବାଟୀ ଏକଦିବସୀୟ ଲାଗି ଦୁଲୁକୁଛି କଟକ, ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ି ଚାଲିଛି ପ୍ରଶଂସକଙ୍କ ହୃତ୍ସ୍ପନ୍ଦନ। ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳି, ଅଧିକାରୀ, କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଅଛନ୍ତି ଉତ୍ସାହିତ। ଏହି ବଡ଼ ଲଢ଼େଇକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମନରେ ରହିଛି ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା। ପୁଣି ଆସନ୍ତାକାଲିର ମହାଟକ୍କର ପାଇଁ ପୂରା ପ୍ରସ୍ତୁତ ରହିଛି ବାରବାଟୀ। ନୂଆ ରୂପ, ରଙ୍ଗ ସହ ଚମତ୍କାର ଆଉଟ୍ ଫିଲ୍ଡ ଓ ବ୍ୟାଟିଂ ଉପଯୋଗୀ ପିଚ୍ର ସମ୍ଭାର ଭିତରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧକର ଓ ଅଭୁଲା ଅଭିଜ୍ଞତା ଦେବାକୁ ଚାହିଁ ବସିଛି। ୩୦,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ଖେଳାଳି ଶନିବାର ଅପରାହ୍ଣରେ ଜୋରଦାର ଅଭ୍ୟାସ କରି ମ୍ୟାଚ୍ ସହ ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିବାର ଅଭିପ୍ରାୟକୁ ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।
ଫିଟ୍ କୋହଲିଙ୍କ ପାଇଁ ମାଇଲ୍ଖୁଣ୍ଟ ସୁଯୋଗ
ଭାରତ ସପକ୍ଷରେ ପରିସଂଖ୍ୟାନ, ହାଇସ୍କୋରିଂ ମ୍ୟାଚ୍ ଆକଳନ
ମ୍ୟାଚ୍ର ପୂର୍ବଦିନ ଆହତ ବ୍ୟାଟର୍ କୋହଲି କୋହଲି ଫିଟ୍ ଘୋଷିତ ହେବା ମଧ୍ୟ କ୍ରିକେଟ୍ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ଭାରତୀୟ ଦଳର ଅଭ୍ୟାସ ବେଳେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଆଗୁଆ ସେମାନେ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଚଳିତ ଭାରତ ଗସ୍ତରେ ଖେଳିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୪ରେ ହାରିଥିବା ଇଂଲଣ୍ଡ ପ୍ରଥମ ଦିନିକିଆରେ ପରାସ୍ତ ହୋଇ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୧ରେ ପଛୁଆ ରହିଛି। ଏଣୁ ଚାପ କମାଇବାକୁ ଅଭ୍ୟାସ ନକରି ଭୁବନେଶ୍ବର ଗଲ୍ଫ କ୍ଲବ୍ରେ ଗଲ୍ଫ ଖେଳିଛନ୍ତି ଇଂଲଣ୍ଡ ଖେଳାଳି। ସତେଜ ମନ ଓ ସୁସ୍ଥ ଶରୀର ନେଇ ପଡ଼ିଆକୁ ଓହ୍ଲାଇ ଭାରତକୁ ଅପ୍ରତ୍ୟାଶିତ ଝଟ୍କା ଦେଇ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ରଣନୀତି କରିଛନ୍ତି। ଗୋଟିଏ ପରିବର୍ତ୍ତନ ସହ ଦ୍ରୁତବୋଲର୍ ମାର୍କ ଉଡ୍ଙ୍କୁ ଚୂ୍ଡ଼ାନ୍ତ ଏକାଦଶକୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି। ରେକର୍ଡ କିନ୍ତୁ ଭାରତ ସପକ୍ଷରେ ରହିଛି। ବାରବାଟୀରେ ଭାରତ ଓ ଇଂଲଣ୍ଡ ୫ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୩ଥର ଏବଂ ଇଂଲଣ୍ଡ ୨ଥର ବିଜୟୀ ହୋଇଛି। ଶେଷ ତିନିଟି ଦିନିକିଆରୁ ମଧ୍ୟ ଭାରତ ଦୁଇଟିରେ ବିଜୟୀ ହୋଇଛି। ଗତ ୨୦ବର୍ଷ ମଧ୍ୟରେ ଇଂଲଣ୍ଡ ଭାରତରେ ଖେଳିଥିବା ୩୧ ଦିନିକିଆରୁ ମାତ୍ର ୫ଟିରେ ବିଜୟୀ ହୋଇଛି। ସେହି ଦୃଷ୍ଟିରୁ ଏହି ମ୍ୟାଚ୍ରେ ଭାରତର ପଲା ନିଶ୍ଚିତ ଭାବେ ଭାରି ରହିବାକୁ ଯାଉଛି।
ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି। ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍କୁ ଭେଟିଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଥିଲା ବେଳେ କିଂବଦନ୍ତି କୋହଲିଙ୍କ କିମିଆ ବଳରେ ସେହି ହାଇସ୍କୋରିଂ ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ଭାରତ ଶୃଙ୍ଖଳା ବିଜୟର ମୁଣ୍ଡି ମାରିଥିଲା। ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି ସେଥର ମ୍ୟାଚ୍ର ଏବଂ ରୋହିତ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। କୋହଲି ଫେରିବା ଏକପ୍ରକାର ନିଶ୍ଚିତ ଥିବାରୁ ଭାରତୀୟ ଏକାଦଶରେ କିଛିଟା ଅଦଳ ବଦଳ ହେବ। ଯଶସ୍ବୀ ଜୟସ୍ବାଲ୍ ଖେଳିଲେ ଶୁବମନ୍ ଗିଲ୍ ତୃତୀୟ ଏବଂ କୋହଲି ଚତୁର୍ଥ ସ୍ଥାନରେ ଖେଳିବେ। ପ୍ରଥମ ମ୍ୟାଚ୍ର ଅର୍ଦ୍ଧଶତକ ହାସଲକାରୀ ଶ୍ରେୟସ୍ ଆୟର୍ ସମ୍ଭବତଃ ଦଳ ବାହାରେ ରହିବେ। କୋହଲି ଏହି ମ୍ୟାଚ୍ରେ ୯୪ ରନ୍ କଲେ ୧୪,୦୦୦ ଦିନିକିଆ ରନ୍ର ମାଇଲ୍ଖୁଣ୍ଟ ଛୁଇଁବେ।