ବାରବାଟୀ ଲଢ଼େଇ: ନବୀନ ଯୋଡ଼ିଲେ ନୂଆ ଇତିହାସ, ପ୍ରଥମ ଥର ବାଜିଲା ଘଣ୍ଟି
ଦେଢ ଘଣ୍ଟା ପୂର୍ବରୁ ପୂରିଲା ଷ୍ଟାଡିୟମ୍, ସୁରକ୍ଷାର ପ୍ରମାଣ ଦେଲା ୭ ନମ୍ବର ଗ୍ୟାଲେରି, ଆକର୍ଷଣରେ ଗାଙ୍ଗୁଲି
କଟକ (ଦୀପ୍ତିରଂଜନ ସାମଲ): ଅଢେଇ ବର୍ଷର ବ୍ୟବଧାନ ପରେ ପୁଣି ଜୀବନ୍ତ ହୋଇଉଠିଛି ବାରବାଟୀ ଷ୍ଟାଡିୟମ। କୋଭିଡ୍ କଟକଣା ଯୋଗୁଁ ଯଦିଓ ଆନ୍ତର୍ଜାତିକ ମ୍ୟାଚ୍ ବେଳେ ଦର୍ଶକଙ୍କୁ ଅନୁମତି ନଥିଲା ତେବେ ବାରବାଟୀ ମ୍ୟାଚ୍ ବେଳକୁ ସବୁ କଟକଣା ଉଠିଯାଇଥିବାରୁ ଷ୍ଟାଡିୟମ ନୂଆ ଜୀବନ ପାଇଯାଇଛି। କୋଭିଡ୍ ଲକ୍ଡାଉନ ସମୟରେ ବାରବାଟୀର ଯେଉଁ ନବକଳେବର ଯୋଜନା କରାଯାଇଥିଲା ତାହା ଆଜି ସଫଳ ହୋଇପାରିଥିଲା। ନୂଆ ପଡ଼ିଆ, ନୂଆ ଏଲ୍ଇଡି ଫ୍ଲଡ ଲାଇଟ୍, ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଡ୍ରେସି˚ ରୁମ୍, ସୁସଜ୍ଜିତ ଓସିଏ ପ୍ରବେଶ ପଥ, ବାରବାଟୀ ଷ୍ଟାଡିୟମର ନାମ ଫଳକ ଏଭଳି ଅନେକ ଘଟଣା ଯୋଗୁଁ ବାରବାଟୀ ଷ୍ଟାଡିୟମ ତାହାର ଇତିହାସ ବହିରେ ନୂଆନୂଆ ପୃଷ୍ଠା ଯୋଡ଼ିଚାଲିଛି। କେବଳ ଏତିକି ନୁହେଁ ଲର୍ଡ୍ସ, ଇଡେନ ଗାର୍ଡେନ୍ସ ପରି ବାରବାଟୀରେ ଘଣ୍ଟି ବଜାଯାଇ ମ୍ୟାଚ୍ ଆରମ୍ଭ କରାଯିବା ଘଟଣା ମଧ୍ୟ ଭିନ୍ନ ଥିଲା। ରବିବାର ସନ୍ଧ୍ୟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଏଭଳି ଏକାଧିକ ନୂଆ ଘଟଣା ଦେଖିବାକୁ ମିଳିଥିଲା।
ଦେଢ ଘଣ୍ଟା ପୂର୍ବରୁ ପୂରିଲା ଷ୍ଟାଡିୟମ୍
ବାରବାଟୀରେ କ୍ରିକେଟ ଦେଖିବାକୁ ଦର୍ଶକ କେତେ ବ୍ୟାକୁଳ ଥିଲେ ତାହା ଟିକେଟ୍ ବିକ୍ରି ଦିନଠୁ ଜଣାପଡ଼ିଯାଇଥିଲା। ତେବେ ଏହାର ସଫଳ ପ୍ରତିଫଳନ ହୋଇଥିଲା ରବିବାର ସନ୍ଧ୍ୟାରେ। ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଦିନ ୩ଟାରୁ ଗେଟ୍ ଖୋଲିଥିଲା ବେଳେ ସଂଧ୍ୟା ସାଢେ ୫ଟା ବେଳକୁ ଷ୍ଟାଡିୟମରେ ଦର୍ଶକ ଭର୍ତ୍ତି ହୋଇଯାଇଥିଲେ। କେବଳ ୭ ନମ୍ବର ଗ୍ୟାଲେରି ସାମାନ୍ୟ ଫାଙ୍କା ପଡ଼ିଥିଲେ ବି ମ୍ୟାଚ୍ ଆରମ୍ଭ ବେଳକୁ ତାହା ମଧ୍ୟ ପୂର୍ଣ୍ଣ ହୋଇଯାଇଥିଲା।
ଆକର୍ଷଣରେ ଗାଙ୍ଗୁଲି
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ବତନ୍ତ୍ର ଅତିଥି ଭାବେ ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସାମିଲ ଥିଲେ। ବାରମ୍ବାର ନିମନ୍ତ୍ରଣ ପରେ ଏହି ମ୍ୟାଚ୍ରେ ସୌରଭ ଉପସ୍ଥିତ ରହିବାକୁ ଓସିଏକୁ ପୂର୍ବରୁ ଜଣାଇଦେଇଥିଲେ। ତେବେ ଷ୍ଟାଡିୟମକୁ ଆସିବା ପୂର୍ବରୁ ସୌରଭ ଭୁବନେଶ୍ବର ଯାଇ ନବୀନ ନିବାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସକ୍ଷାତ କରିଥିଲେ। ସାଥିରେ ୫-ଟି ସଚିବ ଭିକେ ପାଣ୍ତିଆନ୍ ମଧ୍ୟ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହେବା ପରେ ସନ୍ଧ୍ୟା ପାଖାପାଖି ସାଢେ ୬ଟା ବେଳେ ସୌରଭ ଓ ମୁଖ୍ୟମନ୍ତ୍ରୀ ବାରବାଟୀରେ ପହଞ୍ଚିଥିଲେ।
ପ୍ରଥମ ଥର ବାଜିଲା ଘଣ୍ଟି
ଲର୍ଡସ ଓ ଇଡେନ୍ ଗାର୍ଡେନ୍ସ ଭଳି ବାରବାଟୀରେ ଏଥର ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ ଘଣ୍ଟି ବଜାଯିବ। ବାରବାଟୀ ଷ୍ଟାଡିୟମରେ ଏଭଳି ଏକ ନୂଆ ପରମ୍ପରା ଯୋଡ଼ିଛନ୍ତି ଓସିଏ କର୍ତ୍ତୃପକ୍ଷ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯାଉଥିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟି ବଜାଇ ମ୍ୟାଚ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାରବାଟୀରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା ବେଳେ ତାଙ୍କର ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରି ଦେଇଥିଲା। ଘଣ୍ଟି ବଜାଯିବା ପରମ୍ପରା ଆରମ୍ଭ ପାଇଁ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ୫-ଟି ସଚିବ ଭିକେ ପାଣ୍ତିଆନ୍, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ସୌରଭ ଗାଙ୍ଗୁଲି ଦୁଇଟି ବ୍ୟାଟ୍ରେ ଅଟୋଗ୍ରାଫ ଦେଇଥିଲେ।
ମାଳମାଳ ଭିଆଇପି, କମିସନର-ଡିସିପି ନାକେଦମ୍
ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବାକୁ ଗ୍ୟାଲେରିରେ ଯେମିତି ଭିଡ଼ ହୋଇଥିଲା ଅତିଥିମାନଙ୍କ ବକ୍ସରେ ବି ସେମିତି ଭିଡ଼ ଦେଖାଯାଇଥିଲା। ନିମନ୍ତ୍ରିତ ଅତିଥିଙ୍କ ପାଇଁ ବିସିସିଆଇ ବକ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ନେତା, ମନ୍ତ୍ରୀ, ପ୍ରଶାସକ ସବୁ ବର୍ଗର ଅଧିକାରୀଙ୍କ ସହ ସେମାନଙ୍କ ପରିବାର ଲୋକେ ମଧ୍ୟ ବିସିସିଆଇ ବକ୍ସରେ ଉପସ୍ଥିତ ଥିଲେ। ସେମାନଙ୍କ ସହିତ କିଛି ପୂର୍ବତନ ଖେଳାଳି ଓ ଓସିଏର ସଦସ୍ୟ ବି ଏହି ବକ୍ସରେ ସ୍ଥାନ ପାଇଥିଲେ। କିନ୍ତୁ ଭିଭିଆଇପି ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ରଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ସେମାନଙ୍କ ବସିବାଠୁ ଆରମ୍ଭ କରି ପାନୀୟ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛି ସେମାନଙ୍କ ନିରୀକ୍ଷଣରେ ହେଉଥିଲା।
ସୁରକ୍ଷାର ପ୍ରମାଣ ଦେଲା ୭ ନମ୍ବର ଗ୍ୟାଲେରି
ବାରବାଟୀ ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ଅସୁରକ୍ଷିତ ଥିଲା। ୧୯୮୪ ମସିହାରୁ ନିର୍ମାଣ ହୋଇଥିବା ଏହି ଗ୍ୟାଲେରିର ସ୍ଲାବ ଭାଙ୍ଗିଯାଇଥିଲା। କ˚କ୍ରିଟ ଦୁର୍ବଳ ଥିବାରୁ ଦର୍ଶକଙ୍କ ଭାର ସମ୍ଭାଳିବାକୁ ଅସମର୍ଥ ଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯିବାରୁ ୨୦୧୯ରେ ଭାରତ-ୱେଷ୍ଟଇଣ୍ତିଜ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ଏହି ଗ୍ୟାଲେରିକୁ ବନ୍ଦ କରିଦିଆଯାଇଥିଲା। ତେବେ ଗ୍ୟାଲେରିକୁ ଭାଙ୍ଗିଦେବାକୁ କେତେକ ବିଶେଷଜ୍ଞ ପରାମର୍ଶ ଦେଇଥିଲେ ହେଁ ଓସିଏ କର୍ତ୍ତୃପକ୍ଷ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଥିଲେ। ଗ୍ୟାଲେରିକୁ ନଭାଙ୍ଗି ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଏହାର ପୁନଃରୁଦ୍ଧାର କରାଯାଇଥିଲା। କାନାଡ଼ା, ଥାଇଲାଣ୍ତ, ଜର୍ମାନୀ ଆଦି ସ୍ଥାନରୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଣାଯାଇ ଗ୍ୟାଲେରି ମରାମତି କରାଯାଇଥିଲା। ମରାମତି ଶେଷ ହୋଇଯାଇଥିଲେ ବି ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ରକୁ ନେଇ ବିବାଦ ଦେଖାଯାଇଥିଲା। ମାମଲା କୋର୍ଟରେ ପହଞ୍ଚିଥିଲା। ତେବେ ମ୍ୟାଚ୍ ପୂର୍ବରୁ ପୂର୍ତ୍ତବିଭାଗ ଯେଉଁ ପ୍ରମାଣପତ୍ର ଦେଇଥିଲା, ତାହା ମଧ୍ୟ ପରାମର୍ଶଭିତ୍ତିକ ଥିଲା। ତେବେ ଅସଲ ନିରାପତ୍ତା ପ୍ରମାଣ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଜଣାପଡ଼ିଥିଲା। ପାଖାପାଖି ୫ହଜାର ଦର୍ଶକ ଏହି ଗ୍ୟାଲେରିରେ ମ୍ୟାଚ୍ ଉପଭୋଗ କରିଥିଲେ। ଏହାହିଁ ନିର୍ମାଣଗତ ନିରାପତ୍ତାର ପ୍ରକୃତ ପ୍ରମାଣପତ୍ର ବୋଲି ସମସ୍ତଙ୍କ ମଧ୍ୟରେ ଆଲୋଚନା ହେଉଥିଲା।
ବଲ୍ ବଏ ହତାଶ
ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ସମୟରେ ପଡ଼ିଆରେ ବଲ୍ ବଏଙ୍କ ଭୂମିକା ଦେଖିବାକୁ ମିଳେ। ପ୍ରାୟ ସମସ୍ତ ମ୍ୟାଚ୍ରେ ବଲ୍ ବଏମାନେ ବିଜ୍ଞାପନ ବୋର୍ଡ ଓ ବାଉଣ୍ତରି ଲାଇନ୍ ମଧ୍ୟବର୍ତ୍ତୀ ସ୍ଥାନରେ ଉପସ୍ଥିତ ରୁହନ୍ତି। ବ୍ୟାଟରଙ୍କ ବ୍ୟାଟ୍ରୁ ବାହାରୁଥିବା ଚୌକା ବେଳେ ବଲ୍କୁ ଏହି ବଲ୍ବଏମାନେ ଗୋଟାଇ ପଡ଼ିଆ ଭିତରକୁ ପଠାଇଥା’ନ୍ତି। ହେଲେ କୋଭିଡ୍ କଟକଣା ଭିତରେ କ୍ରିକେଟ୍ ଆରମ୍ଭ ହେବା ଦିନଠୁ ବଲ୍ ବଏଙ୍କୁ ଏଥିରୁ ଦୂରେଇ ରଖାଯାଉଛି। ଏଭଳି ଘଟଣା ବାରବାଟୀରେ ମଧ୍ୟ ଦେଖିବାକୁ ମିଳିଥିଲା। କଟକ ସହିତ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୬୦ ଜଣ ସ୍କୁଲ୍ ପିଲାଙ୍କୁ ବଲ୍ ବଏ ଭୂମିକାରେ ନିୟୋଜିତ କରାଯାଇଥିଲା। କିନ୍ତୁ ସେମାନଙ୍କୁ ବାଉଣ୍ତରୀ ପାଖକୁ ଯିବାକୁ ବାରଣ କରାଯାଇଥିଲା। ତେଣୁ ସେମାନେ ମ୍ୟାଚ୍ସାରା ବିଜ୍ଞାପନ ବୋର୍ଡ ପାଖରେ ଆଣ୍ଠେଇ ମ୍ୟାଚ୍ ଦେଖିବାକୁ ବାଧ୍ୟ ହୋଇଥିଲେ।