ଶ୍ରୀଲଙ୍କା କ୍ରିକେଟ୍‌ ପ୍ରତିନିଧିଙ୍କ ବାରବାଟୀ ପରିଦର୍ଶନ

କଟକ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅପରେସନ୍‌ ହେଡ୍‌ ଚଣ୍ଡିମା ମାପାଟୁନା ଓ ବିସିସିଆଇ କ୍ରିକେଟ ଅପରେସନ୍‌ର ସହକାରୀ ପରିଚାଳକ ସୁମିତ ମାଲାପୁରକର ଶନିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଆସନ୍ତା ଡିସେମ୍ବର ୨୦ ତାରିଖରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏଠାକାର ସୁବିଧା ସୁଯୋଗ, ଭିତ୍ତିଭୂମି ସମ୍ପର୍କରେ ଚଣ୍ଡିମା ବୁଲି ଦେଖିଥିଲେ। ପ୍ରଥମେ ଓସିଏ କ୍ଲବ୍‌ର ସୁଇମିଂ ପୁଲ, ଜିମ୍‌ ଇତ୍ୟାଦି ଦେଖିବା ପରେ ଷ୍ଟାଡିୟମ ବୁଲିଥିଲେ। ପିଚ୍‌, ପଡ଼ିଆ ଓ ଡ୍ରେସିଂ ରୁମ୍‌କୁ ବ୍ୟକ୍ତିଗତ ଭାବେ ସେ ଯାଞ୍ଚ କରିଥିଲେ। ବାରବାଟୀର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଚଣ୍ଡିମା ସନ୍ତୋଷ ବ୍ୟକ୍ତ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଅନେକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇଛି। ଶ୍ରୀଲଙ୍କାର ମଧ୍ୟ ଏଠାରେ ଖେଳିବାର ଅଭିଜ୍ଞତା ରହିଛି। ତେଣୁ ବାରବାଟୀ ଷ୍ଟାଡିୟମ ଶ୍ରୀଲଙ୍କା ପାଇଁ ନୂଆ ନୁହେଁ ବୋଲି ଚଣ୍ଡିମା କହିଛନ୍ତି। ବର୍ତ୍ତମାନ ବର୍ଷା ସମୟ ଚାଲିଥିବାରୁ ପଡ଼ିଆ ପ୍ରସ୍ତୁତି ଉପରେ କିଛି କହିବା ଠିକ୍‌ ନୁହେଁ। ଯେହେତୁ ପୂର୍ବରୁ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ହୋଇଛି, ତେଣୁ ନିର୍ଧାରିତ ସମୟ ବେଳକୁ ପିଚ୍‌ ଓ ପଡ଼ିଆ ପ୍ରସ୍ତୁତ ହୋଇଯାଇଥିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ ଓସିଏ ପରିଚାଳନା ସମିତି ଆବାହକ ରବିଶଙ୍କର ପ୍ରତିହାରୀ, ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦନ ପତି, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଶୁଭାଶିଷ ଭୂୟାଁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକ, ମିଡିଆ ପ୍ରବନ୍ଧକ ଅଞ୍ଜନ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର