କୋହଲି ଅଧିକ ରନ୍ କରିବେ: ପପୁ
ଏହି ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ। ତେଣୁ ବହୁତ ରୋମାଞ୍ଚକର ହେବ। ଭାରତ ଏଠାରେ ଜିତିବା ସମ୍ଭାବନା ବେଶି ରହୁଛି। କାରଣ ଦଳର ସବୁ ବିଭାଗ ବହୁତ ଭଲ ରହିଛି। ସବୁ ଖେଳାଳି ଲୟରେ ଅଛନ୍ତି। ଏଥିସହିତ ମ୍ୟାଚ୍ ଭାରତରେ ଖେଳାଯାଉଛି, ତେଣୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମିଳୁଛି। ମୁଁ ଜଣେ ସ୍ପିନର ଭାବେ କହୁଛି ଯେ ଏହି ପିଚ୍ରେ ସ୍ପିନ୍କୁ ସହାୟତା ମିଳିବା ଭଳି କିଛି ନାହିଁ। ତେଣୁ ଭଲ ରନ୍ ହେବ। ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ଏଠାରେ ଅଧିକ ରନ୍ କରିବେ ବୋଲି ଆଶା ରଖୁଛି। ବୋଲିଂରେ ଯଦିଓ ଭଲ ଦ୍ରୁତ ବୋଲର ଅଛନ୍ତି, କିନ୍ତୁ ମୋର ସବୁବେଳେ କୁଲଦୀପ (ଯାଦବ)ଙ୍କ ପ୍ରତି ସମର୍ଥନ ରହିବ।
ପ୍ରଥମେ ବ୍ୟାଟିଂ କଲେ ବଡ଼ ସ୍କୋର ହେବ: ଅଭିଷେକ
ବାରବାଟୀ ମ୍ୟାଚ୍ ଉଭୟ ଦଳଙ୍କ ପାଇଁ ନିର୍ଣ୍ଣାୟକ ହେବ। ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଭଲ ଖେଳି ଜିତିଥିଲା। ଏହାପେର ଭାରତ ପ୍ରତ୍ୟାବର୍ତ୍ତନ କଲା। ଏବେ ଏଠାରେ ପିଚ୍ ଓ ପଡ଼ିଆ ବହୁତ ଭଲ ଦେଖାଯାଉଛି। ପିଚ୍ ଦେଖିକି ଲାଗୁଛି ଯେ ବ୍ୟାଟିଂ ବହୁତ ଭଲ ହେବ। ପିଚ୍ ବ୍ୟାଟିଂକୁ ସୁହାଉଥିବାରୁ ବଡ଼ ସ୍କୋର ହେବ। ରୋହିତ ଶର୍ମା କିମ୍ବା ବିରାଟ କୋହଲି ଏଠାରେ ବଡ଼ ରନ୍ କରନ୍ତୁ ବୋଲି ଚାହିଁବି।
ଧୋନି ଯୁବରାଜଙ୍କୁ ମିସ୍ କରିବୁ: ବିପ୍ଳବ
ଓଡ଼ିଶା କ୍ରିକେଟ୍ ଓ କ୍ରିକେଟ୍ପ୍ରେମୀଙ୍କ ପାଇଁ ଏହା ବହୁତ ଭଲ ଖବର ଯେ ବହୁତ ଦିନ ପରେ ବାରବାଟୀକୁ ଆନ୍ତର୍ଜାତିକ ମ୍ୟାଚ୍ ଫେରିଛି। ଏଥିସହିତ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଦର୍ଶକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ତେଣୁ ଦର୍ଶକଙ୍କ ସମର୍ଥନରେ ଭାରତ ନିଶ୍ଚୟ ବିଜୟୀ ହେବ। ଇଂଲଣ୍ଡ ବିପକ୍ଷରେ ଗତଥର ଖେଳାଯାଇଥିବା ମ୍ୟାଚ୍ରେ ଧୋନି ଓ ଯୁବରାଜ ଯେଉଁଭଳି ଭାବେ ଦର୍ଶକଙ୍କ ମନୋରଂଜନ କରିଥିଲେ, ଏଥର ହୁଏତ ସେଭଳି ଦେଖିବାକୁ ମିଳିପାରେ। କିନ୍ତୁ ଧୋନି ଓ ଯୁବରାଜଙ୍କୁ ବହୁତ ମିସ୍ କରିବୁ। ବର୍ତ୍ତମାନର ଦଳ ସନ୍ତୁଳିତ ଅଛି। ଗତ ମ୍ୟାଚ୍ରେ ରୋହିତ, ରାହୁଲ ଭଲ ଆରମ୍ଭ କରିଥିଲେ। ମଧ୍ୟକ୍ରମରେ କେଦାର, ଋଷବ ଭଲ ଲୟକୁ ଫେରିଛନ୍ତି। ତେଣୁ ବାରବାଟୀରେ ଜିତିବାକୁ ଆମ ପାଖରେ ଭଲ ସୁଯୋଗ ରହିଛି।