କଟକ: ବାରବାଟୀ ଷ୍ଟାଡିୟମରେ ଅଢେଇ ବର୍ଷ ପରେ ଆନ୍ତର୍ଜାତିକ ଦିନିକିଆ ହେବାକୁ ଯାଉଥିବାବେଳେ ‘ଫନି’ କ୍ଷୟକ୍ଷତିକୁ ଭରଣା କରିବା ବଡ଼ ଆହ୍ବାନ ରହିଥିଲା। ଏହା ସତ୍ତ୍ବେ ଓସିଏର ନୂଆ କର୍ମକର୍ତ୍ତାମାନେ ବାରବାଟୀରେ ସଫଳ ମ୍ୟାଚ୍ ଆୟୋଜନ ପାଇଁ ଦିନ ରାତି ଏକ କରି ଲାଗିପଡ଼ିଛନ୍ତି। ବର୍ତ୍ତମାନ ଷ୍ଟାଡିୟମ ନୂଆ ରଙ୍ଗରେ ସଜେଇ ହେଉଛି। ଗ୍ୟାଲେରିଗୁଡ଼ିକୁ ନେଭି ବ୍ଲୁ ରଙ୍ଗ ଦିଆଯାଉଥିବା ବେଳେ ଭାଙ୍ଗି ଯାଇଥିବା ୫ ନମ୍ବର ଗ୍ୟାଲେରିର ଆଜବେଷ୍ଟର୍ସ ବଦଳାଯାଉଛି। ୭ ନମ୍ବର ଗ୍ୟାଲେରିକୁ ସାଧାରଣ ଦର୍ଶକଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲେ ବି ସାରା ଦୁନିଆ ବାରବାଟୀକୁ ଦେଖିବ, ତେଣୁ ଏହି ଗ୍ୟାଲେରିରେ ମଧ୍ୟ ନୂଆ ରଙ୍ଗ ଲଗାଯାଇଛି।
ଏହା ସହିତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପ୍ରେସ୍ ବକ୍ସ ଓ ଉପର ପ୍ରେସ୍ ବକ୍ସକୁ ମରାମତି କରାଯାଇ ନୂଆ ରୂପ ଦିଆଯାଉଛି। ପ୍ରତ୍ୟେକ ଦିନ ଓସିଏର କର୍ମକର୍ତ୍ତମାନେ ପ୍ରତ୍ୟେକ୍ଷ ଭାବେ ମରାମତି କାର୍ଯ୍ୟର ଯାଞ୍ଚ କରୁଛନ୍ତି। ଖେଳାଳିଙ୍କ ଡ୍ରେସି˚ ରୁମ୍କୁ ମଧ୍ୟ ନୂଆ ରୂପରେ ସଜ୍ଜାଯାଉଛି। ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ କହିବାନୁସାରେ, ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତଥାପି ୧୨ ତାରିଖ ବେଳକୁ କାମ ସରିଯାଇଥିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଫ୍ଲଡ୍ ଲାଇଟ ପରୀକ୍ଷା ଶେଷ ହୋଇଛି। ପଡ଼ିଆକୁ ମଧ୍ୟ ନିୟମିତ ଭାବେ ଘାସ କଟାଯାଇ ପ୍ରସ୍ତୁତ କରାଯାଉଛି। ଅଭ୍ୟାସ ପିଚ୍ ଓ ଖେଳାଯିବାକୁଥିବା ପିଚ୍କୁ ମଧ୍ୟ ଓସିଏ କ୍ୟୁରେଟରମାନେ ନିୟମିତ ତଦାରଖ କରୁଥିବା କୁହାଯାଇଛି।