କଟକ: ବାରବାଟୀ ଷ୍ଟାଡିୟମରେ ଦର୍ଶକ ଏଥର ସଫାସୁତୁରା ଗ୍ୟାଲେରିରେ ବସି ମ୍ୟାଚ୍ ଉପଭୋଗ କରିବାକୁ ସୁଯୋଗ ପାଇବେ। ଏଥିପାଇଁ ଗ୍ୟାଲେରିରେ ଭିନାଇଲ୍ ଫ୍ଲୋରିଙ୍ଗ ମ୍ୟାଟ ପକାଯାଉଛି। ଶନିବାରଠୁ ୩ ନମ୍ବର ଗ୍ୟାଲେରିରୁ ଏହି କାମ ଆରମ୍ଭ ହୋଇଛି। ଷ୍ଟାଡିୟମ୍ର ସମସ୍ତ ଗ୍ୟାଲେରିରେ ଏହି ଫ୍ଲୋରିଙ୍ଗ ମ୍ୟାଟ୍ ପକାଯିବାକୁ ଯୋଜନା ହୋଇଛି। ତେବେ ପ୍ରାଥମିକ ଭାବେ ୧ ଓ ୩ ନମ୍ବର ଗ୍ୟାଲେରିରେ ଏହି ଫ୍ଲୋରିଙ୍ଗ ମ୍ୟାଟ୍ ପକାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯଦି ସମୟ ହୁଏ, ତାହେଲେ ଅନ୍ୟ ଗ୍ୟାଲେରିରେ ମ୍ୟାଟ୍ ପକାଯିବ। ନଚେତ୍ ଆନ୍ତର୍ଜାତିକ ଦିନିକିଆ ପରେ ମ୍ୟାଟ୍ ପଡ଼ିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଏହି ମ୍ୟାଟ ଵାଟରପ୍ରୁଫ୍ ହୋଇଥିବାରୁ ବର୍ଷା ଦିନେ କୌଣସି କ୍ଷତି ହେବ ନାହିଁ। ଏହାଦ୍ବାରା ଗ୍ୟାଲେରି ପୂର୍ବାପେକ୍ଷା ଅଧିକ ସଫାସୁତୁରା ରହିବ ବୋଲି କୁହାଯାଇଛି।
ଫ୍ଲଡ୍ ଲାଇଟ୍ ସ˚ଖ୍ୟା ବଢିଲା
ବାରବାଟୀ ଦିନିକିଆ ପାଇଁ ଷ୍ଟାଡିୟମ୍ର ଫ୍ଲଡ୍ ଲାଇଟ୍ ସ˚ଖ୍ୟା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଖୁଣ୍ଟରେ ୬ଟି ଲେଖାଏଁ ଲାଇଟ୍ ବଢାଯାଇଛି। ପୂର୍ବରୁ ଷ୍ଟାଡିୟମରେ ୮ଟି ଲାଇଟ୍ ଖୁଣ୍ଟ ରହିଥିଲା। ପ୍ରତି ଖୁଣ୍ଟରେ ୪୮ ଟି ଲେଖାଏଁ ଲାଇଟ୍ ଲଗାଯାଇଛି। ଏବେ ଆଉ ୬ଟି ଲେଖାଏଁ ଲାଇଟ୍ ବଢିଥିବାରୁ ପ୍ରତି ଖୁଣ୍ଟରେ ଲାଇଟ୍ ସ˚ଖ୍ୟା ୫୪କୁ ବୃଦ୍ଧି ପାଇଛି। ଫନି ବାତ୍ୟା ପରେ ପ୍ରତ୍ୟେକ ଖୁଣ୍ଟରେ ପାଖାପାଖି ଅଧା ଲାଇଟ୍ କ୍ଷତିଗ୍ରସ୍ତ ହୋଇଥିଲା। କେବଳ ସେଗୁଡିକୁ ବଦଳାଯାଇଥିବାବେଳେ ପୂର୍ବରୁ ରହିଥିବା ଲାଇଟ୍ ଗୁଡିକର ସମୟସୀମା ପୂରି ଆସିଲାଣି। ତେଣୁ ମ୍ୟାଚ ବେଳେ ହୁଏତ ଲାଇଟ୍ ଜନିତ କୌଣସି ସମସ୍ୟା ରହିବ, ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଖୁଣ୍ଟରେ ଆଉ ୬ଟି ଲେଖାଏଁ ଲାଇଟ ଲଗାଯାଇଛି।