କୋହଲି, ଜାଦେଜା ଓ ସାର୍ଦୁଲଙ୍କ ପାଇଁ କମ୍ପିଲା ବାରବାଟୀ

କଟକ : ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ଅଧିନାୟକ ବିରାଟ କୋହଲି (୮୫) ପଡ଼ିଆକୁ ପ୍ରବେଶ କଲା ବେଳେ ଦର୍ଶକଙ୍କ ଉତ୍ସାହିତ ରଡ଼ିରେ ବାରବାଟୀ କମ୍ପି ଉଠିଥିଲା। ବାରବାଟୀରେ ଖେଳିଥିବା ବିଗତ ୪ ପାଳି (୩ ଦିନିକିଆ ଓ ୧ ଟ୍ବେଣ୍ଟି-୨୦)ରେ ମାତ୍ର ୩୪ ରନ୍ କରିଥିବା କୋହଲି ଏଥର କିନ୍ତୁ ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ରାହୁଲ ଅବଶ୍ୟ ତାଙ୍କ ସହ ଦ୍ବିତୀୟ ୱିକେଟରେ ୪୫ ରନ୍ ଯୋଡ଼ି ପ୍ୟାଭିଲିୟନ ଫେରି ଯାଇଥିଲେ। ଅଲଜେରି ଯୋଶେଫ ତାଙ୍କୁ ହୋପ୍ସଙ୍କ ହାତରେ କ୍ୟାଚ୍ କରି ନେଇଥିଲେ। ଶ୍ରେୟସ୍ ଆୟର ବି କିଛି କରି ପାରି ନଥିଲେ। ମାତ୍ର ୭ ରନ୍‌ରେ ସେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସେହିଭଳି ୱିକେଟ୍‌ରକ୍ଷକ ଋଷବ ପନ୍ତ ପୁଣି ଥରେ ବେପରୁଆ ବ୍ୟାଟ୍ ଚାଳନା କରି ପ୍ଳେଡ୍ ଅନ୍ ହୋଇଥିଲେ। କିମୋ ପଲଙ୍କ ବଲ୍ ତାଙ୍କ ବ୍ୟାଟ୍ ଧାରରେ ବାଜି ଷ୍ଟମ୍ପ୍‌ସ ଭିତରକୁ ପଶିଯିବା ପରେ ପନ୍ତ ବି ୭ ରନ୍ ଆଗକୁ ବଢ଼ି ପାରି ନଥିଲେ। ବିରାଟ କିନ୍ତୁ ଏକାଗ୍ରତା ହରାଇ ନଥିଲେ। ୫୧ ବଲ୍‌ରୁ ୫ ଚୌକା ସହାୟତାରେ ୫୫ତମ ଅର୍ଧଶତକ ହାସଲ କରି ନେଇଥିଲେ। ହେଲେ ଅନ୍ୟପଟୁ ୱିକେଟ୍ ପତନ ଧାରା ଜାରି ରହିଥିଲା। ଶ୍ରେୟସ୍, ଋଷବଙ୍କ ପରେ କେଦାର ଯାଦବ ମାତ୍ର ୯ ରନ୍‌ରେ ବୋଲ୍ଡ ‌ ହୋଇ ଯାଇଥିଲେ। ସେଲଡନ୍ କଟ୍ରେଲ ପିଚ୍ ଉପରେ ତାଙ୍କୁ ସାଲ୍ୟୁଟଭରା ବିଦାୟୀ ଦେଇଥିଲେ। ଏହା ପରେ କୋହଲି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ସାଥୀ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଉଭୟ ଷଷ୍ଠ ୱିକେଟ୍‌ରେ ୫୮ ରନ୍ ଯୋଡ଼ି ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ତେବେ ୪୭ତମ ଓଭରର ପ୍ରଥମ ବଲ୍‌ରେ କୋହଲିଙ୍କୁ କୌଶଳକ୍ରମେ ବୋଲ୍ଡ କରି ଇଣ୍ଡିଜ୍ ଦ୍ରୁତ ବୋଲର କିମୋ ପଲ୍ ମ୍ୟାଚ୍‌ରେ ରୋମାଞ୍ଚ ଭରିଦେଇଥିଲେ। ୱେଷ୍ଟଇଣ୍ଡିଜ୍ ପୁଣି ଥରେ ମ୍ୟାଚ୍‌କୁ ଫେରିଥିଲା। ବାରବାଟୀରେ ନିଜ ପ୍ରଥମ ଶତକ ଆଡ଼କୁ ଅଗ୍ରସର ହେଉଥିବା କୋହଲି ୮୫ ରନ୍‌ରେ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ।

DNA India

ତେବେ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ଧୂଆଁଧାର ବ୍ୟାଟିଂ ଇଣ୍ଡିଜ ସହ ବାରବାଟୀର ସବୁ ଦର୍ଶକଙ୍କୁ ବି ଚକିତ କରି ଦେଇଥିଲା। କଟ୍ରେଲଙ୍କୁ ଲଗାତର ଛକା ଚୌକା ସହ ୬ ବଲ୍‌ରୁ ୧୭ ରନ୍ କରି ସେ ଭାରତ ବିଜୟକୁ ପକ୍କା କରି ନେଇଥିଲେ। ଜାଦେଜା ୩୧ ବଲ୍‌ରୁ ୩୯ ରନ୍‌ର ଉପଯୋଗୀ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୪୯ତମ ଓଭରର ଚତୁର୍ଥ ବଲ୍‌ରେ ସାର୍ଦୁଲ ସିଙ୍ଗଲ ରନ୍ ନେବା ସହ ଏହି ବଲ୍‌ଟି ନୋ ବଲ୍ ଥିବାରୁ ବାରବାଟୀ ଖୁସିରେ ଫାଟି ପଡ଼ିଥିଲା। ଏଥି ସହିତ ଭାରତ ମ୍ୟାଚ୍ ଓ ଶୃଙ୍ଖଳା ଜିତି ନେଇଥିଲା। ଓଡ଼ିଶା କ୍ରିକେଟ୍ ସଂଘ ସଂପାଦକ ସଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର