ବାରବାଟୀ ମ୍ୟାଚ୍‌ ଅନ୍‌ଲାଇନ୍‌ ଟିକେଟ ବିକ୍ରି ୨୦ରୁ

କଟକ: ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବାରାବାଟୀରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ୍‌ ପାଇଁ ଚଳିତ ମାସ ୨୦ ତାରିଖରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହେବ। ଗତ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ବେଳେ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଅଧିକାର ନେଇଥିବା www.get2thegames.com ଓ୍ଵବସାଇଟ୍‌ରେ ଏଥର ମଧ୍ୟ ଟିକେଟ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ୍‌ରେ ପାଖାପାଖି ୯ ଜହାର ଟିକେଟ ବିକ୍ରି ପାଇଁ ଉଦ୍ଧିଷ୍ଟ ରହିବ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ଗତବର୍ଷ ୮୩୧୦ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇଥିଲା। ଗ୍ୟାଲେରୀ ନମ୍ବର ୨, ୪, ୬, ୭, ସ୍ପେସାଲ ଏନ୍‌କ୍ଲୋଜୋର୍‌ ବ୍ଲକ୍‌ ଏ’, ନ୍ୟୁ ପାଭିଲିଅନ୍‌, ୪ନମ୍ବର ଏସି ଗ୍ୟାଲେରୀ ଓ କର୍ପୋରେଟ ବକ୍ସ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହେବ। ସୂଚନା ଅନୁଯାୟୀ ଗ୍ୟାଲେରୀ ନମ୍ବର ୬ ଓ ୭ର ଟିକେଟ ଦର ୪୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ଦର ୫୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜୋର୍‌ ୩ ହଜାର, ନ୍ୟୁ ପାଭିଲିଅନ୍‌ ଓ ଏସି ଗ୍ୟାଲେରୀ ୫ହଜାର ଏବଂ କର୍ପୋରେଟ ବକ୍ସ ଟିକେଟ ୮ ହଜାର ଟଙ୍କାରେ ବିକ୍ରି ହେବ। ଅନ୍‌ଲାଇନ୍‌ରେ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ୍‌ ସ୍କୁଲ୍‌ ପାଖରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ।

ସମ୍ବନ୍ଧିତ ଖବର