ଅବ୍ୟବସ୍ଥା ଭିତରେ ବାରବାଟୀରେ ଟିକେଟ୍‌ ବିକ୍ରି ଶେଷ, ସାଧାରଣ ଲୋକ ହଟହଟା

ଟିକେଟ୍‌ ବୋହିନେଲେ ପୁଲିସ, ସିକ୍ୟୁରିଟି ଗାର୍ଡ, ବ୍ୟାଙ୍କ କର୍ମଚାରୀ

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ପାଇଁ ଟିକଟ ବିକ୍ରି ଶେଷ ହୋଇଛି। ଗୁରୁବାର କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ୧୦୦୩୯ ଟିକଟ୍‌ ରଖାଯାଇଥିଲା ବେଳେ ଆରମ୍ଭରୁ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ପୁଲିସର ଢିଲା ବ୍ୟବସ୍ଥା, ଘରୋଇ ସିକ୍ୟୁରିଟି ଗାର୍ଡ ଓ ବ୍ୟାଙ୍କ କର୍ମଚାରୀଙ୍କ ପଛ ଦ୍ବାର ହେରଫେର ଯୋଗୁଁ ପାଖାପାଖି ୫ହଜାର ଦର୍ଶକ ନିରାଶ ହୋଇଛନ୍ତି। କାଉଣ୍ଟର୍‌ ପାଖରେ ପୁଲିସ କର୍ମଚାରୀ, ସିକ୍ୟୁରିଟି ଗାର୍ଡ ନିୟୋଜିତ ଥିଲାବେଳେ ସିସି କ୍ୟାମେରା ଲଗାଯାଇଥିଲା। ହେଲେ ସେସବୁ କେବଳ ନାମକୁ ମାତ୍ର ରହିଥିଲା। ଯିଏ ଯେମିତି ପାରିଲା, ପଛପଟୁ ଟିକଟ୍‌ ବୋହିନେଲେ। ଏପରିକି ତେନ୍ଦୁଲକର ଇ‌ଣ୍ଡୋର ହଲ୍‌ ପଟୁ ମନଇଚ୍ଛା ଲୋକମାନଙ୍କୁ କାଉଣ୍ଟର୍‌ ପଛପଟକୁ ଛାଡ଼ି ଦିଆଯାଉଥିଲା। ସେଠାରେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ସହଯୋଗରେ ଅଧା ଟିକଟ୍‌ ବୋହି ନିଆଯାଇଥିବା ଦେଖାଯାଇଥିଲା। ହେଲେ ଟିକଟ୍‌ ବିକ୍ରି ବେଳେ ଓସିଏର କୌଣସି ନିୟନ୍ତ୍ରଣ ନଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି।

ପ୍ରଥମତଃ ସକାଳ ୯ଟା ବେଳେ କାଉଣ୍ଟର୍‌ ଖୋଲିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଦିନ ୧୦ଟା ବେଳକୁ ସବୁ କାଉଣ୍ଟର ଖୋଲିଲା। ଦର୍ଶକମାନେ ଶୃଙ୍ଖଳିତ ଭାବେ ଟିକଟ ନେବା ପାଇଁ ବ୍ୟାରିକେଡ୍‌ ଲଗାଯାଇଥିଲା। ବ୍ୟାରିକେଡ୍‌ ବାହାରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ନିୟୋଜିତ ହୋଇଥିଲେ। ହେଲେ ଟିକଟ୍‌ ସଂଖ୍ୟା ଅନୁସାରେ ଭିଡ଼ ତିନିଗୁଣା ହୋଇଥିଲା। ଯାହାଫଳରେ ସୀମିତ ପୁଲିସ କର୍ମଚାରୀ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଥିଲେ। ଏମିତିକି ଲାଠି ଚାର୍ଜ କରିବାକୁ ପଡ଼ିଥିଲା। କାଉଣ୍ଟର୍‌ ପାଖରେ ସେଭଳି କୌଣସି ବ୍ୟବସ୍ଥା ହୋଇନଥିବାରୁ ଗଦାଗଦା ହୋଇ ଲୋକମାନେ କାଉଣ୍ଟର୍‌ ବାହାରେ ଭିଡ଼ କରୁଥିଲେ। ଟିକଟ ଆଣିବା ପରେ ଦର୍ଶକଙ୍କ ହାତରୁ ଅସାମାଜିକ ବ୍ୟକ୍ତି ଟିକଟ୍‌ ଛଡ଼ାଇ ନେବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ହେଲେ ଭିଡ଼ରୁ ବାହାରିବା ବେଳକୁ କିଏ ନେଇଗଲା ତାହା ଜାଣିବା ମୁସ୍କିଲ ହୋଇଯାଇଥିଲା।

କାଉଣ୍ଟର ପଛପଟର ସ୍ଥିତି ଆହୁରି ସଙ୍ଗୀନ ଥିଲା। ତେବେ ଏଠାରେ ଭିଡ଼ ନୁହେଁ ବର˚ ଟିକଟ୍‌ ହରିଲୁଟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। କେତେକ ପୁଲିସ କର୍ମଚାରୀଙ୍କ ସହ ଘରୋଇ ସିକ୍ୟୁରିଟି ଗାର୍ଡମାନେ ମନଇଚ୍ଛା ସେମାନଙ୍କ ପରିଚିତ ଓ ସମ୍ପର୍କିୟ ମାନଙ୍କୁ ତେନ୍ଦୁଲକର ଇଣ୍ଡୋର ହଲ୍‌ ପଟୁ ଭିତରକୁ ଆଣୁଥିଲେ। ସେମାନଙ୍କଠୁ ଟିକଟର ଧାର୍ଯ୍ୟ ମୂଲ୍ୟଠୁ ଅଧିକ ଟଙ୍କା ନିଆଯିବା ପରେ କାଉଣ୍ଟର ପଛପଟୁ ଟିକଟ ପ୍ରଦାନ କରୁଥିବା ଅଧିକାରୀଙ୍କଠୁ ଟିକଟ ଆଣି ଦିଆଯାଉଥିଲା। ଏମିତିକି ଟିକଟ ବିକ୍ରି ଦାୟିତ୍ବ ନେଇଥିବା ବ୍ୟାଙ୍କ୍‌ର କିଛି କର୍ମଚାରୀ ପଛପଟୁ ଟିକଟ୍‌ ଆଣୁଥିବା ଦେଖାଯାଇଥିଲା। ପୁଲିସର ବରିଷ୍ଠ ଅଧିକାରୀମାନେ ଏସବୁ ଦେଖୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ। ତେଣୁ ସମସ୍ତଙ୍କ ସଲା ସୁତୁରା ମଧ୍ୟରେ ଟିକଟ ହେରଫେର ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର