କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଆଉ ମାତ୍ର ୪ ଦିନ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଶଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ବହୁ ଦିନ ପରେ ଏଠାରେ ଦିନିକିଆ ମ୍ୟାଚ୍ର ଆୟୋଜନ ହେଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମନରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛ। ବାରବାଟୀ ଲଢ଼େଇ ପାଇଁ ଗତ ୨ ତାରିଖ ଠାରୁ ଟିକେଟ୍ ବିକ୍ରି ହୋଇସାରିଛି। ଆରମ୍ଭରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବିକ୍ରି ସରିଛି। ବିଭିନ୍ନ ବର୍ଗର କ୍ରୀଡ଼ାପ୍ରେମୀଙ୍କ ପାଇଁ ଟିକେଟ୍ ବିକ୍ରି ଚାଲିଥିବା ବେଳେ ରାତି ପାହିଲେ ସାଧାରଣ ଦର୍ଶକମାନେ ବାରବାଟୀ ମ୍ୟାଚ୍ ପାଇଁ ଅଫ୍ଲାଇନ୍ରେ କାଉଣ୍ଟରରୁ ଟିକେଟ୍ କିଣିବେ।
ଓଡ଼ିଶା କ୍ରିକେଟ୍ ଆସୋସିଏସ୍ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ। ଅନଲାଇନ୍ରେ ଟିକେଟ୍ କିଣିପାରିନଥ୍ବା କ୍ରିକେଟ୍ପ୍ରେମୀ ଅଫ୍ଲାଇନ୍ରେ କିଣିବାକୁ ଆଶା ବାନ୍ଧିଛନ୍ତି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି। ଭିଡ଼ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବୁଧବାର ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ଏହାର ଗୋଟିଏ ଘଣ୍ଟା ପୂର୍ଵରୁ ଅର୍ଥାତ ସକାଳ ୮ଟା ବେଳେ ହିଁ ଧାଡି ବାନ୍ଧିବା ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ। ଟିକେଟ୍ ପାଇବାକୁ ହେଲେ ଲାଇନ୍ରେ ନିର୍ଦ୍ଧାରିତ ସମୟରେ ଆଗୁଆ ପ୍ରବେଶ କରିବାକୁ ହେବ।
ଦର୍ଶକମାନେ ସହଜରେ ଟିକେଟ୍ କିଣିବେ ବୋଲି ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ପାଇଁ ଘୋଡ଼ା ଗେଟ୍ କାଉଣ୍ଟର ଖୋଲିବ। ସେହିଭଳି କିଲ୍ଖାନା ଲେନ୍ରେ ଅନ୍ୟ ସମସ୍ତ ଗ୍ୟାଲେରି ଟିକେଟକୁ ବିକ୍ରି କରାଯିବ। ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ଏହାରି ଭିତରେ ମଙ୍ଗଳବାର ଠାରୁ କ୍ରିକେଟ୍ପ୍ରେମୀଙ୍କ ଭିଡ଼ ଷ୍ଟାଡିୟମ ପରିସରରେ ଦେଖିବାକୁ ମିଳିଛି।
ଦିନିକିଆ ଦିବାରାତ୍ର ମ୍ୟାଚ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାୟ ୨୫ ହଜାର ଗାଡି ପାର୍କିଂ କରିପାରିବ। ଏହାବ୍ୟତୀତ ଦର୍ଶକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ମିଳିବ। ଖାଦ୍ୟର ମାନ ପାଇଁ ୫ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମ୍ୟାଚ୍ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ରାଞ୍ଚଳ ଆର୍ଡିସି ବି.ପରମେଶ୍ବରନଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୁଲିସ କମିସନର ଓ ଓସିଏ ପଦାଧିକାରୀ ଯୋଗ ଦେଇ ମ୍ୟାଚ ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବିଶେଷ କରି ପରିମଳ, ପିଇବା ପାଣି, ସୁଲଭ ମୂଲ୍ୟରେ ଦର୍ଶକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା। ଟିକେଟ୍ କିଣିବା ପାଇଁ ବାରବାଟୀ ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଦର୍ଶକ ଏକତ୍ରିତ ହେବାର ଅନୁମାନ କରାଯାଉଛି।