ବାରବାଟୀ ଦିନିକିଆ ଆଉ ୧୩ ଦିନ, ଗ୍ୟାଲେରିରେ ହେଲ୍‌ପ ଡେସ୍କ, ବାଲିଯାତ୍ରା ପଡ଼ିଆରେ ଫ୍ୟାନ୍‌ ପାର୍କ

ବାରବାଟୀ ଷ୍ଟାଡ଼ିୟମ ବୁଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର

କଟକ: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଶନିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସିଥିଲେ। ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଦିନିକିଆ ପାଇଁ ଓସିଏର ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ଏଠାରେ ପହଞ୍ଚିଥିଲେ। ପ୍ରଥମେ ଓସିଏ କାର୍ଯ୍ୟାଳୟରେ ସମ୍ପାଦକ ସ˚ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଭାରପ୍ରାପ୍ତ ପୁଲିସ୍‌ ଡିଜି ସତ୍ୟଜିତ ମହାନ୍ତି, କମିସନରେ ଡକ୍ଟର ସୁଧା˚ଶୁ ଷଡ଼ଙ୍ଗୀ, ଡିସିପି ଅଖିଳେଶ୍ବର ସି˚ହଙ୍କ ସହ ମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ଏହାପରେ ଷ୍ଟାଡିୟମରେ ଚାଲିଥିବା ମରାମତି କାର୍ଯ୍ୟର ଯାଞ୍ଚ କରିଥିଲେ। ଏହା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟରେ ଖେଳର ମାହୋଲ ରହିଛି। ତାହାକୁ ବଜାୟ ରଖିବାକୁ ସରକାର ସବୁପ୍ରକାର ସହଯୋଗ ଦେଉଛନ୍ତି। ଓଡ଼ିଶାରେ ଯେକୌଣସି ପ୍ରତିଯୋଗିତା ହେଲେ ବି ତାହାକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ ହେଉଛି। ୱେଷ୍ଟଇଣ୍ତିଜ ଦଳ ହେଉଛି ଆମର ଅତିଥି। ତେଣୁ ମ୍ୟାଚରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ, ତାହା ଉପରେ ଆମେ ସମସ୍ତେ ସଚେତନ ହେବା ଦରକାର। ଦର୍ଶକଙ୍କ ଆଗମନ ଯେପରି ଭଲ ଭାବେ ହେବ ଓ ସେମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହେବେ ତାହା ଆମର ପ୍ରଥମିକତା ରହିବ ବୋଲି କ୍ୟାପ୍‌ଟେନ୍ ମିଶ୍ର ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ସିପି ଡକ୍ଟର ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରତ୍ୟେକ ଗ୍ୟାଲେରିରେ ଦର୍ଶକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ହେଲ୍‌ପ ଡେସ୍କ ଖୋଲାଯିବାକୁ ଯୋଜନା କରାଯାଇଛି। କୌଣସି ଦର୍ଶକ ମ୍ୟାଚ ଦେଖିବାବେଳେ ଯେପରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ନେହେବେ ତାହା ଉପରେ ଏହି ହେଲ୍‌ପ ଡେସ୍କ ନଜର ରଖିବ। ଏଥିସହିତ ଉପର ବାଲିଯାତ୍ରା ପଡ଼ିଆରେ ମ୍ୟାଚ ଦିନ ଗୋଟିଏ ଫ୍ୟାନ୍‌ ପାର୍କ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି। ଯେଉଁମାନେ ଷ୍ଟାଡିୟମ ଭିତରକୁ ଆସିପାରୁନାହାନ୍ତି, ସେମାନେ ଫ୍ୟାନ୍‌ ପାର୍କରେ ବଡ଼ ସ୍କ୍ରିନ୍‌ରେ ଖେଳ ଉପଭୋଗ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର