ବାରବାଟୀର ଗରିମା : ରିଲାଏନ୍ସ ଓ ୱିଲ୍ସ ବିଶ୍ୱକପ୍ ଆୟୋଜକ

କଟକ : ୧୯୭୫ରେ ଆରମ୍ଭ ହୋଇଥିବା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ଦୁଇଟି ମ୍ୟାଚ୍ ବାରବାଟୀ ଆୟୋଜନ କରିଛି। ୧୯୮୭ ମସିହା ରିଲାଏନ୍ସ ବିଶ୍ବକପ୍‌ର ଗୋଟିଏ ମ୍ୟାଚ୍‌ ଆୟୋଜନ ଅଧିକାର ବାରବାଟୀ ଷ୍ଟାଡିୟମ ପାଇଥିଲା। ଦୀର୍ଘ ୩୨ ବର୍ଷ ତଳର ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଜିମ୍ବାୱେ ମୁହାଁମୁହିଁ ହୋଇଥିଲେ। ଏହାର ୯ ବର୍ଷ ପରେ ବିଶ୍ବକପ୍ ପୁଣି ଥରେ ବାରବାଟୀ ଫେରିଥିଲା। ୧୯୯୬ର ୱିଲ୍ସ ବିଶ୍ବକପ୍‌ରେ ପୁନର୍ବାର ଆଉ ଏକ ମ୍ୟାଚ୍ ଅଧିକାର ଲାଭ କରିଥିଲା ଏହି ଐତିହାସିକ କ୍ରିକେଟ୍ ପଡ଼ିଆ। କେନିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ସେହି ବିଶ୍ବକପ୍ ମ୍ୟାଚ୍‌କୁ ଓଡ଼ିଶାବାସୀ ଅଯଶ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟ ବାନା ଉଡ଼ାଇଥିଲା ବେଳେ ଦ୍ବିତୀୟରେ ଭାରତ ଆଫ୍ରିକୀୟ ରାଷ୍ଟ୍ର କେନିଆର ପର କାଟିଥିଲା। ପୁରୁଷ ଦିନିକିଆ ବିଶ୍ବକପ୍‌ର ଦୁଇଟି ମ୍ୟାଚ୍ ସହ ବାରବାଟୀରେ ୨୦୧୩ ମସିହା ମହିଳା ବିଶ୍ବକପ୍ ମଧ୍ୟ ଖେଳା ଯାଇଥିଲା। ଏହାକୁ ମଧ୍ୟ ଓଡ଼ିଶାରେ ଭରପୁର ସମର୍ଥନ ଓ ଭଲ ପାଇବା ମିଳିଥିଲା।

ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍‌ରେ କଙ୍ଗାରୁ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ବୁନ୍ ନିଜ ମୋଟା ନିଶ ଏବଂ ଆକ୍ରମଣାତ୍ମକ ବ୍ୟାଟିଂରେ ବାରବାଟୀ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ନିଜ ୯୩ ରନ୍‌ ପାଳିରେ ସେ ୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲିଆର ବାରବାଟୀ ବିଜୟରେ ସେ ହିଁ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଫ୍ ମାର୍ସ ୩୭, ଡିନ୍ ଜୋନ୍ସ ୫୮*, ମାଇକ୍ ଭେଲେଟା ୪୩ ଏବଂ ଷ୍ଟିଭ୍ ୱ ୧୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୨୬୬ ରନ୍ କରିଥିଲା। ଦୁର୍ବଳ ଜିମ୍ବାୱେ ପାଇଁ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ବହୁତ ଥିଲା। ଏହି ଦଳ ୫୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୯୬ ରନ୍ କରିପାରିଥିଲା। ଆର୍ଦ୍ରତା, ମହାନଦୀ ପଟୁ ବହୁଥିବା ପବନ ଏବଂ ସବୁଜ ପିଚ୍‌କୁ ମୁକାବିଲା କରିବାରେ ଅନଭିଜ୍ଞ ଜିମ୍ବାୱେ ଖେଳାଳି ଏକବାର ଅସମର୍ଥ ହୋଇଥିଲେ। ଜିମ୍ବାୱେ ବିଶ୍ବକପ୍‌ରେ ଲଗାତାର ଷଷ୍ଠ ପରାଜୟ ବରଣ କରିଥିଲା। ବୁନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବାରବାଟୀରେ ଏକଦିବସୀୟ ବିଶ୍ବକପ୍‌ର ଦ୍ବିତୀୟ ତଥା‌ ଶେଷ ମ୍ୟାଚ୍ ଦୀର୍ଘ ୨୩ ବର୍ଷ ତଳେ ଅର୍ଥାତ୍ ଫେବ୍ରୁଆରି ୧୮, ୧୯୯୬ରେ ଖେଳା ଯାଇଥିଲା। ୱିଲ୍ସ କପ୍ ଭାବେ ପରିଚିତ ଏହି ବିଶ୍ବକପ୍ ଫେବ୍ରୁଆରି ୧୪ ତାରିଖରୁ ଆରମ୍ଭ ହୋଇଥିଲା। ଭାରତ ୧୮ ତାରିଖରୁ ବାରବାଟୀରେ ତା’ର ଅଭିଯାନ ଆରମ୍ଭ କରିଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶତକୀୟ ପାଳି ଖେଳି ବାରବାଟୀ ଦର୍ଶକଙ୍କ ମନ ମୋହିନେଇଥିଲେ। ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଟସ୍ ଜିତି କେନିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କେନିଆ ଅନୀଲ କୁମ୍ବଲେ ଏବଂ ଭେଙ୍କଟପତି ରାଜୁଙ୍କ ସ୍ପିନ୍ ଜାଲରେ ଛନ୍ଦି ହୋଇ ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୯୬ ରନ୍ କରି ପାରିଥିଲା। ଏହାର ଜବାବରେ ସଚିନ (୧୨୭* ରନ୍, ୧୩୮ ବଲ୍, ୧୫ ଚୌକା, ୧ ଛକା) ଓ ଅଜୟ ଜାଦେଜା (୫୩ ରନ୍, ୮୫ ବଲ୍, ୪ ଚୌକା, ୧ ଛକା) ପ୍ରଥମ ୱିକେଟରେ ୧୬୩ ରନ୍ ଯୋଡ଼ି ନେଇଥିଲେ। ବିଶ୍ବକପ୍‌ରେ ଭାରତର ଏହା ସର୍ବବୃହତ୍ ଭାଗୀଦାରି ଥିଲା। ନବଜ୍ୟୋତ ସିଂହ ସିଧୁ (୧) ଓ ବିନୋଦ କାମ୍ବଲି (୨) ଶସ୍ତାରେ ଆଉଟ ହୋଇ ଯାଇଥିଲେ। ହେଲେ ସଚିନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଭାରତ ୪୧.୫ ଓଭରରେ ୩ ୱିକେଟ୍ ବିନିମୟରେ ୨୦୩ ରନ୍ କରି ସହଜ ବିଜୟ ହାସଲ କରିଥିଲା। କେନିଆର ୧୧ ଜଣ ଯାକ ଖେଳାଳି ବାରବାଟୀରେ ନିଜ ଦିନିକିଆ ଖେଳ ଜୀବନ ଆରମ୍ଭ କରିଥିଲେ। ସଚିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର