କଟକ, (ଦୀପ୍ତିରଞ୍ଜନ ସାମଲ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚ୍ରେ ବାରବାଟୀ ଷ୍ଟାଡିୟମ ନୀଳ ରଙ୍ଗରେ ସଜେଇ ହୋଇଯାଇଥିଲା। ପ୍ରାୟ ୯୦ ଭାଗ ଦର୍ଶକ ଭାରତୀୟ ଜର୍ସି ପରିଧାନ କରି ଷ୍ଟାଡିୟମକୁ ଆସିଥିଲେ। ନୀଳ ଜର୍ସି, ନୀଳ ଟୋପି ସହ ମୁହଁରେ ତ୍ରିରଙ୍ଗା ଛାଇ ଯାଇଥିଲା। ଏଥିସହିତ ବନ୍ଦ ରହିଥିବା ୭ ନମ୍ବର ଗ୍ୟାଲେରିର ରଙ୍ଗ ମଧ୍ୟ ନୀଳ ରହିଥିଲା। ଭାରତୀୟ ଦଳକୁ ଦର୍ଶକଙ୍କ କେତେ ସମର୍ଥନ ରହିଛି ତାହା ଏଥିରୁ ଜଣାପଡ଼ିଥିଲା। ଯେଉଁଥିପାଇଁ ଆରମ୍ଭରୁ ଭାରତ ବୋଲିଂ କରିଥିଲା ବେଳେ ଦର୍ଶକଙ୍କ ସମର୍ଥନ ସହ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା।
ଟିଭି କ୍ରିଉରେ ଖ୍ରୀଷ୍ଟମାସ
ବଡ଼ଦିନ ପୂର୍ବରୁ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନରେ ବ୍ୟସ୍ତ ଥିବାରୁ ମ୍ୟାଚ୍ ପ୍ରସାରଣ (ଟିଭି କ୍ରିଉ) ସଦସ୍ୟମାନେ ଶନିବାର ଖ୍ରୀଷ୍ଟମାସ ପାଳନ କରିଥିଲେ। ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ କ୍ରିଉ ସଦସ୍ୟମାନେ କର୍ପୋରେଟ ବକ୍ସ ଆଗରେ ଖ୍ରୀଷ୍ଟମାସ ପାଳିଥିଲେ। ସବୁ ସଦସ୍ୟମାନେ ମୁଣ୍ଡରେ ସାନ୍ତାକ୍ଲଚ ଟୋପି ପିନ୍ଧିବା ସହ କେକ୍ କାଟିଥିଲେ ଓ ପରେ ଫଟୋ େସସନ ହୋଇଥିଲା।
ପ୍ରେସ ବକ୍ସ ଲାଇଟ ପାଇଁ ଖେଳ ଅଟକିଲା
ୱେଷ୍ଟଇଣ୍ଡିଜର ବ୍ୟାଟିଂ ବେଳେ ପ୍ରେସ୍ ବକ୍ସର ଲାଇଟ୍କୁ ନେଇ ଖେଳ ପାଖାପାଖି ୩ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପାଳିର ୪୧.୩ ଓଭର ବେଳକୁ ସଇନି ବୋଲିଂ କରୁଥିଲା ବେଳେ ପୋଲାର୍ଡ ବ୍ୟାଟିଂ କରିବାକୁ ଯାଉଥିଲେ। ଠିକ୍ ଏହି ସମୟରେ ସମ୍ମୁଖରେ ଥିବା ପ୍ରେସ୍ ବକ୍ସର ଲାଇଟ ଅନ୍ କରାଯାଇଥିଲା। ଲାଇଟ୍ ଲଗାଯିବାର କିଛି ସମୟ ପରେ ଏହାକୁ ନେଇ ପୋଲାର୍ଡ ଆପତ୍ତି ଉଠାଇଥିଲେ। ଲାଇଟ୍ ତାଙ୍କ ଆଖିରେ ପଡୁଥିବା ପୋଲାର୍ଡ ଅମ୍ପାୟାରଙ୍କୁ ଜଣାଇଥିଲେ। ହେଲେ ପ୍ରେସ୍ ବକ୍ସ ଆଡ଼କୁ ଇଙ୍ଗିତ କରି ପୋଲାର୍ଡ କ’ଣ କହୁଛନ୍ତି, ତାହା ଗଣମାଧ୍ୟମ ପ୍ରତିନିଧିମାନେ ହଠାତ ବୁଝିପାରିନଥିଲେ। ତେବେ ପଡ଼ିଆରୁ ଯୋଗାଯୋଗ କରାଯିବା ପରେ ତୁରନ୍ତ ସବୁ ଲାଇଟ୍ ପୁଣି ବନ୍ଦ କରିଦିଆଯାଇଥିଲା।
୭ ନମ୍ବର ବିନା ଷ୍ଟାଡିୟମ ଅସମ୍ପୂର୍ଣ୍ଣ
ଶନିବାର ଷ୍ଟାଡିୟମରେ ସିଟ୍ ଅନୁଯାୟୀ ଦର୍ଶକ ଭରପୂର ଥିଲେ। ତଥାପି ୭ ନମ୍ବର ଗ୍ୟାଲେରିକୁ ଦେଖିଲେ ଷ୍ଟାଡିୟମ ଖାଲିଖାଲି ଲାଗୁଥିଲା। ସବୁ ଗ୍ୟାଲେରି ଭିତରୁ ୭ ନମ୍ବର ଗ୍ୟାଲେରିର କ୍ଷମତା ଅଧିକ। ୫୨୮୨ କ୍ଷମତା ବିଶିଷ୍ଟ ଏହି ଗ୍ୟାଲେରିକୁ ଅସୁରକ୍ଷିତ ଦର୍ଶାଇ ବନ୍ଦ କରିଦିଆଯାଇଥିଲା। ତଥାପି ଖାଲି ଗ୍ୟାଲେରିରେ ବାଲୁକା କଳା କରାଯାଇ କିଛିଟା ସନ୍ତୁଷ୍ଟି ଲାଗୁଥିଲା। କିନ୍ତୁ ପୂର୍ବରୁ ମ୍ୟାଚ୍ବେଳେ ଅଧିକ ହୋ ହାଲ୍ଲା ଏହି ଗ୍ୟାଲେରିରୁ ଆସୁଥିବାରୁ ଏବେ ସେଭଳି ମାହୋଲ ଆଉ ନଥିଲା।
ୱିକେଟ ଓ ଛକା ବେଳେ ଆତସବାଜୀ
ଦିନିକିଆ ମ୍ୟାଚ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓସିଏ ପକ୍ଷରୁ ଆତସବାଜୀର ବ୍ୟବସ୍ଥା କରାଯାଇଥିଲା। ଦୁଇ ବର୍ଷ ବ୍ୟବଧାନରେ ବାରବାଟୀରେ ମ୍ୟାଚ୍ ଆୟୋଜନ ହେଉଛି। ଫନି ତାଣ୍ଡବ ପରେ କମ୍ ସମୟ ମଧ୍ୟରେ ବାରବାଟୀରେ ମ୍ୟାଚ୍ ହେବା ଅସମ୍ଭବ ବୋଲି ଚର୍ଚ୍ଚା ହେଉଥିଲା। ଏହାସତ୍ତ୍ବେ ଓସିଏ କର୍ମକର୍ତ୍ତାମାନେ ୨୦ ଦିନ ମଧ୍ୟରେ ଷ୍ଟାଡିୟମକୁ ପ୍ରସ୍ତୁତ କରିପାରିଥିଲେ। ଏଥିସହିତ ମ୍ୟାଚ୍କୁ ଆହୁରି ଆକର୍ଷଣୀୟ କରିବାକୁ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ମଧ୍ୟରେ ଆତସବାଜୀ ଅନ୍ୟତମ ରହିଥିଲା। ମ୍ୟାଚ୍ରେ ଯେତେବେଳେ ୱିକେଟ ଯାଉଥିଲା ଏବଂ ଛକା ମରାଯାଉଥିଲା, ସେତେବେଳେ ବାଉଣ୍ଡରି ପାଖରୁ ଆତସବାଜୀ ହେଉଥିଲା।
ମ୍ୟାଚ୍ ଦେଖିଲେ ମୁଖ୍ୟ ବିଚାରପତି, ରାଜ୍ୟପାଳ, ମନ୍ତ୍ରୀ, ଆଇଏଏସ୍, ଆଇପିଏସ୍
ଭିଭିଆଇପି ମାନଙ୍କ ପାଇଁ ବିସିସିଆଇ ବକ୍ସ କରାଯାଇଥିଲା ବେଳେ ରବିବାର ମ୍ୟାଚ୍ ବେଳେ ଏଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ୍ ଜାଭେରିଙ୍କ ସହ ନେତା, ମନ୍ତ୍ରୀ, ବରିଷ୍ଠ ଆଇଏଏସ୍, ଆଇପିଏସ୍ ଅଧିକାରୀମାନେ ଉପସ୍ଥିତ ଥିବା ଦେଖାଯାଇଥିଲା। ଏହି ଭିଭିଆଇପି ବକ୍ସରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ତୁଷାରକାନ୍ତି ବେହେରା, ସମୀର ଦାଶ, ୫-ଟି ସଚିବ ଭିକେ ପାଣ୍ଡିଆନ୍, ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା, ବିଧାୟକ ପ୍ରବଣ ପ୍ରକାଶ ଦାସ, ଚନ୍ଦ୍ରସାରଥୀ ବେହେରା, ଦେବୀରଂଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ପୁଲିସ୍ ଡିଜି ଅଭୟ, ଭିଜିଲାନ୍ସ ଡିଜି ସୁନୀଲ ରଏ, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ଏସ୍ଏପି ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା, ସେସୁ ସିଏମ୍ଡି ଅରୁଣ ବୋଥ୍ରା, କ୍ରୀଡ଼ା ସଚିବ ବିଶାଲ ଦେବ, ଆର୍ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମ୍ସି କମିସନର ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିସିସିଆଇ ବକ୍ସରେ ବସିଥିବା ସମସ୍ତ ଭିଭିଆଇପି ଓ ଅନ୍ୟ ଅତିଥିମାନଙ୍କୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା।