କଟକ: ଫେବ୍ରୁଆରି ୧୫ ତାରିଖରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ନୂଆ ରୂପ ପାଇବାକୁ ଯାଉଛି ବାରବାଟୀ ଷ୍ଟାଡିୟମ। ପ୍ରଥମରୁ ଏହାର ପଡ଼ିଆକୁ ନୂଆ ରୂପ ଦେବାକୁ ପ୍ରୟାସ ହୋଇଥିଲା ବେଳେ ମାଟି ବଦଳରେ ବାଲିର ଚାଦର ବିଛାଯାଇଛି। ଏଥିପାଇଁ ପାଖାପାଖି ୬ ମାସ ସମୟ ଲାଗିଥିଲା। ଏହାପରେ ପୁରୁଣା ଫ୍ଲଡ ଲାଇଟ୍କୁ ବଦଳାଯାଇ ନୂଆ ଏଲ୍ଇଡି ଲାଇଟ୍ ଲଗାଯିବା କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ୬ ଓ ୭ ନମ୍ବର ଗ୍ୟାଲେରୀ ମରାମତି କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଓସିଏ କାର୍ଯ୍ୟାଳୟର ପ୍ରବେଶ ପଥଠୁ ଆରମ୍ଭ କରି ଖେଳାଳିମାନଙ୍କ ଡ୍ରେସି˚ ରୁମ୍ ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ନୂଆ ରୂପ ଦିଆଯିବାର କାର୍ଯ୍ୟ ଜାରି ରହିଛି।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍କୁ ଆୟୋଜନ କରିବା ଓସିଏ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଆହ୍ବାନ ହେବ। ତଥାପି ଖେଳାଳି ଏବଂ ମ୍ୟାଚ୍ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଜୈବ ବଳୟ ମଧ୍ୟରେ ରହିବାକୁ ଥିବାରୁ ଏହାର ମଧ୍ୟ ସଫଳ ପରିଚାଳନା କରିବା ଆଉ ଏକ ଆହ୍ବାନ ରହିବ। କିନ୍ତୁ ସରକାରଙ୍କ ସହିତ ଓସିଏ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇନଥିବାରୁ ମ୍ୟାଚ୍ ପାଇଁ କ’ଣ ନୀତିନିୟମ ଓ କଟକଣା ରହିବ ତାହା ଏବେଠୁ କହିବା ଅସମ୍ଭବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା କହିଛନ୍ତି। ତଥାପି ସରକାର କୋଭିଡ୍ କଟକଣା ମଧ୍ୟରେ ଯାହା ନିର୍ଦ୍ଦେଶ ଦେବେ ତାହାକୁ ଅନୁସରଣ କରାଯିବ ବୋଲି କୁହାଯାଇଛି।
ସ˚ଜୟଙ୍କ କହିବା ଅନୁଯାୟୀ, ବାରବାଟୀ ପିଚ୍ ଓ ପଡ଼ିଆର ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ପରୀକ୍ଷାମୂଳକ ଭାବେ ଓଡ଼ିଶା ଓ ଝାଡ଼ଖଣ୍ତ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ପିଚ୍ ଓ ପଡ଼ିଆରୁ ଭଲ ବ୍ୟବହାର ଆସୁଥିବାରୁ ଟ୍ବେଣ୍ଟି-୨୦ ମ୍ୟାଚ୍ ବେଳକୁ କୌଣସି ସମସ୍ୟା ରହିବନି। ତେବେ ମ୍ୟାଚ୍ ବେଳେ ଦର୍ଶକ ରହିବେ କି ନାହିଁ, ତାହା ଏବେବି ଅନିଶ୍ଚିତତା ଭିତରେ ରହିଛି। କିନ୍ତୁ ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ଦେଖିଲେ ମ୍ୟାଚ୍ରେ ଦର୍ଶକଙ୍କ ଉପସ୍ଥିତି ରହିନପାରେ। ତଥାପି ଏଥିପାଇଁ ଓସିଏ ପୂର୍ବରୁ ପ୍ରସ୍ତୁତ ରହିଛି। ଦର୍ଶକ ଓ ବିନା ଦର୍ଶକରେ ମ୍ୟାଚ୍ ପାଇଁ ଦୁଇଟି ବ୍ୟୟ ଅଟକଳ କରାଯାଇଛି। ଦର୍ଶକ ନରହିଲେ ଓସିଏକୁ ପାଖାପାଖି ୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କିନ୍ତୁ ଦର୍ଶକଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଓସିଏର କର୍ତ୍ତବ୍ୟ ବୋଲି ସ˚ଜୟ କହିଛନ୍ତି।