କଟକ: ଆସନ୍ତା ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଏହାର ସଫଳ ଆୟୋଜନ ପାଇଁ ରବିବାର ମଧ୍ୟାହ୍ନରେ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ଦିନିକିଆ ମ୍ୟାଚ୍ ବିଷୟରେ ବିଶଦ ଆଲୋଚନା ହୋଇଥିଲା। କିନ୍ତୁ ପୂର୍ବ ଅପେକ୍ଷା ସବୁବର୍ଗର ଟିକେଟଦରରେ ଅହେତୁକ ବୃଦ୍ଧିକୁ ନେଇ କ୍ରିକେଟ୍ପ୍ରେମୀ, କ୍ରୀଡ଼ାବିତ୍ଙ୍କ ସମେତ ସାଧରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷରେ ବାରବାଟୀରେ ଏକ ଆନ୍ତର୍ଜାତିକ ମ୍ୟାଚ୍ ହେଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଥିଲେ ମଧ୍ୟ ଟିକଟ୍ ଦର ଅହେତୁକ ବୃଦ୍ଧି କିନ୍ତୁ ଅନେକଙ୍କୁ ନିରୁତ୍ସାହିତ କରିଛି। ଗ୍ୟାଲେରିରୁ ଆରମ୍ଭ କରି କର୍ପୋରେଟ ବକ୍ସ ପର୍ଯ୍ୟନ୍ତ ସବୁ ଟିକଟ୍ ଦରକୁ ଅହେତୁକ ବୃଦ୍ଧି କରାଯାଇଛି। ପୂର୍ବରୁ ଗ୍ୟାଲେରି ଟିକଟର ସର୍ବନିମ୍ନ ମଲ୍ୟ ୬ଶହ ଟଙ୍କା ରହିଥିବା ବେଳେ ଆସନ୍ତା ମ୍ୟାଚ୍ ପାଇଁ ତାହା ୮ଶହରୁ ଆରମ୍ଭ ହୋଇଛି। ୫ନମ୍ବର ଗ୍ୟାଲେରି ମୂଲ୍ୟ ସର୍ବାଧିକ ୧୫୦୦ ଟଙ୍କା ରହିଛି। କର୍ପୋରେଟ ବକ୍ସ ଟିକଟକୁ ଏକକାଳୀନ ୮ହଜାର ଟଙ୍କା ବୃଦ୍ଧି କରାଯାଇଛି। ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ହେଉଥିବାରୁ ଏହା ରାଜ୍ୟର କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି। କିନ୍ତୁ ଅହେତୁକ ଦରବୃଦ୍ଧିକୁ ନେଇ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରଛନ୍ତି।
ଗ୍ୟାଲେରିର ସର୍ବନିମ୍ନ ମୂଲ୍ୟ ୮ଶହ, ସର୍ବାଧିକ ୧୫ ଶହ
୮ ହଜାର ଟଙ୍କା ବଢ଼ିଲା କର୍ପୋରେଟ ବକ୍ସ
ଖେଳାଳି ରିହାତି ବ୍ୟବସ୍ଥା ଉଚ୍ଛେଦ
ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ପୌରୋହିତରେ ଅନୁଷ୍ଠିତ ବୈଠକର ନିଷ୍ପତି ଅନୁସାରେ ଗ୍ୟାଲେରି ନମ୍ବର-୧, ୩, ୬ର ଟିକଟ୍ ଦଳ ୧୨୦୦ ଟଙ୍କା ରହିଛି। ପୂର୍ବରୁ ଗ୍ୟାଲେରି ନଂ-୧ ଓ ୩ ଟିକଟ୍ ମୂଲ୍ୟ ୯୦୦ ଟଙ୍କା ରହିଥିବା ବେଳେ ଗ୍ୟାଲେରି ନଂ-୬ ଟିକେଟଖେଳାଳିଙ୍କୁ ରିହାତି ଦରରେ ବିକ୍ରି କରାଯାଉଥିଲା ଏହାର ରିହାତି ମୂଲ୍ୟ ୩୦୦ ଟଙ୍କା ରହିଥିଲା। ପ୍ରଥମ ଥର ପାଇଁ ଓସିଏ କର୍ତ୍ତୃପକ୍ଷ ଖେଳାଳି ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ପୂର୍ବରୁ ଗ୍ୟାଲେରି ନଂ-୫ ଟିକେଟଦର ୯୦୦ ଟଙ୍କା ଥିବା ବେଳେ ଏଥର ଏହାକୁ ୧୫୦୦ଟଙ୍କା କରାଯାଇଛି। ସେହିପରି ଗ୍ୟାଲେରି ନଂ-୨ ଓ ୪ର ମୂଲ୍ୟ ପୂର୍ବରୁ ୭୦୦ ଟଙ୍କା ରହିଥିବା ବେଳେ ଏଥର ଏହାର ମୂଲ୍ୟକୁ ୧ହଜାର ଟଙ୍କା କରାଯାଇଛି। ଗ୍ୟାଲେରି ନଂ-୭ର ଟିକେଟମୂଲ୍ୟ ଯାହା ପୂର୍ବରୁ ୬ଶହ ଟଙ୍କା ରହିଥିଲା ତାହାକୁ ୮୦୦ ଟଙ୍କା କରାଯାଇଛି। ସବୁଠୁ ଚାହିଦା ଥିବା ସ୍ପେସିଆଲ ଏନ୍କ୍ଲୋଜର ଟିକେଟମୂଲ୍ୟ ୫ହଜାର ଟଙ୍କା ରହିଥିଲା ବେଳେ ଏହାକୁ ବଢ଼ାଇ ୭ ହଜାର ଟଙ୍କା କରାଯାଇଛି। ପୂର୍ବରୁ ୭ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଏସି ବକ୍ସ ଟିକଟ୍ ମୂଲ୍ୟ ୯ହଜାର ଟଙ୍କା କରାଯାଉଛି। ୮ହଜାର ଟଙ୍କାରେ ମିଳୁଥିବା ନ୍ୟୁ ପ୍ୟାଭିଲିୟନ ଟିକେଟଦର ଚଳିତ ଥର ପାଇଁ ୧୦ହଜାର ଟଙ୍କା ହୋଇଛି। କର୍ପୋରେଟ ବକ୍ସ ଟିକେଟଦର ପୂର୍ବରୁ ୧୨ହଜାର ଟଙ୍କାରେ ରହିଥିବା ବେଳେ ଚଳିତ ବର୍ଷ ଏହାକୁ ବଢ଼ାଇ ୨୦ହଜାର ଟଙ୍କା କରାଯାଇଛି। ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ମୋଟ ୪୪ ହଜାର ୫୨୪ ରହିଛି ବୋଲି ସ୍ବତନ୍ତ୍ର ବୈଠକ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଉଭୟ ଭାରତ ଓ ଇଂଲଣ୍ଡ ଖେଳାଳିମାନଙ୍କର ଭୁବନେଶ୍ୱର ମେ’ଫେୟାର ହୋଟେଲରେ ରହିବା ବ୍ୟବସ୍ଥା ହୋଇଥିବା ବେଳେ ମ୍ୟାଚ୍ ପରିଚାଳନା ପାଇଁ ଖୁବ୍ ଶୀଘ୍ର ବିଭିନ୍ନ ସବ୍ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି। ଆଜି ସ୍ବତନ୍ତ୍ର ପରିଷଦ ବୈଠକରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/sT9bAkTDyk7hHPlwSpGQ.jpg)