କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ମଙ୍ଗଳବାରଠୁ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସ˚ସ୍ଥା, କ୍ଲବ୍‌, ସ୍କୁଲ୍‌, କଲେଜ ଓ ଜିଲ୍ଲାମାନଙ୍କୁ ସକାଳ ୧୦ଟାରୁ ଟିକଟ ବିକ୍ରି କରାଯାଇଛି। ପ୍ରଥମ ଦିନରେ ଅଧାରୁ ଅଧିକ ଟିକଟ୍‌ ବିକ୍ରି ହୋଇଥିଲା ବେଳେ ଦ୍ବିତୀୟ ଦିନରେ ଅବଶିଷ୍ଟ ଟିକେଟ ବିକ୍ରି କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଟିକେଟ ବିକ୍ରି କରାଯାଇ ଏହି ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା ବେଳେ ମଙ୍ଗଳବାର କଟକ ମେୟର ସୁବାସ ସି˚ହ ପ୍ରଥମ ବ୍ୟକ୍ତି ଭାବେ ଟିକେଟ କିଣିବାକୁ ଯାଇଥିଲେ। କଟକ ଜିଲ୍ଲା କ୍ରୀଡ଼ା ସ˚ସଦର ପ୍ରତିନିଧି ଭାବେ ସୁବାସ ଟିକେଟ କିଣିଥିଲେ। ଗୁରୁବାରଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବ। ତେବେ କାଉଣ୍ଟରରେ ୧୬ ହଜାର ପରିବର୍ତ୍ତେ ପାଖାପାଖି ୧୨ ହଜାର ଟିକେଟ ବିକ୍ରି ପାଇଁ ଛଡ଼ାଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି। ଏସି ବକ୍ସ ଓ କର୍ପୋରେଟ ବକ୍ସର ପାଖାପାଖି ୪ ହଜାର ଟିକଟକୁ ବିଭିନ୍ନ କର୍ପୋରେଟ ହାଉସ କିଣି ନେଇଥିବାରୁ କାଉଣ୍ଟରରେ ଟିକଟ ସ˚ଖ୍ୟାରେ ହ୍ରାସ କରାଯାଇଥିବା ସେ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘଣ୍ଟି ବାଜିବ

ଆସନ୍ତା ୧୨ ତାରିଖ ସନ୍ଧ୍ୟାବେଳେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପୂର୍ବରୁ ପାରମ୍ପରିକ ଘଣ୍ଟି ବଜାଯିବ। ଯଦିଓ ଏହି ପରମ୍ପରା ବାରବାଟୀରେ ନଥିଲା, ତେବେ ଲର୍ଡ୍ସ, ଇଡେନ ଗାର୍ଡେନ ଭଳି ଷ୍ଟାଡିୟମରେ ଘଣ୍ଟି ବ୍ୟବସ୍ଥା ରହିଛି। ହେଲେ ଏଥର ବାରବାଟୀରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘଣ୍ଟି ବଜାଯିବାର ବ୍ୟବସ୍ଥା କରାଯାଉଛି। ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯିବା ଅବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସ˚ଜୟ ବେହେରା ଏଥିପାଇଁ ନିମନ୍ତ୍ରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା ବେଳେ ତାଙ୍କରି ହାତରେ ଘଣ୍ଟି ବଜାଇ ମ୍ୟାଚ୍‌ ଆରମ୍ଭ କରାଯିବାକୁ ଅନୁରୋଧ କରାଯାଇଥିବା ସ˚ଜୟ ସୂଚନା ଦେଇଛନ୍ତି।

publive-image

ବାରବାଟୀ ଟ୍ବେଣ୍ଟି୨୦ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ଅଗ୍ନି ନିରାପତ୍ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା। ତେବେ ଓସିଏ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା କୁହାଯାଇଥିବାରୁ କୋର୍ଟରୁ ଆଶ୍ବସ୍ତି ମିଳିଥିଲା। ଏହାସତ୍ତ୍ବେ ନିରାପତ୍ତା ବ୍ୟବସ୍ଥା ବିଷୟରେ ଅଧିକ ଯାଞ୍ଚ କରିବାକୁ ବିଭାଗୀୟ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ମଙ୍ଗଳବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। କିଛି ଦିନ ତଳେ ଅଗ୍ନିକାଣ୍ଡ ଜନିତ ଆପାତକାଳୀନ ବ୍ୟବସ୍ଥାରେ ଦର୍ଶକଙ୍କୁ ସୁରକ୍ଷିତ ବାହାର କରିବା ଉପରେ ଏକ ମକ୍‌ଡ୍ରିଲ ହୋଇଥିଲା। ଏଥିସହ ଓସିଏ ପକ୍ଷରୁ ଦମକଳ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ହେଉଥିବା ସଂକ୍ରାନ୍ତରେ ଶ୍ରୀ ଉପାଧ୍ୟାୟ ଅବଗତ ହୋଇଥିଲେ। ଗ୍ୟାଲେରିରେ ମୋଟ ୨୦ଟି ୬ କିଲୋ ଶୁଖିଲା ରାସାୟନିକ ପଦାର୍ଥ ବିଶିଷ୍ଟ ଏବଂ ୬୦ଟି ୪.୫ କିଲୋ ବିଶିଷ୍ଟ ଅଙ୍ଗାରକାମ୍ଳ ଗ୍ୟାସ୍ ଥିବା ଅଗ୍ନି ନିର୍ବାପକ ଲାଗିବ। ପୁଣି ଗ୍ୟାଲେରିରେ ୧୦ଟି ଜଳବାହୀ ଅଗ୍ନି ନିର୍ବାପକ ରହିବ। ଅଗ୍ନି ନିର୍ବାପକ କେଉଁଠାରେ ଅଛି ତାହା ଦର୍ଶାଇବା ପାଇଁ ଗ୍ୟାଲେରିରେ ୫୦ଟି ପୋଷ୍ଟର ଲଗାଯିବ। ତୁରନ୍ତ ନିଆଁ ଲିଭାଇବା ପାଇଁ ୩୦ଟି ଫାୟର ବଲ୍‌ ରହିବ। ଏହି ରିଫିଲିଂ ପାଇଁ ୧୧୭ଟି ଏପରି ଅଗ୍ନି ନିର୍ବାପକ ରହିବ। ଏସବୁ ପରିଚାଳନା ପାଇଁ ୨୦ ଜଣ ଫାୟରମ୍ୟାନ୍ ଓ ୧୦ ଜଣ ସୁପରଭାଇଜର ରହିବେ।

ପହଞ୍ଚିଲେ ବିସିସିଆଇ କ୍ୟୁରେଟର ଓ ବେଙ୍ଗଲର ୪୦ ପଡ଼ିଆ କର୍ମଚାରୀ

ବାରବାଟୀ ଟ୍ବେଣ୍ଟି--୨୦ ମ୍ୟାଚ୍‌ରେ ବ୍ୟବହାର ହେବାକୁ ଥିବା ନୂଆ ପଡ଼ିଆ ଓ ପଡ଼ିଆ କଭର ପରିଚାଳନା ଏବଂ ଓସିଏ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ବେଙ୍ଗଲ କ୍ରିକେଟ ସଂଘ (ସିଏବି)ର ୪୦ ଜଣ ପଡ଼ିଆ କର୍ମଚାରୀ କଟକରେ ପହଞ୍ଚିଛନ୍ତି। ତେବେ ଅପରାହ୍ନରେ ବିସିସିଆଇର ପୂର୍ବାଞ୍ଚଳ ତଥା ସିଏବିର ମୁଖ୍ୟ କ୍ୟୁରେଟର ସୁଜନ ମୁଖାର୍ଜୀ ବାରବାଟୀରେ ପହଞ୍ଚିଛନ୍ତି। ଓସିଏର କ୍ୟୁରେଟର ଓ ପଡ଼ିଆ କର୍ମଚାରୀଙ୍କ ସହିତ ସେ ନୂଆ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ସିଏବି କର୍ମଚାରୀମାନେ ନୂଆ ପଡ଼ିଆ କଭରକୁ ପରୀକ୍ଷାମୂଳକ ଭାବେ ବାରବାଟୀ ପଡ଼ିଆରେ ପକାଇଥିଲେ। ମ୍ୟାଚ୍‌ ସରିବା ପର୍ଯ୍ୟନ୍ତ ସେମାନେ କଟକରେ ରହିବେ। ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ବିଶାଳ କଭରକୁ ଇଂଲଣ୍ଡରୁ ମଗାଯାଇଛି। ଏହା ସମ୍ପୂର୍ଣ୍ଣ ପଡ଼ିଆକୁ ଘୋଡ଼ାଇ ପାରିବ। ଭାରତରେ ଏହା କେବଳ ଇଡେନ୍ ଗାର୍ଡେନ୍‌ସରେ ରହିଛି। ଏହି କଭର୍ ଘୋଡ଼ାଇଲେ ବର୍ଷା ଛାଡ଼ିବାର କିଛି ମିନିଟ‌େ‌ର ମ୍ୟାଚ୍‌ ଆରମ୍ଭ ହୋଇପାରିବ।

publive-image

ଷ୍ଟାଡିୟମର ନିର୍ମାଣଗତ ନିରାପତ୍ତା ଯାଞ୍ଚ କଲେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦଳ

ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ର ଗ୍ୟାଲେରି ଓ ଅନ୍ୟାନ୍ୟ କୋଠାର ନିର୍ମାଣଗତ ନିରାପତ୍ତା ଠିକ୍ ଅଛି କି ନାହିଁ ତାହାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଦଳ ମଙ୍ଗଳବାର ବୁଲି ଦେଖିଛନ୍ତି। କୌଣସି ମ୍ୟାଚ୍‌ ପୂର୍ବରୁ ନିୟମ ଅନୁସାରେ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ନିହାତି ଜରୁରି। ପୂର୍ବରୁ ୭ ନମ୍ବର ଗ୍ୟାଲେରି ମରାମତି କରାଯିବା ପରେ ଆଇଆଇଟି ଖଡ଼ଗପୁର ନିରାପତ୍ତା ପ୍ରମାଣପତ୍ର ଦେଇଥିଲା। ମଙ୍ଗଳବାର ପୂର୍ତ୍ତ ବିଭାଗ ଅଧିକାରୀମାନେ ବିଭିନ୍ନ ଗ୍ୟାଲେରି ବୁଲି ବିଭିନ୍ନ ଯନ୍ତ୍ର ଦ୍ବାରା ସେଗୁଡ଼ିକୁ ପରୀକ୍ଷା କରିଥିଲେ। ଅଲ୍‌ଟ୍ରାସୋନିକ୍ ପଲ୍‌ସ ଭେଲୋସିଟି ଓ ରିବାଉଣ୍ଡ ହାମର ମାଧ୍ୟମରେ ସ୍ଥିତି ପରୀକ୍ଷା କରାଯାଇଥିଲା। ନିର୍ମାଣ କନ୍‌ସଲଟାନ୍ସିର ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ଉପସ୍ଥିତିରେ ଓ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ମାଝୀଙ୍କ ତତ୍ତ୍ବାବଧାନରେ ଉପରୋକ୍ତ ପରୀକ୍ଷା କରାଯାଇଥିଲା। ପରେ ଆୟୋଜକ ଓସିଏ ପକ୍ଷରୁ ପୂର୍ତ୍ତ ବିଭାଗକୁ ୨୬ଟି ପରୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ଅନୁଧ୍ୟାନ ପରେ ଓସିଏକୁ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଯନ୍ତ୍ରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।