କଟକ: ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ଓସିଏର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବର୍ଷାରୁ ପଡିଆକୁ ସୁରକ୍ଷା ଦେବା ପାଇଁ ଇଂଲଣ୍ଡରୁ ନୂଆ ପଡ଼ିଆ କଭର ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି। ଏହି ଗୋଟିଏ କଭରରେ ସଂପୂର୍ଣ୍ଣ ପଡିଆକୁ ଘୋଡ଼ା ଯାଇପାରିବ। ଏହି କଭରକୁ ଓସିଏ ପାଖାପାଖି ୨ କୋଟି ଟଙ୍କାରେ କିଣିଛି। ଭାରତରେ ଏହିଭଳି କଭର କେବଳ କୋଲ୍କାତାର ଇଡେନ୍ ଗାର୍ଡେନ୍ରେ ରହିଛି। ବର୍ଷା ଛାଡ଼ିବାର କିଛି ସମୟ ମଧ୍ୟରେ ସୁପର ସପର ମାଧ୍ୟମରେ କଭର ଉପରୁ ପାଣି ଶୁଖାଯାଇପାରିବ। କୋଲ୍କାତାରୁ କ୍ୟୁରେଟର ଓ ପଡ଼ିଆ ସହାୟକ ଦଳ କଟକରେ ପହଞ୍ଚିଲା ପରେ କଭର ଖୋଲାଯାଇ ପରୀକ୍ଷା କରାଯିବ। ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର କ୍ୟୁରେଟର ସୁଜନ ମୁଖାର୍ଜୀ ଓ ୩୨ ପଡ଼ିଆ ସହାୟକ ବାରବାଟୀ ଆସି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଏଠାରେ ରହିବା ସହ ଓସିଏ ପଡ଼ିଆ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବେ। ଏହି କଭର୍କୁ ପକାଇବା ପାଇଁ ଅତିକମ୍ରେ ୬୦ ଜଣ କର୍ମଚାରୀଙ୍କ ଆବଶ୍ୟକ ହେବ। ଏଥିପାଇଁ ଅଧିକ କର୍ମଚାରୀ ଆଣିବାକୁ ଓସିଏ ଯୋଜନା କରୁଛି।
କୋଟ୍ଲା ଗରମରେ ଝାଳ ବୁହାଇଲେ ବଭୁମା ବାହିନୀ
ନୂଆଦିଲ୍ଲୀ: ନୂଆଦିଲ୍ଳୀରେ ଏକଦା ତାପମାତ୍ରା ୪୪ ଡିଗ୍ରି ଛୁଇଁଗଲେ ସମସ୍ତଙ୍କୁ ଘରେ କିମ୍ବା କର୍ଯ୍ୟାଳୟରେ ଆବଦ୍ଧ ରହିବାକୁ ପରାମର୍ଶ ଦିଆଯାଉଥିଲା। ଏବେ କିନ୍ତୁ ସମାନ ପରିବେଶରେ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ କ୍ରିକେଟ୍ ଦଳ ପଡ଼ିଆରେ ଅଭ୍ୟାସ କରିବାକୁ ପଛାଇ ନାହିଁ। ଗୁରୁବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଥିବା ବେଳେ ଅଭ୍ୟାସର କୌଣସି ସୁଯୋଗ ଛାଡ଼ିନାହାନ୍ତି ତେମ୍ବା ବଭୁମାଙ୍କ ଦଳ। କୋଟଲାର ଅରୁଣ ଜେଟଲି ଷ୍ଟାଡିୟମ୍ରେ ପ୍ରବଳ ଗ୍ରୀଷ୍ମତାପ ସତ୍ତ୍ବେ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଶନିବାର ଓ ରହିବାର ପ୍ରବଳ ଝାଳ ବୁହାଇଛନ୍ତି। କ୍ବିଣ୍ଟନ୍ ଡି’କକ୍ ନିଜ ଗଲ୍ଫ ଦକ୍ଷତାକୁ କ୍ରିକେଟ୍ ବ୍ୟାଟ୍ରେ ମାପିବା ସହ ଛାୟା ଅଭ୍ୟାସ କରିଥିଲେ। ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍ ରିଜା ହେଣ୍ଡ୍ରିକ୍ସ ଏବଂ ଅଧିନାୟକ ତେମ୍ବା ବଭୁମା ମଧ୍ୟ ଢେର ଝାଳ ବୁହାଇ ନିଜକୁ ପ୍ରସ୍ତୁତ କରୁଛନ୍ତି।
ଭାରତୀୟ ଦଳର ଲଢ଼ୁଆ ଚରିତ୍ରକୁ ନଜରରେ ରଖି ଦକ୍ଷିଣ ଆଫ୍ରିକା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବୋଲର୍ ତାବ୍ରାଇଜ୍ ସାମସୀ ଏବଂ କେଶବ ମହାରାଜ ଭ୍ରମଣକାରୀ ଦଳର ଦୁଇ ମୁଖ୍ୟ ସ୍ପିନର୍ ଅଛନ୍ତି। ଏହି ଦୁଇ ଜଣ ଆଇପିଏଲ୍ ଖେଳିନଥିଲେ ମଧ୍ୟ ଶୃଙ୍ଖଳାରେ ପ୍ରମୁଖ ଭୂମିକା ତୁଲାଇବା ନିଶ୍ଚିତ। ଆଇପିଏଲ୍ ଦଳରେ ଥିଲେ ମଧ୍ୟ ପ୍ରଭାବ ଛାଡ଼ି ପାରିନଥିବା ଏଦୈନ ମର୍କରାମ ଏବଂ ରାସି ଭାନ୍ ଡାର୍ ଦୁସେନ୍ ମଧ୍ୟ ରବିବାର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅତିରିକ୍ତ ଅଭ୍ୟାସ କରିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଇପିଏଲ୍ ପରେ ବିଶ୍ରାମ ନେଇଥିବା ଭାରତୀୟ ଟ୍ବେଣ୍ଟି-୨୦ ଦଳର ସଦସ୍ୟମାନେ ରବିବାରଠାରୁ ଦିଲ୍ଲୀରେ ଏକାଠି ହୋଇଥିବାରୁ ସୋମବାରଠାରୁ ଅଭ୍ୟାସ ଆରମ୍ଭ କରିବା ସମ୍ଭାବନା ରହିଛି।